ଟ୍ରେନରୁ ଚୋରି: ଜଣେ ଗିରଫ
ଭୁବନେଶ୍ୱର : ଟ୍ରେନରୁ ଯାତ୍ରୀଙ୍କ ଠାରୁ ମୋବାଇଲ ଚୋରି କରିବା ମାମଲାରେ ଆରପିଏଫ (ରେଳବାଇ ସୁରକ୍ଷାବଳ) ଜଣେ ପେଶାଦାର ଲୁଟେରାକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଗଂଜାମ ଜିଲ୍ଲା ଲାଞ୍ଜିଆ ଗ୍ରାମର ପାରୁଲ ପାତ୍ର ଓରଫ ରାହୁଳ (୨୨) । ତା ନିକଟରୁ ଆରପିଏଫ ଟିମ ୨ଟି ମୋବାଇଲ ଓ ୧୬୦୦ଟଙ୍କା ଥିବା ଗୋଟିଏ ୱାଲେଟ ଜବତ କରିଛି । ଅଭିଯୁକ୍ତକୁ ଆରପିଏଫ ଟିମ ବରହମପୁର ସଦର ଥାନା ପୋଲିସକୁ ହସ୍ତାନ୍ତର କରିଛି । ପୁଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ଭୁବନେଶ୍ୱର-କଟକ ମଧ୍ୟରେ ଟ୍ରେନରେ ଅପରାଧ ନିୟନ୍ତ୍ରଣ ଏବଂ ଅନୁସନ୍ଧାନ ସ୍ୱତନ୍ତ୍ର ଦଳ (ସିପିଡିଏସ) ଟିମ ଦ୍ୱାରା ଯାଞ୍ଚ କରାଯାଉଥିଲା । କଟକ ରେଳ ଷ୍ଟେସନରୁ ଟ୍ରେନ ଛାଡ଼ିବା ବେଳେ ଜଣେ ବ୍ୟକ୍ତି ଟ୍ରେନରୁ ଡେଇଁ ପ୍ଲାଟଫର୍ମ ଆଡ଼କୁ ଦୌଡ଼ି ପଳାଇଥିଲା । ଆରପିଏଫ ଟିମ ସନ୍ଦିଗ୍ଧ ବ୍ୟକ୍ତିର ପିଛା କରିଥିଲା ଓ ତାକୁ କାବୁ କରିଥିଲା । ପରେ ତା ନିକଟରୁ ଆରପିଏଫ ଟିମ ତଲାସି କରିବା ପରେ ୨ଟି ଫୋନ୍ ଓ ଗୋଟିଏ ୱାଲେଟ ଜବତ କରିଥିଲା । ପଚରାଉଚରା ପରେ ରାହୁଳ ତା’ର ପରିଚୟ ଦେବା ସହିତ ସେ ଜଣେ ପେଶାଦାର ଲୁଟେରା ବୋଲି ସ୍ୱୀକାର କରିଥିଲା ।