ଜନ ସାଧାରଣଙ୍କ ନିକଟତର ହୁଅ ; ପୁଲିସ ଡ଼ିଜିପି

ଭୁବନେଶ୍ୱର : କଟକରେ ରାଜ୍ୟ ପୁଲିସ ପାଳିଛି ୮୯ତମ ପୁଲିସ ପ୍ରତିଷ୍ଠା ଦିବସ । ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପଡିଆରେ ପୁଲିସ ଡିଜି ଅରୁଣ ଷଡଙ୍ଗୀ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ରାଜ୍ୟର ସଫଳ ପୁଲିସ ଅଧିକାରୀ ମାନଙ୍କୁ ପଦକ ପ୍ରଦାନ କରାଯାଇଥିଲା । ରାଜ୍ୟରେ ମାଓ ଦମନ କ୍ଷେତ୍ରରେ ଓଡିଶା ପୁଲିସକୁ ବେଶ ସଫଳତା ମିଳିଛି । ରାଜ୍ୟର ଅଧିକାଂଶ ଜିଲ୍ଲା ମାଓ ମୁକ୍ତ ହୋଇଯାଇଥିବା ବେଳେ କିଛି ଜିଲ୍ଲାରେ ମାଓବାଦୀଙ୍କୁ ଦମନ କରିବା ପାଇଁ ପୁଲିସର ଉଦ୍ୟମ ଜାରି ରଖିଛି । ପୁଲିସ ଅଧିକରୁ ଅଧିକ ଜନ ସାଧାରଣଙ୍କ ନିକଟତର ହୋଇ ସେବା ପ୍ରଦାନ କରିବାକୁ ଡିଜି ପରାମର୍ଶ ଦେଇଛନ୍ତି । ଏଥି ସହ ଜନସାଧାରଣ ମଧ୍ୟ ପୁଲିସକୁ ସହଯୋଗ କରିବା ଆବଶ୍ୟକ ବୋଲି ଡିଜି କହିଛନ୍ତି । ରାଜ୍ୟ ପୁଲିସ ଅପରାଧ ନିୟନ୍ତ୍ରଣ ଓ ତଦନ୍ତ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଜାତୀୟ ସ୍ତରରେ ବେଶ ପ୍ରଶଂସା ହାସଲ କରିପାରିଛି । ଓଡିଶା ପୁଲିସର ଟେକ୍ନୋଲୋଜିକୁ ଅଧିକ ଆଗକୁ ନେବା ସହ ଶାଣିତ କରିବା ପାଇଁ ସର୍ବଦା ଉଦ୍ୟମ ଜାରି ରଖିଥିବା କହିଛନ୍ତି ପୁଲିସ ଡିଜି ଅରୁଣ ଷଡଙ୍ଗୀ । ତେବେ ଏହି ଅବସରରେ ପଦକ ପାଇଥିବା ପୁଲିସ ଅଧିକାରୀ ମାନେ କହିଛନ୍ତି ପୁଲିସ ପଦକ ପାଇବା ଏକ ମହତ୍ୱର୍ପୂର୍ଣ୍ଣ । ଯାହା ପୁଲିସକୁ ଆହୁରି ଅଧିକରୁ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇଥାଏ ବୋଲି ବିଭିନ୍ନ ଜିଲ୍ଲାର ପୁଲିସ ଅଧିକାରୀମାନେ କହିଛନ୍ତି । ସେହିଭଳି, ଆଜି ଭୁବନେଶ୍ୱରସ୍ଥିତ ସପ୍ତମ ବାଟାଲିୟନ ପ୍ୟାରେଡ ଗ୍ରାଉଣ୍ଡ ଠାରେ ମଧ୍ୟ ଓଡ଼ିଶା ପୁଲିସର ୮୯ତମ ପ୍ରତିଷ୍ଠା ଦିବସ ଖୁବ୍ ସାମାରୋହରେ ପାଳିତ ହୋଇଯାଇଛି । ଆଜିର ଏହି ପୁଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ପ୍ୟାରେଡ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ପ୍ୟାରେଡରେ କମିଶନରେଟ୍ ପୁଲିସ ବିଭାଗରେ କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ମିଶାଇ ମୋଟ ୯ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଭୁବନେଶ୍ୱର-କଟକ ଦ୍ୱୈତନଗରୀର ଅତିରିକ୍ତ ପୁଲିସ କମିଶନର ଅଭିନାଶ କୁମାର ଭୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହିତ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସମେତ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଏହି ପ୍ୟାରେଡ କାର୍ଯ୍ୟକ୍ରମ ସମୟରେ ଉପସ୍ଥିତ ରହି ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଆଜିରି ମୁଖ୍ୟ ଅତିଥି, ଚାକିରି ଜୀବନରେ ନିସ୍ୱାର୍ଥପର ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିବା କିଛି ପୁଲିସ କର୍ମଚାରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।