ନବରଙ୍ଗପୁର ମଇଦାନରେ ଚାରି ମହିଳା ପ୍ରାର୍ଥୀ

ନବରଙ୍ଗପୁରରୁ ଲକ୍ଷ୍ମୀକାନ୍ତ ପଣ୍ଡା : ଜିଲ୍ଲା ପାଇଁ ବିଜେଡି ଓ କଂଗ୍ରେସର ନୂଆ ପ୍ରୟାସ । ଜିଲ୍ଲାର ଅଧାରୁ ଅଧିକ ମହିଳା ଭୋଟର ମହିଳା ହୋଇଥିବାରୁ ୫୦ ପ୍ରତିଶତ ହାରରେ ମହିଳା ପ୍ରାର୍ଥୀଙ୍କୁ ସୁଯୋଗ ଦେଇଛି । ଯାହାର ପ୍ରଭାବ ନିର୍ବାଚନ ଉପରେ କେତେ ପଡ଼ିବ ଏବେ ଠାରୁ କହିବା ମୁସ୍କିଲ । କିନ୍ତୁ ମହିଳାଙ୍କୁ ଅଗ୍ରାଧିକାର ଦେଉଥିବା ବାର୍ତ୍ତା ପ୍ରତ୍ୟେକ ଭୋଟରଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି । ଅନ୍ୟପକ୍ଷରେ ବିଜେପି ୪ ବିଧାନସଭା ଆସନରୁ ଗୋଟିଏ ହେଲେ ମହିଳା ପ୍ରାର୍ଥୀ ଦେଇନାହିଁ । ବଡ଼ କଥା ହେଲା ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ବିଜେପିର ଜଣେ ବି ମହିଳା ପ୍ରାର୍ଥୀ ନାହାନ୍ତି । ନବରଙ୍ଗପୁର ଜିଲ୍ଲାରେ ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ । ମୋଟ ୮୫୦୯୮୪ ଭୋଟର ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୪୨୦୭୩୭ ହୋଇଥିବା ବେଳେ ୪୩୦୨୪୮ ଜଣ ମହିଳା ଭୋଟର ଅଛନ୍ତି । ନିର୍ବାଚନରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମତ ଦାନ ହାର ରହିଥିବା ପୂର୍ବରୁ ଦେଖିବାକୁ ମିଳିଛି । ଏସବୁ କାରଣ ଯୋଗୁଁ ବିଜେଡି ଓ କଂଗ୍ରେସ ଦୁଇ ପାଦ ଆଗୁକୁ ଯାଇ ମହିଳା କାର୍ଡ ଖେଳିଛି । ନବରଙ୍ଗପୁର ବିଧାନସଭା ଆସନରେ ବିଧାୟକ ସଦାଶିବ ପ୍ରଧାନୀଙ୍କ ଟିକେଟ କାଟି ବିଜେଡି ତାଙ୍କ ପନôୀ କୌଶଲ୍ୟା ପ୍ରଧାନୀଙ୍କୁ କରିଛି । ସେହିପରି ଉମରକୋଟ ପୂର୍ବତନ ବିଧାୟକ ସୁବାସ ଗଣ୍ଡଙ୍କ ବଦଳରେ ତାଙ୍କ ପନôୀ ନବିନା ନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି । ସେହିପରି ସମାନ ସୂତ୍ରରେ ଡାବୁଗାଁ ବିଧାନସଭା ଆସନରେ ପୂର୍ବତନ ବିଧାୟକ ତଥା କଂଗ୍ରେସର ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀଙ୍କ ଝିଅ ଡ,ଲିପିକା ମାଝୀଙ୍କୁ ପ୍ରାର୍ଥୀ କରିଛି । ଝରିଗାଁ ବିଧାନସଭା ଆସନରୁ କଂଗ୍ରେସ ହାରା ବତୀ ଗଣ୍ଡଙ୍କୁ ପ୍ରାର୍ଥୀ କରିଛି । ସୂଚନା ଯୋଗ୍ୟ ଏହି ସମସ୍ତ ମହିଳା ଏଥର ପ୍ରଥମ ଥର ପାଇଁ ବିଧାନସଭା ଆସନରୁ ଲଢ଼ୁଛନ୍ତି । ବର୍ଷକ ତଳେ ସ୍ୱାମୀ ସଦାଶିବଙ୍କ ସହ ରାଜନୀତିରେ ସକ୍ରିୟ ହୋଇଥିଲେ କୌଶଲ୍ୟା ରାଜନୈତିକ ସଭା ସହ ବିଭିନ୍ନ କାର୍ଯ୍ୟ କ୍ରମରେ ସାମିଲ ହେଉଥିଲେ । ଉମରକୋଟର ପ୍ରାର୍ଥିନୀ ନବିନା ନାୟକ ଲମ୍ବା ରାଜନୈତିକ ଜୀବନରେ ବ୍ଲକ୍ ଅଧ୍ୟକ୍ଷା ଭାବରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦୁଇ ଥର ସମ୍ଭାଳିଛନ୍ତି ।ଏବେ ମଧ୍ୟ ରାଇଘର ବ୍ଲକ ଅଧ୍ୟକ୍ଷା ଅଛନ୍ତି ।ସେହିପରି ଡ଼ା,ଲିପିକା ମାଝୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜନୀତିକୁ ଆସି ପାପଡ଼ାହାଣ୍ଡି ବ୍ଲକ୍ ଜୋନ୍ ୨ରୁ ଜିଲ୍ଲା ପରିଷଦ ସଭ୍ୟା ଅଛନ୍ତି । ହାରା ବତୀ ଗଣ୍ଡ ଝରିଗାଁ ଅଞ୍ଚଳରେ ଆଦିବାସୀ ଜମି, ଜଳ ଓ ଜଙ୍ଗଲ ଅଧିକାର ପାଇଁ ସଂଗ୍ରାମ କରି ଚର୍ଚ୍ଚିତ ହୋଇଛନ୍ତି । ଚଳିତ ନିର୍ବାଚନରେ ଏହି ୪ ଜଣଙ୍କ ମଧ୍ୟରୁ କାହାକୁ ଗୁରୁତ୍ୱ ଦେଉଛନ୍ତି ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ।