‘ମହାୟୁତି’ର ଜିତ୍‌ : ମହାରାଷ୍ଟ୍ର ପୌର ନିର୍ବାଚନରେ ୭୫% କବଜା

 ‘ମହାୟୁତି’ର ଜିତ୍‌ : ମହାରାଷ୍ଟ୍ର ପୌର ନିର୍ବାଚନରେ ୭୫% କବଜା

ମୁମ୍ବାଇ : ମହାରାଷ୍ଟ୍ର ସହରାଞ୍ଚଳ ନିର୍ବାଚନରେ ଶାସକ ‘ମହାୟୁତି’କୁ ବିଶାଳ ବିଜୟ ମିଳିଛି । ବିଜେପି ନେତୃତ୍ୱାଧୀନ ମେଣ୍ଟ ଦମଦାର ପ୍ରଦର୍ଶନ କରିଛି । ଏହି ନିର୍ବାଚନରେ ଶାସକଙ୍କୁ ଚେକ୍‌ ଦେବା ପାଇଁ ବିରୋଧୀ ମେଣ୍ଟ ମହାବିକାଶ ଅଘାଡ଼ି ରଣନୀତି କରିଥିଲେବି ସଫଳ ହୋଇପାରିନାହାନ୍ତି । ଡିସେମ୍ବର ୨ ଓ ଡିସେମ୍ବର ୨୦ରେ ଦୁଇ ପର୍ଯ୍ୟାୟରେ ମତଦାନ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ୨୬୩ ସହରାଞ୍ଚଳ ଓ ଦ୍ୱିତୀୟ ପର୍ଯ୍ୟାୟରେ ୨୩ କାଉନସିଲ ପାଇଁ ମତଦାନ ହୋଇଥିବାବେଳେ ଆଜି ଭୋଟ୍‌ ଗଣତି ହୋଇଥିଲା । ରିପୋର୍ଟ ଲେଖା ହେବାବେଳକୁ ବିଜେପି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି । ୨୮୩ ମୁନିସପାଲଟି ମଧ୍ୟରୁ ବିଜେପି ୧୨୯ ମୁନିସପାଲଟି କବଜା କରିବାରେ ସଫଳ ହୋଇଛି । ସବୁଠାରୁ ମଜାର କଥା ହେଉଛି ଲୋହା ମୁନିସପାଲ କାଉନସିଲରେ ବିଜେପିକୁ ଫ୍ୟାମିଲି ପ୍ୟାକ୍‌ ଝଟକା ଲାଗିଛି । ସେଠାରେ ପ୍ରେସିଡେଣ୍ଟ ପଦବୀ ପାଇଁ ଗଜାନନ ସୂର୍ଯ୍ୟବଂଶୀ ଲଢୁଥିବାବେଳେ କାଉନସିଲର ଭାବେ ୫ ଜଣ ସମ୍ପର୍କୀୟ ଲଢୁଥିଲେ । ତେବେ ସମସ୍ତ ୬ ଜଣଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ସେଠାରେ ଅଜିତ ପାୱାରଙ୍କ ଏନସିପି ବିଜୟ ହାସଲ କରିଛି ।


   ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ କହିଛନ୍ତିଯେ, ବିଜେପି ଓ ମହାୟୁତିକୁ ବିପୁଳ ଜନସମର୍ଥନ କିଳିଛି । ପ୍ରାୟ ୭୫ ମୁନସିପାଲ କାଉସନିଲରେ ଦଳର ଅଧ୍ୟକ୍ଷ ବାଜିମାତ୍‌ କରିଛନ୍ତି । ବିଜେପି ୧୨୯ ମୁନସିପାଲ ଚେୟାରମ୍ୟାନ ପଦବୀ ହାତେଇଥିବାବେଳେ ୩୩ ଶହ କର୍ପୋରେଟର ବିଜୟୀ ହୋଇଛନ୍ତି । ଅପରପକ୍ଷରେ ଏକନାଥ ସିନ୍ଦେଙ୍କ ଶିବସେନାକୁ ୫୯ ସ୍ଥାନରେ ସଫଳତା ମିଳିଥିବାବେଳେ ଅଜିତ ପାୱାରଙ୍କ ଏନସିପିକୁ ୩୭ ସ୍ଥାନରେ ସଫଳତା ମିଳିଛି । ସେହିପରି ମହାରାଷ୍ଟ୍ର ବିକାଶ ଆଘାଡ଼ିକୁ ୪୯ ସ୍ଥାନରେ ସଫଳତା ମିଳିଥିବାବେଳେ କଂଗ୍ରେସ କେବଳ ୩୨ ସ୍ଥାନରେ ସଫଳ ହୋଇଛି ।