ନିବନ୍ଧନ ଓ ଭୂଅର୍ଜନ ଅଧିକାରୀଙ୍କ ମନମୁଖୀ କାମ : ଜମିହରା ଆଦିବାସୀ ମହିଳା ହନ୍ତସନ୍ତ


ାା ପ୍ରଭାନୁ୍ୟ ।ା ବୈରୀ,୧୩ା୧: ରେଙ୍ଗାଲୀ ଦକ୍ଷିଣ କେନାଲ ଜମି ଅଧିଗ୍ରହଣରେ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ସାଧାରଣ ଲୋକ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବାର ଅଭିଯୋଗ ହୋଇଛି । ବଡ଼ଚଣା ବ୍ଳକ ସମିଆଁ ଗ୍ରାମର ଜଣେ ଆଦିବାସୀ ମହିଳା ଭାବି ସାମଲ (୭୪)ଙ୍କ ଜମି ବିକ୍ରି ହୋଇ ପାରୁ ନଥିବାରୁ ସେ ମାନସିକ ଅଶାନ୍ତିରେ ଅଛନ୍ତି । ଖାତା ନଂ ୯୩୨ ପ୍ଳଟ୍ ନଂ ୭୧୪ର ୨୮ଡିସିମିଲ ଜାଗାରୁ ୮ଡିସିମିଲ ରେଙ୍ଗାଲୀ ଦକ୍ଷିଣ କେନାଲ ସିଷ୍ଟମରେ ଅଧିଗ୍ରହଣ ହୋଇସାରିଛି । ଜୀବନର ସାୟାହ୍ନରେ ପଦାର୍ପଣ କରିଥିବାରୁ ବାକି ୨୦ଡିସିମିଲ ଜାଗାକୁ ସେ ବିକ୍ରି କରିବାକୁ ଚାହୁଁଛନ୍ତି । ମାତ୍ର ଏହି ପ୍ଲଟ୍ଟି ଫ୍ରୀଜ୍ ହୋଇ ରହିଥିବାରୁ ଏହା ବିକ୍ରୀ ହୋଇ ପାରୁନାହିଁ । ଏଥିପାଇଁ ସେ ରେଙ୍ଗାଲୀ ଦକ୍ଷିଣ ଜଳସେଚନ ପ୍ରକଳ୍ପର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ତା୪ା୯ା୨୦୨୪ରେ ଆବେଦନ କରିଥିଲେ । ଜୋନ୍-୨ର ଭୂଅର୍ଜନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏଥିନେଇ ଏକ ଅନୁମତି ପତ୍ର ଆବେଦନକାରୀ ଭାବି ସାମଲ ଓ ଏକ କିତା ନକଲ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ନକ୍ସା ସହ ଜଣାଇଥିଲେ । ଏହାର ଏକକିତା ନକଲ ବଡଚଣା ଉପ ନିବନ୍ଧନ କାର୍ଯ୍ୟଳୟକୁ ଜଣାଯାଇ ନଥିବାରୁ ସେତେ ବେଳର ସବ୍ ରେଜିଷ୍ଟ୍ରାର ଜମିଖର୍ଦି ବିକ୍ରି ହୋଇପାରିବ ବୋଲି ରାଜି ହୋଇଥିଲେ । ସେହି ଅନୁସାରେ କାଗଜପତ୍ର ପ୍ରସ୍ତୁତ ହୋଇଥିଲା । ବଡଚଣାର ନୂଆ ସବ୍ରେଜିଷ୍ଟ୍ରାର କିନ୍ତୁ ତାଙ୍କୁ ଚିଠି ନହେଲେ ଜମି ଖର୍ଦି ବିକ୍ରି ହୋଇ ପାରିବ ନାହିଁ ବୋଲି ଜଣାଇଥିଲେ । ଏଥିନେଇ ବଡ଼ଚଣା ସବ୍ରେଜିଷ୍ଟ୍ରାର ଅଫିସ ପକ୍ଷରୁ ଏକ ଚିଠି ତା୧୨ା୧୨ା୨୪ରେ ରେଙ୍ଗାଲୀ ଦକ୍ଷିଣ କେନାଲ ସିଷ୍ଟମର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ଉଚିତ ଫର୍ମାଟ୍ ପଠାଇବା ପାଇଁ କୁହାଯାଇଛି । ଭାବି ସାମଲ ବାରମ୍ବାର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ସ୍ନିଗ୍ଧା ଛାୟା ମହାପାତ୍ର, ଜୋନ୍-୨ ଭୂଅର୍ଜନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରେଙ୍ଗାଲୀ ଦକ୍ଷିଣ ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀଙ୍କୁଭେଟି ଅଭିଯୋଗ କରିବା ପରେ ମଧ୍ୟ କିଛି ଫଳ ହେଉନାହିଁ । ଗତ ତା୧୦ା୧୨ା୨୪ରେ କାଗଜ ପତ୍ର କାମ କରାଯାଇ ଥିବାରୁ ଠିକ୍ ସମୟରେ ଅନୁମତି ନମିଳିଲେ ସେଲ୍ ଡିଡ୍ ବାଜ୍ୟାପ୍ତି ହୋଇଯିବ । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସାଧାରଣ ଲୋକଙ୍କୁ ଜାଣିଶୁଣି ଅଯଥାରେ ଆଇନର ଜାଲରେ ଛନ୍ଦି ହଇରାଣ କରାଯାଉଛି । ଭାବି ସାମଲଙ୍କ ସମସ୍ୟା ଭାତ ହାଣ୍ଡିରୁ ଗୋଟିଏ । ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏହାର ଏକ କିତା ନକଲ ବଡଚଣା ସବ୍ରେଜିଷ୍ଟ୍ରାରଙ୍କୁ ପଠାଇବାରେ ଅସୁବିଧା କେଉଁଠି ଥିଲା । ତାଙ୍କୁ ତାଙ୍କ କାର୍ଯ୍ୟ ମାଲୁମ ନାହିଁ କି ସେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏଭଳି କଲେ । ଜଣେ ସବ୍ରେଜିଷ୍ଟ୍ରାର ସେହି ଚିଠିରେ ଖର୍ଦି ବିକ୍ରି ହୋଇପାରିବ ବୋଲି ପ୍ରତିଶ୍ରୁତି ଦେଇଥିବା ବେଳେ ଅନ୍ୟ ଜଣେ କିପରି ମନା କରୁଛନ୍ତି । ମୁଖ୍ୟଯନ୍ତ୍ରୀ ଓ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କୁ ଦରଖାସ୍ତ କରି ବାରମ୍ବାର ଭେଟିଲା ପରେ ଅନୁମତି ପତ୍ର ବିଳମ୍ବ ହେବାର କାରଣ କଣ ତାହା ନିହାତି ତଦନ୍ତ ସାପେକ୍ଷ । ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଭୀମ ଆର୍ମି ପକ୍ଷରୁ ଦାବି କରାଯାଇଛି ।