ରାଜ୍ୟରେ ହେବ ୨ ସେମିକଣ୍ଡକ୍ଟର ୟୁନିଟ୍: ନିବେଶ ହେବ ୨୨୫୦ କୋଟି

 ଭୁବନେଶ୍ୱର :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ (ଆଇଏସଏମ) ଅଧୀନରେ ଆଉ ୪ଟି ସେମିକଣ୍ଡକ୍ଟର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି  । ଏଥିମଧ୍ୟରୁ ଓଡ଼ିଶାରେ ୨ଟି ପ୍ରକଳ୍ପ ହେବ  । ଏଥିପାଇଁ ୨୨୫୦ କୋଟି ନିବେଶ ହେବ  । ଭୁବନେଶ୍ୱରରେ ଏକ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫାବ୍ ଏବଂ ଏଟିଏମପି ୟୁନିଟ୍ ଏବଂ ଖୋର୍ଦ୍ଧାର ଇନଫୋ ଭ୍ୟାଲିରେ ଥ୍ରୀଡି ଗ୍ଲାସ ୟୁନିଟ୍ ପ୍ରତିଷ୍ଠା ହେବ  । ଏହି ୟୁନିଟ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ୫୦ ଭାଗ, ଓଡ଼ିଶା ସରକାର ୨୫ ଭାଗ ଏବଂ ନିବେଶକ ୨୫ ଭାଗ ଆର୍ଥିକ ସହାୟକା ପ୍ରଦାନ କରିବେ
ପୂର୍ବରୁ ଏବେ ୬ ପ୍ରକଳ୍ପ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ଥିବାବେଳେ ଆଜି ସିକସେମ୍ (ଏସଆଇସିଏସଇଏମ), କଣ୍ଟିନେଣ୍ଟାଲ ଡିଭାଇସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ସିଡିଆଇଏଲ), ଥ୍ରୀଡି ଗ୍ଲାସ୍ ସଲୁ୍ୟସନ୍ସ ଇନକର୍ପୋରେଟେଡ୍ ଏବଂ ଆଡଭାନ୍ସଡ୍ ସିଷ୍ଟମ୍ ଇନ୍ ପ୍ୟାକେଜ୍ (ଏସଆଇପି) ଟେକ୍ନୋଲୋଜିଠାରୁ ମିଳିଛି  । ଏହାଦ୍ୱାରା ପ୍ରାୟ ୪୬ ଶହ କୋଟି ଟଙ୍କାର ନିବେଶ ସହିତ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବ  । ସେହିପରି ୨୦୩୪ କୁଶଳୀ ପେସାଦାରଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରବ  । ଆଜି ଏହି ୪ଟି ପ୍ରକଳ୍ପ ଅନୁମୋଦନ ସହିତ, ଆଇଏସଏମ ଅଧୀନରେ ମୋଟ ଅନୁମୋଦିତ ପ୍ରକଳ୍ପ ସଂଖ୍ୟା ୧୦ରେ ପହଞ୍ଚିଛି । ଏହାଦ୍ୱାରା ୬ଟି ରାଜ୍ୟରେ ପ୍ରାୟ ୧.୬୦ ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭବ ହୋଇଛି  ।
ଓଡ଼ିଶାରେ ସିକସେମ୍ ଏବଂ ଥ୍ରୀଡି ଗ୍ଲାସ୍ ପ୍ରକଳ୍ପ ପ୍ରତିଷ୍ଠା କରିବେ  । ସିଡିଆଇଏଲ ପଞ୍ଜାବରେ ଏବଂ ଏଏସଆଇପି ଆନ୍ଧ୍ରପ୍ରଦେଶରେ ପ୍ରକଳ୍ପ ପ୍ରତିଷ୍ଠା କରିବେ  । ସିକସେମ୍ ପ୍ରାଇଭେଟ୍ ଲିମିଟେଡ ଓଡିଶାର ଭୁବନେଶ୍ୱରସ୍ଥିତ ଇନଫୋଭ୍ୟାଲିରେ ବ୍ରିଟେନର କ୍ଲାସ୍-ସିକ୍ ୱେଫର ଫ୍ୟାବ ଲିମିଟେଡ ସହ ମିଶି ସିଲିକନ କାର୍ବାଇଡ (ଏସଆଇସି) ଆଧାରିତ କମ୍ପାଉଣ୍ଡ ସେମିକଣ୍ଡକ୍ଟର୍ସର ଗୋଟିଏ ସମନ୍ୱିତ ଅତ୍ୟାଧୁନିକ ପ୍ୟାକେଜିଂ ୟୁନିଟ୍ ପ୍ରତିଷ୍ଠାନ କରାଯିବ । ଏହା ଦେଶର ପ୍ରଥମ ବ୍ୟବସାୟିକ କମ୍ପାଉଣ୍ଡ ଫ୍ୟାବ୍ରିକେସନ ୟୁନିଟ୍ ହେବ  ।  
