ରାଜନଗର : କଳି ବନାମ କୋଳାକୋଳି

ଭୁବନେଶ୍ୱର: ରାଜନଗରରେ ଏବେ ଭିନ୍ନ ରାଜନୀତିକ ଦୃଶ୍ୟ ଦେଖିବାକୁ ମିଳୁଛି । କାଲି ଯେଉଁ ନେତାଙ୍କ ଭିତରେ କଳି ଥିଲା ଏବେ ସେମାନେ କୋଳାକୋଳି ହେଉଛନ୍ତି । ସେହିପରି ଯେଉଁ ନେତାମାନେ କୋଳାକୋଳି ହେଉଥିଲେ ଏବେ ସେମାନଙ୍କ ଭିତରେ କଳି ଆରମ୍ଭ ହୋଇଯାଇଛି । ଯାହାକୁ ନେଇ ରାଜନୀତିକ ଚର୍ଚ୍ଚା ବେଶ ରୋଚକକର ହୋଇଛି ।
ବିଜୁ ଜନତା ଦଳ ପୁଣିଥରେ ଧ୍ରୁବଚରଣ ସାହୁଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ପୂର୍ବରୁ ତାଙ୍କର କଂଗ୍ରେସ ନେତା ଅଂଶୁମାନ ମହାନ୍ତିଙ୍କ ସହ ଟକ୍କର ହେଉଥିଲା । କିନ୍ତୁ ଏବେ ଅଂଶୁମାନ ବିଜେଡ଼ିରେ ଥିବାବେଳେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଲଢୁଛନ୍ତି । ସ୍ୱାଭାବିକ ଭାବେ ଧ୍ରୁବ ଓ ଅଂଶୁମାନ ସାଙ୍ଗ ହୋଇ ବୁଲିବା ସହ ପ୍ରଚାର ମଧ୍ୟ କରୁଛନ୍ତି । ଉଭୟଙ୍କ ମଧ୍ୟରେ ଥିବା ରାଜନୈତିକ କଳି ଏବେ କୋଳାକୋଳିରେ ରୂପାନ୍ତରିତ ହୋଇଛି ।
ସେହିପରି କଂଗ୍ରେସ ଅଶୋକ ପ୍ରତିହାରୀଙ୍କୁ ଟିକେଟ ଦେଇଛି । ଅଶୋକ ପୂର୍ବରୁୁ ବିଜୁ ଜନତା ଦଳରେ ଥିଲେ । ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଭାବେ ବି ସେ କାର୍ଯ୍ୟ କରିଛନ୍ତି । ତାଙ୍କୁ ଉପାଧ୍ୟକ୍ଷ କରିବା ପଛରେ ଧ୍ରୁବଙ୍କର ମଧ୍ୟ ହାତ ରହିଥିଲା । ୨୦୦୭ରୁ ଅଶୋକ ଧ୍ରୁବଙ୍କ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଆସୁଥିଲେ । କିନ୍ତୁ ନିର୍ବାଚନର କିଛିଦିନ ପୂର୍ବରୁ ଧ୍ରୁବଙ୍କ ସହ ତାଙ୍କର ଅପଡ଼ ହେବା ସହ ସେ ମଧ୍ୟ ଟିକେଟ ୌଡ଼ରେ ରହିଥିଲେ । ଧିରେଧିରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢ଼ିବାରୁ ସେ ବିଜେଡ଼ି ଛାଡ଼ି କଂଗ୍ରେସକୁ ଯାଇଛନ୍ତି । ଅଂଶୁମାନ ଦଳ ଛାଡ଼ିବା ପରେ କଂଗ୍ରେସରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ଏହି ମଉକାରେ ଅଶୋକ କଂଗ୍ରେସ ଟିକେଟ ପାଇ ଏବେ ମଇଦାନକୁ ଓହ୍ଲାଇଛନ୍ତି । ଅର୍ଥାତ ଧ୍ରୁବଙ୍କ ସହ ଅଶୋକଙ୍କର ଏକଦା କୋଳାକୋଳି ସମ୍ପର୍କ ଥିବାବେଳେ ଏବେ ତାହା କଳିର ରୂପ ନେଇଛି । ଏମିତିକି ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଲଢ଼େଇ ହେବବୋଲି ଚର୍ଚ୍ଚା ହେଉଛି ।ରାଜନଗରରୁ ବିଜେପି ଟିକେଟରେ ଲଢୁଛନ୍ତି ଲଳିତ କୁମାର ବେହେରା । ରାଜନଗରର କେତେକ କ୍ଷେତ୍ରରେ ବଙ୍ଗୀୟ ଭୋଟର ଅଧିକ ଅଛନ୍ତି । ବିଶେଷକରି ଡାଙ୍ଗମାଳ, ଖମାରସାହି, କୃଷ୍ଣନଗର, ତାଳଚୁଆ, ରଙ୍ଗଣୀ, ବାଘମାରୀ ଓ କେରୁଆଁପାଳରେ ବଙ୍ଗୀୟ ଭୋଟରଙ୍କ ପ୍ରାଧାନ୍ୟ ରହିଛି । ସେହି ଅଞ୍ଚଳରୁ ଲଳିତଙ୍କୁ ବିଜେପି ଟିକେଟ ଦେଇଛି । ସେ ପ୍ରଥମ ଥର ନିର୍ବାଚନ ଲଢୁଥିବାବେଳେ ଭଲ ଟକ୍କର ଦେବାକୁ ଆଶା ରଖିଛନ୍ତି । ତେବେ ଅଂଶୁମାନ ଓ ଧ୍ରୁବ ଏକାଠି ଥିବାରୁ ତାଙ୍କର ମୁକାବିଲା ବିରୋଧୀଙ୍କ ପକ୍ଷେ ଏତେ ସହଜ ହେବନାହିଁ ।