ପାକିସ୍ତାନର ନକଲି ପ୍ରଚାରକୁ ନିନ୍ଦା : ଓଓ୍ବାଇସି
କୁଏତରେ ପ୍ରବାସୀ ଭାରତୀୟଙ୍କ ସହ ଆଲୋଚନା ବେଳେ AIMIM ମୁଖ୍ୟ ତଥା ହାଇଦ୍ରାବାଦ ଏମ୍ପି ଅସଦୁଦ୍ଦିନ ଓଓ୍ବାଇସି ପାକିସ୍ତାନର ନକଲି ପ୍ରଚାରକୁ ନିନ୍ଦା କରିଛନ୍ତି। ଭାରତ ଉପରେ ବିଜୟର ନକଲି ପ୍ରମାଣ ଭାବେ ୨୦୧୯ ଚାଇନା ସାମରିକ ଅଭ୍ୟାସର ଫଟୋ ବ୍ୟବହାର କରିବା ପାଇଁ ପାକିସ୍ତାନକୁ ପରିହାସ କରିଛନ୍ତି। ସେ ଜନସାଧାରଣଙ୍କୁ ପାକିସ୍ତାନର ଦାବି ଉପରେ ବିଶ୍ୱାସ ନ କରିବାକୁ ଅନୁରୋଧ କରିଛନ୍ତି। ଏପରିକି ‘ନକଲ କରିବାକୁ ଅକଲ ଦରକାର’ ବୋଲି ପାକିସ୍ତାନକୁ କହିବା ସହ ବୋକା ବୋଲି କହି କଟାକ୍ଷ କରିଛନ୍ତି ଓଓ୍ବାଇସି।
ସୂଚନା ଯୋଗ୍ୟ, ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଫିଲ୍ଡ ମାର୍ଶାଲ ପଦବୀ ପ୍ରଦାନ କରିବା ଅବସରରେ ଆୟୋଜିତ ଏକ ଉତ୍ସବରେ ତାଙ୍କୁ ଏହି ଫଟୋଗ୍ରାଫ ପ୍ରଦାନ କରିଥିଲେ। ଫଟୋ ଚିତ୍ରରେ ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ସେନାର ତୋପ ଭାରତ ଉପରେ କିପରି ଆକ୍ରମଣ କରିଥିଲା ତାହା ଦର୍ଶାଉଛି। ଚିତ୍ରଟିରେ ଏକାଧିକ ରକେଟ ଲଞ୍ଚର୍ ସିଷ୍ଟମ ଏକକାଳୀନ ଗୁଳିଚାଳନା କରୁଥିବା ଦେଖାଯାଉଛି। ରକେଟ ଫାୟାରିଂ ଯୋଗୁ ଚିତ୍ରରେ ନିଆଁର ଏକ ମେଘ ମଧ୍ୟ ଦୃଶ୍ୟମାନ ହେଉଛି। ଫଟୋଟିର ସତ୍ୟତା ଯାଞ୍ଚ କରାଯିବା ବେଳେ ଜଣାପଡିଛି ଯେ, ଫଟୋଟି ପାକିସ୍ତାନୀ ସେନାର ନୁହେଁ ବରଂ ଚାଇନାର ପିଏଲଏ ସେନାର ରକେଟ ଫୋର୍ସର। ଏହି ଫଟୋଟି ୨୦୧୯ ମସିହାର, ଯାହାକୁ ଚାଇନା ସେନା ଏକ ସାମରିକ ଅଭ୍ୟାସ ସମୟରେ ଉଠାଇଥିଲା। ଏହି ଫଟୋଟି ଚାଇନାର ପିଏଲଏ-ସେନାର ୱେବସାଇଟରେ ମଧ୍ୟ ଦେଖିପାରିବେ। ଶେହବାଜ ଶରିଫ ମୁନିରଙ୍କୁ ୨୦୧୯ ବର୍ଷର ଚାଇନା ସେନାର ଏକ ଫଟୋ ଉପହାର ଦେଇଥିବା ଜଣାପଡିବା ମାତ୍ରେ, ପାକିସ୍ତାନର ଜନସାଧାରଣ ତାଙ୍କୁ ଉପହାସ କରିଛନ୍ତି।