ସାଧାରଣ ନିର୍ବାଚନକୁ ନେଇ ଆକ୍ସନ ମୋଡରେ ଚନ୍ଦକା ପୁଲିସ ୫ ଦେଶୀ ମଦ ବେପାରୀ ଗିରଫ

ଭୁବନେଶ୍ୱର : ରାଜଧାନୀରେ ବଢ଼ୁଛି ନିଶା କାରବାର । ପୁଲିସକୁ ଚକମା ଦେଇ ବିଭିନ୍ନ ତରିକା ଆପଣାଇ ନିଶା ମାଫିଆ ମାନେ କରୁଛନ୍ତି ନିଶା କାରବାର । ଯାହାକୁ ନେଇ ଚିନ୍ତାରେ କମିଶନରେଟ୍ ପୁଲିସ । ଫଳରେ ଆଗକୁ ଆସୁଥିବା ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ରାଜଧାନୀ ଓ ରାଜଧାନୀ ଉପକଣ୍ଠରେ ଚାଲିଥିବା ନିଶା କାରବାର, ଅପରାଧ, ଲୁଟ୍, ଛିନତାଇ, ଗୋଷ୍ଠି କନ୍ଦଳକୁ ରୋକିବା ପାଇଁ ଏବେ ଆକ୍ସନ ମୋଡରେ ଟୁଇନ୍ସିଟି ପୁଲିସ କମିଶନର ଓ ଡ଼ିସିପି ଭୁବନେଶ୍ୱର । ସିପି ଡିସିପିଙ୍କ କଡ଼ା ନିଦେ୍ର୍ଦଶ କ୍ରମେ କମିଶନରେଟ୍ ପୁଲିସର ବିଭିନ୍ନ ଥାନାର ଅଧିକାରୀ, ଜୋନ୍ ଏସିପି, ଥାନା ମାନଙ୍କରେ ଗଠନ ହୋଇଥିବା ସ୍ପେଶାଲ ସ୍କ୍ୱାର୍ଡ ଟିମ ଦିନ ରାତି ଏକ କରି ନିଜ ନିଜ ଅଞ୍ଚଳରେ ଚଳାଇଛନ୍ତି ଚେକିଂ, ବ୍ଲକିଂ, ପାଟ୍ରୋଲିଂ । ଫଳରେ ପ୍ରତେକ ଦିନ ବିଭିନ୍ନ ଥାନା ପୁଲିସ ନିଶା ବେପାରୀ, ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି ।
ସେହିଭଳି ଗତକାଲି ରାତିରେ ଚନ୍ଦକା ଥାନା ଅଧିକାରୀ ପ୍ରଦୀପ୍ ଜେନାଙ୍କ ନିଦେ୍ର୍ଦଶ କ୍ରମେ ଥାନାର ସ୍କ୍ୱାର୍ଡ ଟିମ ଚନ୍ଦକା ପାଟଣା, ଦାରୁଠେଙ୍ଗ, ସିମିଳିପାଟଣା, ମହୁଲ ଏବଂ କୁଜିମହଲ ଅଞ୍ଚଳରେ ଚଢ଼ାଉ କରି ୫ ଜଣ ଦେଶୀ ମଦ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୩୦୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୁଲ୍ୟ ୫ ଲକ୍ଷ ଟଙ୍କା ହେବ । ଏହି ବେପାରୀ ମାନେ ପ୍ରାୟତ ଆଠଗଡ଼ ଅଞ୍ଚଳରୁ ଚୋରାରେ ମଦ ମାଫିଆଙ୍କ ଠାରୁ ଦେଶୀ ମଦ ଆଣି ନିଜ ନିଜ ଅଞ୍ଚଳରେ ବିକ୍ରି କରିଆସୁଥିଲେ । ଗିରଫ ୫ ଅଭିଯୁକ୍ତ ହେଲେ, ମହୁଲର ଚିନ୍ମୟ ମହାରଣା, ଚନ୍ଦକା ପାଣିଆରର ପ୍ରାଣକୃଷ୍ଠ ପରିଡ଼ା, ସିମିଳିପାଟଣାର ମାନସ ଭୋଇ, ଦାରୁଠେଙ୍ଗ ତଳସାହିର ତପନ ପାଇକରାୟ ଓ ଚନ୍ଦକା ପାଟଣା ଭୋଇ ସାହିର ମନୋଜ ଦାସ । ଏମାନଙ୍କ ନାମରେ ପୂର୍ବରୁ ମଧ୍ୟ ଥାନାରେ ମାମଲା ରହିଥିବା ବେଳେ ଏମାନଙ୍କୁ ମଦ ଯୋଗାଉଥିବା ମଦ ମାଫିଆଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଥିବା ଜୋନ୍-୬ ଏସିପି ରମେଶ ବିଷୋଇ ସୂଚନା ଦେଇଛନ୍ତି ।