ବାଜି ମାରିବାକୁ ବିଶ୍ୱଙ୍କ ସମରସଜ୍ଜା; କୋରେଇରେ ଆକାଶଙ୍କ ରଣନୀତି

ବାଜି ମାରିବାକୁ ବିଶ୍ୱଙ୍କ ସମରସଜ୍ଜା; କୋରେଇରେ ଆକାଶଙ୍କ ରଣନୀତି

ଯାଜପୁର : ଆଜି ହେଲାନି, ଅମୁକ ଦିନ ହେବ  । ଏମିତି ଭିତରେ ବରୀରେ ବିଜେପି ଏବଂ କୋରେଇରେ ବିଜେଡ଼ି ପ୍ରାର୍ଥୀ ଘୋଷଣା ଗଡ଼ି ଚାଲିଛି । ପଦ୍ମ ଘୁଞ୍ଚିବା ପରି ଘୋଷଣା ଯେତିକି ବିଳମ୍ବ ହେଉଛି, ଆଶାୟୀ ଓ ସମର୍ଥକଙ୍କ ମନରେ ଚିନ୍ତା ସେତିକି ଘାରିବାରେ ଲାଗିଛି । ଉଭୟ ବିଜେପି ଏବଂ ବିଜେଡ଼ି ପ୍ରାର୍ଥୀ ଘୋଷଣା ବିଳମ୍ବ ପଛରେ ଯାହାବି କାରଣ ଥାଉନା କାହିଁକି ପ୍ରତିପକ୍ଷ ଦଳର ପ୍ରାର୍ଥୀ କିନ୍ତୁ ପ୍ରତିଦିନ ଆଗକୁ ଆଗକୁ ମାଡ଼ି ଚାଲୁଛନ୍ତି । ବରୀରୁ ବିଜେଡ଼ିର କିଏ ହେବ ପ୍ରାର୍ଥୀ ତାହାକୁ ନେଇ କିଛିଦିନ ଧରି ଲାଗି ରହିଥିବା ସସପେନ୍ସ ହଟିବା ପରେ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲିକ କାଳବିଳମ୍ବ ନକରି ପ୍ରଚାର ମଇଦାନକୁ ଓହ୍ଲାଇପଡ଼ିଛନ୍ତି । ୧୦ବର୍ଷର ପରିଶ୍ରମର ଫଳ ପାଇବାକୁ ବିଶ୍ୱ ନିର୍ବାଚନ ମଣ୍ଡଳୀର ୪୭ ପଞ୍ଚାୟତରୁ ନିର୍ବାଚିତ ଦଳୀୟ ପଞ୍ଚାୟତ ପ୍ରତିନିଧିଙ୍କୁ ଏକାଠି କରିବା ଆରମ୍ଭ କରିଛନ୍ତି । ବରୀ ବ୍ଲକର ୨୯ ପଞ୍ଚାୟତରୁ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ବିଶ୍ୱଙ୍କ ବିଜୟ ବାନା ଉଡ଼ାଇବାକୁ ଏକାଠି ହୋଇଥିବା ବେଳେ ରସୁଲପୁର ବ୍ଲକର ୧୦ ପଞ୍ଚାୟତ ପ୍ରତିନିଧିଙ୍କୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏକାଠି କରି ବିଜେଡ଼ି ବିଜୟ ପତାକା ଉଡ଼ାଇବାକୁ ସଂକଳ୍ପ କରାଇଛନ୍ତି । ଯାଜପୁର ବ୍ଲକ ଅନ୍ତର୍ଗତରେ ଥିବା ୮ ପଞ୍ଚାୟତ ପ୍ରତିନିଧିଙ୍କୁ ଯାଜପୁର ବିଧାୟକ ପ୍ରତିନିଧି