ନାହାନ୍ତି କ୍ରୀଡ଼ା ଶିକ୍ଷକ, କେବେ ଦିଆଯିବ ଗୁରୁତ୍ୱ
ଚିଲିକାରୁ ଭବାନୀ ଶଙ୍କର ନାୟକ : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାଥମିକ ବିଦ୍ୟାଲୟ ସ୍ତରରୁ କ୍ରୀଡାକୁ ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି । ପୂର୍ବତନ ବିଜେଡି ସରକାର ତୃଣମୂଳ ସ୍ତରରୁ କ୍ରୀଡାକୁ ଗୁରୁତ୍ୱ ନ ଦେଇ ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ କରି ସଫଳତାର ସହିତ ବିଶ୍ୱକପ ହକି ପ୍ରତିଯୋଗିତାକୁ ଆୟୋଜନ କରି ପ୍ରଶଂସିତ ହୋଇଥିଲେ । ବିଶ୍ୱକପ ଆୟୋଜନ ସମୟରେ ରାଜ୍ୟର ପଂଚାୟତ ସ୍ତରରେ ହକି ଖେଳ ବାବଦରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତ ଓ ବ୍ଲକକୁ ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ । ଏଥୁରୁ କେତେ ସଫଳତା ମିଳିଲା ସେ ବିଷୟରେ ସରକାରଙ୍କ ପାଖରେ କୌଣସି ଖବର ନ ଥିବା ଜଣା ପଡିଛି । ଏହା କରିବା ଦ୍ୱାରା ତୃଣମୂଳ ସ୍ତରରେ କ୍ରୀଡାର ଭିତିଭୂମି ଗଢିବା ନେଇ କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା । ବିଶ୍ୱସ୍ତରୀୟ ଷ୍ଟାଡିୟମ ନିର୍ମାଣ କରି ଦେଲେ ଦକ୍ଷତା ସଂପନ୍ନ ଖେଳାଳି ସୃଷ୍ଟି ହେବାର କୌଣସି ସମ୍ଭାବନା ନାହିଁ । ଦେଶ ସ୍ୱାଧୀନ ହେବା ପରେ ଆମ ରାଜ୍ୟରେ ପ୍ରାଥମିକ, ମଧ୍ୟ ଇଂରାଜୀ ଓ ମାଧ୍ୟମିକ ଶିକ୍ଷା ପ୍ରଚଳନ ହୋଇଥିଲା । ଅନେକ ମାଧ୍ୟମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ଠାରୁ ଏକାଦଶ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ସୁବିଧା ରହି ଥିଲା । ପ୍ରତ୍ୟେକ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଲେଖାଏଁ କ୍ରୀଡା ଶିକ୍ଷକ ନିଯୁକ୍ତ ହୋଇଥିଲେ । କ୍ରୀଡା ଏକ ବାଧ୍ୟତାମୂଳକ ବିଷୟ ହୋଇ ନ ଥିଲେ ମଧ୍ୟ ଆଗ୍ରହୀ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରୁଥିଲେ । ପରବର୍ତ୍ତୀ ସମୟରେ ଶିକ୍ଷାନୁଷ୍ଠାନର ବିକେନ୍ଦ୍ରୀକରଣ କରାଯାଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରୂପେ ନାମିତ କରାଗଲା । ଏକାଦଶ ଶ୍ରେଣୀକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ସାମିଲ କରିବା ଫଳରେ ମାଧ୍ୟମିକ ବିଦ୍ୟାଳୟରେ କେବଳ ଦଶମ ଶ୍ରେଣୀ ରହିଲା । ବିଗତ ଦିନରେ ଚତୁର୍ଥ ଶ୍ରେଣୀରେ ଅଧ୍ୟୟନ କରିବା ବେଳୁ ଯେଉଁ ବିଦ୍ୟାଳୟ ଗୁଡିକ ହାଇସ୍କୁଲରେ ସନ୍ନିହିତ ଥିଲେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ କ୍ରୀଡା ପ୍ରଶିକ୍ଷଣର ସୁବିଧା ପାଇ ପାରୁଥିଲେ । ଏବେ ଆଉ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ କ୍ରୀଡା ପ୍ରଶିକ୍ଷଣର ବ୍ୟବସ୍ଥା ନାହିଁ । ଦୁଃଖର ବିଷୟ ରାଜ୍ୟରେ ପ୍ରାୟ ୮ ହଜାରରୁ ଅଧିକ ମାଧ୍ୟମିକ ବିଦ୍ୟା ଦ୍ୟାଳୟ ରହିଛି । ସେହି ବିଦ୍ୟାଳୟ ଗୁଡିକ ମଧ୍ୟରୁ ଅଧିକାଂଶ କ୍ରୀଡା ଶିକ୍ଷକ ପଦବୀଟି ଶୂନ୍ୟ ପଡିଛି । ତେଣୁ ପିଲାମାନେ କ୍ରୀଡା ପ୍ରଶିକ୍ଷଣରୁ ବଞ୍ଚିତ ହେଉଛନ୍ତି । କ୍ରୀଡାର ଭିତିଭୂମିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଅନ୍ତତଃପକ୍ଷେ ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟରେ ଜଣେ ଲେଖାଏଁ କ୍ରୀଡା ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା କରିବାର ଯଥେଷ୍ଟ ଆବଶ୍ୟକତା ରହିଛି । ଏହା ଫଳରେ ତୃଣମୂଳସ୍ତରରୁ କ୍ରୀଡାର ଭିତିଭୂମିକୁ ସୁଦୃଢ କରିବା ସହିତ ଦକ୍ଷତା ସଂପନ୍ନ ଖେଳାଳି ସୃଷ୍ଟି କରାଯାଇ ପାରିବ । ଏତଦବ୍ୟତୀତ ଶିକ୍ଷା ପରି କ୍ରୀଡାକୁ ବାଧ୍ୟତାମୂଳକ କରି ପରୀକ୍ଷା ବିଷୟ ରୂପେ ଗ୍ରହଣ କରିବାର ବ୍ୟବସ୍ଥା କରା ଯିବା ଦରକାର । ଏଥିପ୍ରତି କ୍ରୀଡାପ୍ରେମୀ ଓ କ୍ରୀଡା ସଂଗଠନମାନଙ୍କ ତରଫରୁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଗକୁ ପ୍ରଚେଷ୍ଟା ଜାରି ରହିବ ।