ଆଡଭାନ୍ସଡ୍ ସିଷ୍ଟମ୍ ଇନ୍ ପ୍ୟାକେଜ୍ ଟେକ୍ନୋଲୋଜିଜ୍ (ଏଏସଆଇପି) ଦକ୍ଷିଣ କୋରିଆର ଆପାକ୍ଟ କୋ. ଲିମିଟେଡ୍ ସହିତ ପ୍ରଯୁକ୍ତିବିଦ୍ୟା ସହଭାଗିତା ଅଧୀନରେ ଆନ୍ଧ୍ରପ୍ରଦେଶରେ ଏକ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ । ଏହାର ବାର୍ଷିକ କ୍ଷମତା ୯୬ ନିୟୁତ ୟୁନିଟ୍ ହେବ ।   କଣ୍ଟିନେଣ୍ଟାଲ ଡିଭାଇସ୍ (ସିଡିଆଇଏଲ) ପଞ୍ଜାବର ମୋହାଲିରେ ଏହାର ଡିସ୍କ୍ରିଟ୍ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ସମ୍ପ୍ରସାରଣ କରିବ । ଏହି ବ୍ରାଉନଫିଲ୍ଡ ସମ୍ପ୍ରସାରଣର ବାର୍ଷିକ କ୍ଷମତା ୧୫୮.୩୮ ନିୟୁତ ୟୁନିଟ୍ ହେବ । ଏହି ପ୍ରସ୍ତାବିତ ୟୁନିଟ୍ ଦ୍ୱାରା ନିର୍ମିତ ଡିଭାଇସ୍?ଗୁଡ଼ିକର ଇଭି ଏବଂ ଏହାର ଚାର୍ଜିଂ ଭିତ୍ତିଭୂମି, ଅକ୍ଷୟ ଶକ୍ତି ପ୍ରଣାଳୀ, ବିଦୁ୍ୟତ୍ ପରିବର୍ତ୍ତନ କ୍ଷେତ୍ରରେ ପ୍ରୟୋଗ, ଶିଳ୍ପ ପ୍ରୟୋଗ ଏବଂ ଯୋଗାଯୋଗ ଭିତ୍ତିଭୂମି ସମେତ ଅଟୋମୋଟିଭ୍ ଇଲେକ୍ଟ୍ରୋନିକ୍ସରେ ପ୍ରୟୋଗ କରାଯିବ ।  କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ୨ଟି ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବା ପାଇଁ ୨୨୫୦ କୋଟି ଟଙ୍କାର ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ସେ କହିଛନ୍ତିଯେ, ଏହି ୟୁନିଟ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ୫୦ ଭାଗ, ଓଡ଼ିଶା ସରକାର ୨୫ ଭାଗ ଏବଂ ନିବେଶକ ୨୫ ପ୍ରତିଶତ ଆର୍ଥିକ ସହାୟତା ପ୍ରଦାନ କରିବେ  ।  ଭୁବନେଶ୍ୱରରେ ସେମିକଣ୍ଡକର ଉତ୍ପାଦନ ୟୁନିଟ ପାଇଁ କେନ୍ଦ୍ର ସରକାର ପ୍ରାୟ ୭୦୦ କୋଟି ଏବଂ ଓଡ଼ିଶା ସରକାର ପ୍ରାୟ ୩୫୦ ଟଙ୍କା ଦେବେ  । ଖୋର୍ଦ୍ଧାରେ ହେବାକୁ ଥିବା ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ପାଇଁ କେନ୍ଦ୍ର ସରକାର ପ୍ରାୟ ୮୦୦ କୋଟି ଏବଂ ରାଜ୍ୟ ସରକାର ପ୍ରୟ ୪୦୦ କୋଟି ଦେବେ  । ଅର୍ଥାତ୍ ଡବଲ ଇଞ୍ଜନ ସରକାର ଏଥିପାଇଁ ସର୍ବମୋଟ ୨୨୫୦ କୋଟି ଟଙ୍କା ଦେବେ  । ଓଡ଼ିଶା ସରକାର ମଧ୍ୟ ଏଥିପାଇଁ ଜମି, ଜଳ, ବିଜୁଳି ସମେତ ଆନୁଷଙ୍ଗିକ ବ୍ୟବସ୍ଥା କରାଇବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ପ୍ରଦାନ କରିବେ  ।