ଯୁବକଙ୍କୁ କଟୁରୀରେ ହାଣି ମୋବାଇଲ ଲୁଟ୍ ; ଦୁଇ ଲୁଟେରା ଗିରଫ
ଭୁବନେଶ୍ୱର : ଘରକୁ ଫେରୁଥିବା ବେଳେ ରବୀନ୍ଦ୍ର ମଣ୍ଡପ ଛକରେ ଜଣେ ଯୁବକଙ୍କୁ ଅଟକାଇ କଟୁରୀରେ ହାଣି ମୋବାଇଲ ଲୁଟ୍ । ଲୁଟ୍ ଘଟଣାରେ ଆଜି ୨ ଜଣ ଲୁଟେରାଙ୍କୁ ଗିରଫ କରିଛି ଖାରବେଳନଗର ଥାନା ପୁଲିସ । ପରେ ସେମାନଙ୍କ ଠାରୁ ଏକ ମୋବାଇଲ ଓ କଟୁରୀ ଜବତ କରାଯାଇଛି । ପରେ ଥାନା କେସ ନମ୍ବର ୧୬୧ରେ ମାମଲା ରୁଜୁକରି ଦଫା, ୩୯୪, ୩୯୭ରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ, ଗଞ୍ଜାମ ଜିଲ୍ଲାର ବିକାଶ ବେହେରା ଓ ରିଙ୍କୁ ବେହେରା । ଏମାନେ ଏଠାରେ ମାଆ ମଙ୍ଗଳା ବସ୍ତିରେ ରହି ଏଭଳି ଷ୍ଟେସନକୁ ଆସୁଥିବା ଓ ଏକା ରାସ୍ତାରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରି ଲୁଟ୍ପାଟ୍ କରିଆସୁଥିଲେ ।
ସୂଚନାଯୋଗ୍ୟ ଯେ, ଗତ ତା ୩୦.୦୩.୨୦୨୪ ରିଖ ରାତିରେ ଅଭିଯୋଗକାରୀ ଜିତେନ୍ଦ୍ର ଦାସ ଭୁବନେଶ୍ୱର ରେଲୁୱେ ଷ୍ଟେସନରୁ ବାଇକରେ ଘରକୁ ଫେରୁଥିଲେ । ଏହି ସମୟରେ ୨ ଜଣ ଅଭିଯୁକ୍ତ ଏକ ସ୍କୁଟି ଯୋଗେ ତାଙ୍କର ପିଛା କରି ରବୀନ୍ଦ୍ର ମଣ୍ଡପ ଚକରେ ଅଟକାଇଥିଲେ । ପରେ ତାଙ୍କୁ କଟୁରୀ ଦେଖାଇ ଟଙ୍କା ଓ ମୋବାଇଲ ମାଗିଥିଲେ । ହେଲେ ଅଭିଯୋଗକାରୀ ଜଣଙ୍କ ଦେବାକୁ ମନା କରିଥିଲେ । ଏତିକି ବେଳେ ଅଭିଯୁକ୍ତ ମାନେ ତାଙ୍କୁ କଟୁରୀରେ ହାଣି ତାଙ୍କ ପକେଟରୁ ମୋବାଇଲ ନେଇ ଫେରାର ହୋଇଯାଇଥିଲେ । ଏନେଇ ଅଭିଯୋଗକାରୀ ଜଣଙ୍କ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ୨ ଲୁଟେରାଙ୍କୁ ୟୁନିଟ୍-୩ ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଛି ।