କଂଗ୍ରେସର ଅଭିଜ୍ଞତା କାର୍ଡ ବଦଳି ଯିବ କି ନିର୍ବାଚନୀ ସମୀକରଣ

କଂଗ୍ରେସର ଅଭିଜ୍ଞତା କାର୍ଡ ବଦଳି ଯିବ କି ନିର୍ବାଚନୀ ସମୀକରଣ

କପ୍ତିପଦାରୁ ତପନ କୁମାର ସେଠୀ : ଉଦଳା ନିର୍ବାଚନମଣ୍ଡଳୀ ନିମନ୍ତେ ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଏବଂ ବିଜେପି ପୂର୍ବରୁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ଦୁଇ ପ୍ରମୁଖ ରାଜନୈତିକ ଦଳ ୨୦୧୯ ନିର୍ବାଚନ ଲଢିଥିବା ଦୁଇ ପ୍ରାର୍ଥୀଙ୍କୁ ରିପିଟ୍ କରିଛନ୍ତି । ଯାହାକୁ ଆଧାର କରି ଚଳିତ ନିର୍ବାଚନରେ ବିଜେପି ଏବଂ ବିଜେଡି ମଧ୍ୟରେ ପୂର୍ବ ନିର୍ବାଚନ ଭଳି ଲଢେଇ ଦେଖିବାକୁ ମିଳିବ ବୋଲି କୁହାଯାଉଥିଲା । ହେଲେ ଏବେ କଂଗ୍ରେସ୍ ଘୋଷଣା କରିଛି ତାର ବିଧାୟକ ପ୍ରାର୍ଥୀଙ୍କ ତାଲିକା । ଉଦଳା ନିର୍ବାଚନମଣ୍ଡଳୀ ନିମନ୍ତେ କଂଗ୍ରେସ୍ ଖେଳିଛି ଅଭିଜ୍ଞତା କାର୍ଡ । ଅର୍ଥାତ୍ ରାଜନୀତିରେ ଅଧିକ ଅଭିଜ୍ଞତା ଥିବା ତଥା ଦୀର୍ଘ ବର୍ଷ ହେବ କଂଗ୍ରେସ୍ ସହିତ ଜଡିତ ହୋଇ ରହିଥିବା ପ୍ରାର୍ଥୀ ଦୁର୍ଗାଚରଣ ଟୁଡୁଙ୍କୁ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ଦୁର୍ଗା ଟୁଡୁ ଟିକେଟ ପାଇବା ପରେ ଉଦଳା ନିର୍ବାଚନ ମଣ୍ଡଳୀର ରାଜନୈତିକ ଅଙ୍କ ବଦଳିଯିବାର ଅନେକ ସମ୍ଭାବନା ଦେଖା ଦେଇଛି । କାରଣ ଉଦଳା ରାଜନୀତିର ପୃଷ୍ଠଭୂମିକୁ ନଜର କରିଲେ ଦୁର୍ଗା ଟୁଡୁ ଉଭୟ ବିଜେପି ଏବଂ ବିଜେଡିର ଭୋଟ କାଟି ପାରନ୍ତି । ଯଦି ଦେଖିବା ବିଜେପି ପ୍ରାର୍ଥୀ ଭାସ୍କର ମଢେଇ ୨୦୦୦,୨୦୦୪ ଏବଂ ୨୦୧୯ ରେ ସେ ତିନି ଥର ନିର୍ବାଚନ ଲଢି ବିଧାୟକ ହୋଇଛନ୍ତି । ଏହା ସହିତ ୨୦୧୪ ରେ ମଧ୍ୟ ସେ ବିଧାୟକ ପଦ ନିମନ୍ତେ ନିର୍ବାଚନ ଲଢିଥିବା ବେଳେ ଅଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ । ତେଣୁ ଭାସ୍କରଙ୍କ ରହିଛି ଲମ୍ବା ଅଭିଜ୍ଞତା । ସେପଟେ ଶ୍ରୀନାଥ ସୋରେନ୍ ୨୦୦୯ ରେ ନିର୍ବାଚନ ଲଢି ବିଜୟୀ ହୋଇଥିବା ବେଳେ ୨୦୧୯ରେ ସେ ଭାସ୍କରଙ୍କ ଠାରୁ ପରାସ୍ତ ହୋଇଥିଲେ । ହେଲେ ଦଳରେ ରହି ଦଳ ପାଇଁ କାମ କରିବା ସହିତ ଭୋଟରଙ୍କ ସହିତ ସେ ଯୋଡି ହୋଇ ରହିଥିଲେ । ତେଣୁ ତାଙ୍କର ମଧ୍ୟ ଅଭିଜ୍ଞତା ରହିଛି । ହେଲେ ଏହି ଦୁଇ ପ୍ରାର୍ଥୀଙ୍କୁ ବାଦ ଦେଇ କଂଗ୍ରେସ ପ୍ରାର୍ଥୀ ଦୁର୍ଗାଚରଣ ଟୁଡୁଙ୍କୁ ନଜର ଦେଲେ ତାଙ୍କର ରାଜନୀତି କ୍ୟାରିଅର ବହୁତ ଲମ୍ବା । ସେ ୧୯୮୪ ମସିହାରେ ରାଜନୀତିକୁ ଓହ୍ଲାଇ ଉଦଳା ବ୍ଲକ ବଡସିଙ୍ଗାରିଆ ପଞ୍ଚାୟତର ସରପଞ୍ଚ ରହିଥିଲେ । ତତପରେ ପରେ ସେ ସମିତି ସଭ୍ୟ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ଏହା ପରେ ୧୯୯୦ ମସିହାରେ ସେ ଉଦଳା ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ସୁଦ୍ଧା ୫ ହଜାର ଭୋଟରେ ସେତେବେଳର ବିଧାୟକ ରୋହିଦାସ ସୋରେନଙ୍କ ଠାରୁ ପରାସ୍ତ ହୋଇଥିଲେ । ସେବେଠାରୁ ସେ ରାଜନୀତିରେ ସକ୍ରିୟ ହୋଇ ରହିଥିବା ବେଳେ କଂଗ୍ରେସ୍ କମିଟି ସଦସ୍ୟ ଭାବେ ଭୋଟରଙ୍କ ସହିତ ଯୋଡି ହୋଇ ରହିଛନ୍ତି । ତେଣୁ ମୋଟାମୋଟି ଭାବେ ନଜର କରିଲେ ଅଭିଜ୍ଞତା ଦୃଷ୍ଟି କୋଣରୁ ଦୁର୍ଗା ଟୁଡୁଙ୍କର ଅଭିଜ୍ଞତା ସବୁଠାରୁ ଅଧିକ, ତେଣୁ ସେ ବିଜେଡି ଏବଂ ବିଜେପିର ଭୋଟ କାଟିପାରନ୍ତି ଏବଂ କେଉଁ ମୂହୂର୍ତ୍ତରେ ବି ବଦଳିଯାଇପାରେ ଉଦଳା ରାଜନୀତିର ସମୀକରଣ ।