ପିଏମ୍ ଫସଲ ବୀମା କ୍ଷୟକ୍ଷତି ଆକଳନ ଶେଷ : ଚାଷୀ ପାଇଲେଣି ୨୨ କୋଟି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅମଳ ପରବର୍ତ୍ତୀ ଫସଲ କ୍ଷତି ଆକଳନ କାର୍ଯ୍ୟ ଶେଷ ହୋଇଛି । ଆଜି ସୁଦ୍ଧା ପ୍ରାୟ ୧ ଲକ୍ଷ କ୍ଷତିଗ୍ରସ୍ତ ପ୍ଲଟ ବାବଦକୁ ମୋଟ ୨୧ କୋଟି ୯୬ ଲକ୍ଷ ଟଙ୍କା କ୍ଷତିପୂରଣ ସିଧାସଳଖ ଚାଷୀମାନଙ୍କର ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଛି । ବୀମାଭୁକ୍ତ ଚାଷୀ ଫସଲବୀମା ପୋର୍ଟାଲରେ ମୋଟ ୨ ଲକ୍ଷ ୭୨୯ଟି ପ୍ଲଟରେ କ୍ଷତି ହୋଇଥିବା ନେଇ ଆବେଦନ କରିଥିଲେ ।
ସୂଚନାଯୋଗ୍ୟଯେ, ଗତ ଡିସେମ୍ବର ମାସରେ ଦୁଇ ଥର ଅଦିନିଆ ବର୍ଷା ଯୋଗୁଁ ରାଜ୍ୟରେ ଖରିଫ ଫସଲ ବିଶେଷ କରି ଅମଳ ହୋଇ ସାରି ଜମିରେ ଥିବା ଧାନ ଫସଲର ବ୍ୟାପକ କ୍ଷୟକ୍ଷତି ପରିଲକ୍ଷିତ ହୋଇଥିଲା । ଏଥିପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପଞ୍ଜୀକୃତ ଚାଷୀମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ୭୨ ଘଣ୍ଟା ମଧ୍ୟରେ ଫସଲ ବୀମା ପୋର୍ଟାଲରେ କ୍ଷୟକ୍ଷତିର ସୂଚନା ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଅନୁମତି କ୍ରମେ ନିର୍ଦ୍ଧାରିତ ସମୟ ମଧ୍ୟରେ ସୂଚନା ପ୍ରଦାନ କରିନଥିବା ଚାଷୀମାନଙ୍କୁ ସୂଚନା ପ୍ରଦାନ ନିମନ୍ତେ ପୁନର୍ବାର ଆଉ ତିନି ଦିନ ସୁଯୋଗ ଦିଆଯାଇଥିଲା ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାଭୁକ୍ତ ପଞ୍ଜୀକୃତ ଚାଷୀ ଫସଲବୀମା ପୋର୍ଟାଲରେ ମୋଟ ୨ ଲକ୍ଷ ୭୨୯ଟି ପ୍ଲଟରେ କ୍ଷତି ହୋଇଥିବାର ଆବେଦନ କରିଥିଲେ । ତନ୍ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୪୭,୯୬୯ ସଂଖ୍ୟକ ଆବେଦନ ପତ୍ର ମିଳିଥିବା ବେଳେ ଗଞ୍ଜାମ ସମେତ ଗଜପତି, ପୁରୀ, କେନ୍ଦ୍ରାପଡା, ନୟାଗଡ, କଟକ,ଖୋର୍ଦ୍ଧା ଏବଂ ଜଗତସିଂହପୁର ଜିଲ୍ଲାରୁ ମୋଟ ୧,୬୨,୯୭୨ ସଂଖ୍ୟକ ଆବେଦନ ପତ୍ର ମିଳିଥିଲା । ଏହି ସମସ୍ତ ଆବେଦନକୁ ଭିତ୍ତି କରି ତୁରନ୍ତ କ୍ଷେତ୍ରୀୟ ସ୍ତରରେ ଫସଲ କ୍ଷତି ଆକଳନ କାର୍ଯ୍ୟ ତୁରନ୍ତ ଶେଷ କରିବା ପାଇଁ ୪ ବୀମା କମ୍ପାନୀଙ୍କୁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଥିଲେ । ବୀମା କମ୍ପାନୀ ପକ୍ଷରୁ ଅମଳ ପରବର୍ତ୍ତୀ ଫସଲ କ୍ଷୟକ୍ଷତି ଆକଳନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବୀମା କମ୍ପାନୀ ପକ୍ଷରୁ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ଜାରି ରହିଛି । କୃଷି ବିଭାଗ ଓ ସମବାୟ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀମାନେ ପ୍ରତ୍ୟକ୍ଷ ଭାବେ ତଦାରଖ ଓ ସମୀକ୍ଷା କରୁଛନ୍ତି ।