ବିଜେପିକୁ ଅକଳରେ ପକାଇବେ ପାଣ୍ଡିଆନ୍‌

ବିଜେପିକୁ ଅକଳରେ ପକାଇବେ ପାଣ୍ଡିଆନ୍‌

ଭୁବନେଶ୍ୱର : ଯେଉଁ ପାଣ୍ଡିଆନଙ୍କ ପାଇଁ ବିଜେପି ସରକାରକୁ ଆସିଛି ଏବେ ସେଇ ପାଣ୍ଡିଆନ୍‌ ବିଜେପି ପାଇଁ କାଳ ସାଜିବେ  । ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପାଣ୍ଡିଆନ୍‌ ସଜବାଜ ହେଉଛନ୍ତି  । ଦୀର୍ଘଦିନ ପରେ ପାଣ୍ଡିଆନ୍‌ ନୀରବତା ଭାଙ୍ଗି ବିଜେଡ଼ିକୁ ମଜବୁତ କରିବାକୁ ସଂକଳ୍ପ ନେଇଛନ୍ତି  । ଫେବୃଆରୀରୁ ହିଁ ଭୈରବ ପାଣ୍ଡିଆନ୍‌  ନିଜର ଅସଲ ସ୍ୱରୂପକୁ ଆସିବେ ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି  ।
ବିଜେଡ଼ି ନେତାଙ୍କ କହିବା ଅନୁଯାୟୀ, ଚବିଶ ନିର୍ବାଚନରେ ହାରିବା ପରେ ସବୁଠୁ ବେଶୀ ଦୁଃଖରେ ଅଛନ୍ତି ପାଣ୍ଡିଆନ୍‌ । ତାଙ୍କ ପାଇଁ ଦଳ ହାରିବା ନେଇ ଚର୍ଚ୍ଚା ହେଉଥିବାରୁ ତାହା ତାଙ୍କୁ କଷ୍ଟ ଦେଇଛି । ତେଣୁ ବିଜେଡ଼ିକୁ ଜିତାଇବା ପାଇଁ ଏବେ ସେ ଅଙ୍କକଷା ଆରମ୍ଭ କରିଦେଇଛନ୍ତି  । ଏମିତିକି ସେ ବିଜେପିର ନିଦ ହଜାଇଦେବେ ବୋଲି ସଂକଳ୍ପ ନେଇଛନ୍ତି  ।
ବିଜେଡ଼ି ପାଖରେ ସଂଗଠନ ପାଇଁ ପର୍ଯ୍ୟାପ୍ତ ଟଙ୍କା ରହିଛି  । ଦଳ ପାଖରେ ୬୧୫ କୋଟି ଟଙ୍କା ବ୍ୟାଙ୍କ ଜମା ଥିବାରୁ ସେଇ ଟଙ୍କା ଏବେ ସଂଗଠନ କାମରେ ଲାଗିବ  । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିକୁୁ ଝଟକା ଦେବା ପାଇଁ ପାଣ୍ଡିଆନ୍‌ ରଣନୀତି କରିଛନ୍ତି  । ପ୍ରତି ଜିଲ୍ଲା ପରିଷଦ ଜୋନ୍‌ ଅନୁଯାୟୀ ସ୍ୱତନ୍ତ୍ର ରଣନୀତି ହେଉଛି  । ୨୦୨୨ ଓ ୨୦୨୪ର ଭୋଟକୁ ଅନୁଶୀଳନ କରାଯାଉଛି  । କେଉଁ ସ୍ଥାନରେ କେଉଁଥି ପାଇଁ ଭୋଟ୍‌ କମିଲା ତାହାକୁ ଅନୁଧ୍ୟାନ କରାଯାଉଛି  । କେଉଁ କେଉଁ ପ୍ରସଙ୍ଗକୁ ନେଇ ଲୋକମାନେ ବିଜେପି ଉପରେ ଖପ୍ପା ଅଛନ୍ତି, କେଉଁ କେଉଁ ବିଜେପି ନେତାଙ୍କୁ କୋଣଠେସା କରାଯାଇଛି ସବୁର ହିସାବ ନେଉଛନ୍ତି ଭୈରବ ପାଣ୍ଡିଆନ୍‌  । ଫେବୃଆରୀରେ ବିଜେଡ଼ିର ନୂଆ ଟିମ୍‌ ଗଢ଼ାହେବ  । ଦଳର ବରିଷ୍ଠ ଓ କନିଷ୍ଠ ନେତାଙ୍କୁ ନେଇ ସ୍ୱତନ୍ତ୍ର ଟିମ୍‌ ଗଢ଼ିବାକୁ ଯୋଜନା କରାଯାଇଛି  । ବଡ଼ ନେତାମାନେ ପରାମର୍ଶଦାତା ଭୂମିକାରେ ଓହ୍ଲାଇବେ  । ଯୁବନେତାମାନଙ୍କୁ ସଂଗଠନ କାର୍ଯ୍ୟରେ ନିୟୋଜିତ କରାଯିବ  । ବିଜେଡ଼ି ନେତାମାନେ ଯେଭଳି ବିଜେପିକୁ ଯିବେନାହିଁ ତାହା ଜଗିବାକୁ ଅରୁଣ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ସଂଜୟ ଦାସବର୍ମାଙ୍କ ଭଳି ନେତାଙ୍କୁ ଦାୟିତ୍ୱ ଦିଆଯିବ  । ଓଡ଼ିଶାକୁ ୩ଟି ପ୍ରମୁଖ ଜୋନ୍‌ରେ ବିଭକ୍ତ କରାଯାଇ ସଂଗଠନକୁ ମଜବୁତ କରିବା ଦିଗରେ ପ୍ରୟାସ କରାଯାଉଛି  । ସମ୍ପ୍ରତି ବିଜେପି ସ୍ଥାଣୁ ପାଲଟିଯାଇଛି  । ନା ସରକାର ନା ସଂଗଠନ କିଛି ବି ଆଗାଉନାହିଁ  । ନବୀନ ପଟ୍ଟନାୟକଙ୍କ ସଫଳତା ଓ ବିଜେପି ସରକାରଙ୍କ ବିଫଳତାକୁ ନେଇ ଦଳ ରାଜରାସ୍ତାକୁ ଓହ୍ଲାଇବ  । ପ୍ରତି ମାସରେ ବ୍ଳକ ଓ ଜିଲ୍ଲାସ୍ତରରେ ଘେରାଉ ବି କରାଯିବ  । ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଝଟକା ଦେବା ପାଇଁ ପାଣ୍ଡିଆନଙ୍କ ରଣନୀତି କେତେ ସଫଳ ହେଉଛି ତାହା ଦେଖିବାକୁ ବାକି ରହିଲା  ।