ଭବ ପ୍ରସାଦ ଦାସ ବିଶ୍ୱଙ୍କ ସହପାଦ ମିଳାଇ ଚାଲିବାର ପରାମର୍ଶ ଦେଇଛନ୍ତି । ଗାଏମୋଟ ୪୭ ପଞ୍ଚାୟତର ପଞ୍ଚାୟତ ପ୍ରତିନିଧି ବିଶ୍ୱଙ୍କ ପାଇଁ ଅଣ୍ଟାଭିଡ଼ି ବାହାରିବାକୁ ପ୍ରସ୍ତୁତ ହୋଇସାରିଥିବା ବେଳେ ବିଶ୍ୱ ଜୋନ, ପଞ୍ଚାୟତସ୍ତରରେ ବରିଷ୍ଠ, ଯୁବ, ମହିଳା ବର୍ଗଙ୍କୁ ଭେଟି ବରୀ ବାଜିମାରିବାକୁ ସମରସଜ୍ଜା ଚଳାଇଛନ୍ତି । ବିଶ୍ୱ ପ୍ରାର୍ଥୀ ହେବା ପରେ ଅନ୍ୟତମ ଆଶାୟୀ ଥିବା ବିଧାୟୀକା ସୁନନ୍ଦା ଦାସ ତିବ୍ର ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲେ ହେଁ କୌଣସି ବିକଳ୍ପ ପ୍ରତିକ୍ରିୟା ଦେଖିବାକୁ ମିଳିନି । କୁହାଯାଉଛି କି ବିଜେଡ଼ି ହାଇକମାଣ୍ଡଙ୍କ ପରାମର୍ଶକୁ ଗ୍ରହଣ କରି ସୁନନ୍ଦା ନିରବ ରହିଥିବା ବେଳେ ତାଙ୍କ ରାଜନୈତିକ ପରାମର୍ଶର୍ଦାତା ତଥା ସ୍ୱାମୀ ଦେବେନ୍ଦ୍ର ସାମଲ ଅନ୍ୟଜିଲାକୁ ଯାଇ ବିଜେଡ଼ି ପ୍ରଚାର କାର୍ଯର୍୍ୟ ସଞ୍ଚାଳନକରୁଛନ୍ତି । ବରୀରେ ବିଶ୍ୱ-ସୁନନ୍ଦା ବିଜେଡ଼ିର ହୋଇଥିଲେ ହେଁ ପଞ୍ଚାୟତ ନିର୍ବାଚନ ସମୟରୁ ସମାନ୍ତରାଳ ସଂଗଠନ ମୁଣ୍ଡ ଟେକିଥିଲା । ଉଭୟ ଗୋଟିଏ ଦଳର ଛତ୍ରଛାୟା ତଳେ ରହିଥିଲେ ବି ନିଜସ୍ୱ ସଂଗଠନ ବୃଦ୍ଧିଦିଗରେ କାର୍ଯ୍ୟ କରୁଥିଲେ । ପ୍ରାର୍ଥୀଭାବେ ଘୋଷଣା ପରେ ବିଶ୍ୱ ସୁନନ୍ଦାଙ୍କ ସମର୍ଥନରେ ଥିବା ପଞ୍ଚାୟତ ଏବଂ ଦଳୀୟ ନେତୃତ୍ୱଙ୍କୁ ନିଜ ଆଡ଼କୁ ଆଣିବାରେ ସମର୍ଥ ହୋଇପାରିଛନ୍ତି । ବରୀ ବାଜିମାତ ପାଇଁ ବିଶ୍ୱ ସମସ୍ତଙ୍କୁ ଏକାଠି କରିଚାଲିଥିବା ବେଳେ ବିଜେପି ପ୍ରାର୍ଥୀ ଘୋଷଣା ନକରିବା ଏହି ଦଳର ସମର୍ଥକଙ୍କୁ ଅକଳରେ ପକାଇ ଦେଇଛି । ବରୀରୁ ଉମେଶ ଜେନା ନାଁ ଦେବାଶିଷ ନାୟକ ତାହାକୁ ନେଇ କର୍ମୀ ଦୋଛକିରେ ପଡ଼ିଥିବା ବେଳେ ବିଶ୍ୱ ଏଥିରୁ ଫାଇଦା