ଖେଳ ବିଗାଡ଼ିବେ ବାଣୀକଲ୍ୟାଣ
ଭୁବନେଶ୍ୱର: ଭୁବନେଶ୍ୱର: ବାସୁଦେବପୁରରେ ଏଥର କଡ଼ା ଟକ୍କର ଦେଖିବାକୁ ମିଳିବ । ବିଜୁ ଜନତା ଦଳ ପୁଣି ବିଷ୍ଣୁବ୍ରତ ରାଉତରାୟଙ୍କ ଉପରେ ଭରସା କରିଥିବାବେଳେ କଂଗ୍ରେସ ଅଶୋକ ଦାସଙ୍କ ଉପରେ ଆସ୍ଥା କରିଛି । ସେପଟେ ବିଜେଡ଼ି ଛାଡ଼ି ବାଣୀକଲ୍ୟାଣ ମହାନ୍ତି ବିଜେପି ଟିକେଟ ହାତେଇ ନେଇଛନ୍ତି । ବାସୁଦେବପୁରରେ ୩ ଦଳର ଭୋଟ ବ୍ୟାଙ୍କ ଥିବାବେଳେ ଅସଲ ଲଢ଼େଇ ବିଜେଡ଼ି ଓ କଂଗ୍ରେସ ଭିତରେ ହେବବୋଲି ଚର୍ଚ୍ଚା ହେଉଛି । ତେବେ ଏସବୁ ଭିତରେ ବାଣୀକଲ୍ୟାଣଙ୍କ ଉପରେ ସମସ୍ତଙ୍କ ନିଘା ରହିଛି । ବାଣୀକଲ୍ୟାଣ ଯାହା ଭୋଟ ଭାଙ୍ଗିବେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିବ ବୋଲି ଆକଳନ କରାଯାଉଛି ।
ଗତ ତିନି ଦଶନ୍ଧି ଧରି ବାସୁଦେବପୁରରେ ବିଜେଡ଼ି ଓ କଂଗ୍ରେସ ମୁହାଁମୁହିଁ ହୋଇ ଆସୁଛନ୍ତି । ୧୯୯୦ରୁ ରାଉତରାୟ ପରିବାର ହାତରେ ବାସୁଦେବପୁରର ଶାସନ ଡୋରି ରହିଛି । ବିଜୟଶ୍ରୀଙ୍କ ପରେ ଏବେ ତାଙ୍କ ପୁଅ ମଙ୍ଗ ସମ୍ଭାଳିଛନ୍ତି । ଗତ ସାଧାରଣ ନିର୍ବାଚନରେ ବାସୁଦେବପୁର ବ୍ଳକର ୩୬ ପଞ୍ଚାୟତ ଓ ପୌର ପରିଷଦରେ କଂଗ୍ରେସ ଆଗରେ ରହିଥିଲା । ହେଲେ ତିହିଡ଼ିର ୯ ପଞ୍ଚାୟତରେ ବିଷ୍ଣୁବ୍ରତ ଭଲ ଭୋଟ ଭିଡ଼ିବାରୁ ବାଜିମାତ କରିପାରିଥିଲେ । କଂଗ୍ରେସ ପ୍ରାର୍ଥୀ ଅଶୋକ ଦାସଙ୍କର ବି ମଜବୁତ ସଂଗଠନ ରହିଛି । ସେ ପୂର୍ବରୁ ବାସୁଦେବପୁରର ପୌରାଧ୍ୟକ୍ଷ ବି ଥିଲେ । ଏସବୁ ଭିତରେ ବିଜେପି ପ୍ରାର୍ଥୀ ବାଣୀକଲ୍ୟାଣ କେତେ ଭୋଟ ଭିଡ଼ିବେ ତାହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । କାହିଁକିନା ପୂର୍ବରୁ ସେ ବିଜେଡ଼ିରେ ଥିଲେ । ଯଦି ବିଜେଡ଼ି ପକେଟ ଭୋଟ ଟାଣିବାରେ ସମର୍ଥ ହୁଅନ୍ତି ତେବେ ବିଷ୍ଣୁବ୍ରତ ଅକଳରେ ପଡ଼ିଯିବା ନିଶ୍ଚିତ । କାହିଁକିନା ସେଠାରେ ବିଜେଡ଼ି ମଧ୍ୟ କଡ଼ା ସଂଘର୍ଷର ସାମ୍ନା କରୁଛି । ସେହିପରି ଏବେ ବିଜେପିର ହାୱା ବହୁଛି । କେନ୍ଦ୍ରୀୟ ବିଜେପି ନେତାମାନେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ତେଣୁ ଏହାର ଫାଇଦା ବି ବାଣୀକଲ୍ୟାଣ ନେଇପାରିବେ । ସାଧାରଣତଃ ବିଜେପି ବଢ଼ିଲେ କଂଗ୍ରେସ ଭୋଟ ଗିଳିଦିଏ । ଯଦି ବାଣୀକଲ୍ୟାଣ କଂଗ୍ରେସ ଭୋଟ ଟାଣନ୍ତି ତେବେ ଅଶୋକ ଅକଳରେ ପଡ଼ିଯିବେ । ଗାଏମୋଟ କହିଲେ ବାଣୀକଲ୍ୟାଣ ହିଁ ଅଶୋକ ଓ ବିଷ୍ଣୁବ୍ରତଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ବୋଲି ରାଜନୀତିକ ସମୀକ୍ଷକମାନେ ମତପୋଷଣ କରୁଛନ୍ତି ।