ନେବାକୁ ମଧ୍ୟ ଲାଗିପଡ଼ିଛନ୍ତି । କୋରେଇରେ ମଧ୍ୟ ସମାନ ଅବସ୍ଥା । ଏଠାରେ କଂଗ୍ରେସରୁ ବନ୍ଦିତା ପରିଡ଼ା ଏବଂ ବିଜେପିରୁ ଆକାଶ ଦାସନାୟକ ପ୍ରାର୍ଥୀ ହୋଇଛନ୍ତି । ପାଞ୍ଚବର୍ଷ ଧରି କୋରେଇରୁ ପ୍ରତିନିଧିତ୍ୱ କରିଥିବା ଆକାଶ ବିଜେଡ଼ିରୁ ନିରାଶ ପରେ ବିଜେପିରେ ଯୋଗ ଦେଇ ଟିକେଟ ହାତେଇ ନେଇଥିଲେ । ଆକାଶ ପ୍ର୍ରାର୍ଥୀ ହେବା ପରେ ନିଜର ସହଯୋଗୀଙ୍କୁ ନେଇ ନିର୍ବାଚନ ମଣ୍ଡଳୀରେ ଘୁରିବୁଲି ପ୍ରଚାର ଆରମ୍ଭ କରିଛନ୍ତି । ବିଭିନ୍ନ ପଞ୍ଚାୟତକୁ ଗସ୍ତ କରି କର୍ମୀ ବୈଠକ କରିବା ହେଉ କି ମିଶ୍ରଣ ପର୍ବ କରି ସମର୍ଥକ ଯୋଗାଡ଼ କରିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ନିର୍ବାଚନ ମଣ୍ଡଳୀକୁ ଭଲ ଭାବେ ଜାଣିଥିବା ଆକାଶ ୨୪ ନିର୍ବାଚନ ପାଇଁ ଗତବର୍ଷ ପ୍ରାରମ୍ଭରୁ ନେଇଥିବା ପଦକ୍ଷେପ ତାଙ୍କୁ ବିଶେଷ ସହାୟକ ହୋଇପାରିଛି । ସବୁଜ କୋରେଇ ଅଭିଯାନ ମାଧ୍ୟମରେ କୋରେଇବାସୀଙ୍କ ପାଖରେ ପହଞ୍ଚିଥିଲେ । ଆଉ ସେସମୟରେ ଆକାଶ ୨୪ରେ କୋରେଇରୁ ପ୍ରାର୍ଥୀ ହେଉଥିବାର ଏକ ବାର୍ତ୍ତା ବାଣ୍ଟିଥିଲେ । ବିଜେଡ଼ି ହତାଦାର କରିବ ଜାଣି ବେଳ ଥାଉଁଥାଉଁ ପଦ୍ମଧରିଥିଲେ । ତେବେ ପଦ୍ମ ଧରିବା ସତ୍ୱେ ବର୍ଷକ ତଳୁ କରି ଆସିଥିବା ଅଭିଯାନର ସହଯୋଗୀଙ୍କୁ ସାଥିରେ ନେଇ ଆକାଶ କୋରେଇ ଆକାଶରେ ଛାଇଯିବାକୁ ରଣନୀତି କରିଛନ୍ତି । ବିଜେପି ପ୍ରତି ଭୋଟରଙ୍କ ଥିବା ସକରାତ୍ମକ ମନୋଭାବକୁ ଭୋଟରେ ପରିଣତ କରିବାକୁ ଆକାଶ ଦଳର ପୁରୁଖା ଏବଂ ଯୁବ ଭୋଟରଙ୍କ ମନଜିଣିବାକୁ ପ୍ରାଣମୂର୍ଚା ଉଦ୍ୟମ କରୁଛନ୍ତି । ଠାଏ ଠାଏ ବୈଠକ ସହ ଫୋନରେ ସଂପର୍କ ସ୍ଥାପନ କରି ନିଜ ସପକ୍ଷରେ ଜନମତ ସୃଷ୍ଟି କରିବାର ପ୍ରୟାସରେ ଆକାଶ ଲାଗିପଡ଼ିଛନ୍ତି ।