କାଉଣ୍ଟ ଡାଉନ୍ ଆରମ୍ଭ ,ବିଜେଡି ସରକାର ବିଦାୟ ନେବ

କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି । ବିଜେଡି ସରକାର ବିଦାୟ ନେବ। ପୂରା ଓଡ଼ିଶା ଗୋଟିଏ ସ୍ୱରରେ କହୁଛି ଯେ ରାଜ୍ୟରେ ପ୍ରଥମ ଥର ପାଇଁ ହେବ ଡବଲ ଇଞ୍ଜିନ ସରକାର।’ ବଲାଙ୍ଗିରରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା କହିଥିଲେ।
ଫୁଲବାଣୀରେ ସଭା ସାରି ବଲାଙ୍ଗିରରେ ପହଞ୍ଚିଥିଲେ ମୋଦି। ଆଉ ଭାଷଣ ଆରମ୍ଭ କରିବା ମାତ୍ରେ ରାଜ୍ୟର ନବୀନ ସରକାର ଉପରେ ବର୍ଷି ଥିଲେ। ବିଜେଡି ସରକାରର କାଉଣ୍ଟ ଡାଉନ୍ ଆରମ୍ଭ ହୋଇସାରିଛି ବୋଲି ସେ କହିଥିଲେ।
ମୋଦି କହିଥିଲେ, କଂଗ୍ରେସ କେବଳ ଓଡ଼ିଶାର ଗରିବୀର ଚିତ୍ର ସାରା ଦୁନିଆକୁ ଦେଖାଇଥିଲେ। ବିଜେଡି ମଧ୍ୟ ଗରିବୀ ଦୂର କରିବା ପାଇଁ କିଛି କଲାନି। ବିଜେଡି ଗରିବୀ ଦୂର କଲାନି କି କଂଗ୍ରେସର ପ୍ରୟାସକୁ ରୋକିବାକୁ ସାହାସ କଲାନି। ଜୁନ୍ ୪ ତାରିଖକୁ ମନେ ରଖିଥା’ନ୍ତୁ। କାରଣ ଏହା ହେବ ବିଜେଡି ସରକାରର ଏକ୍ସପାଏରୀ ଡେଟ୍। ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ। ସେଥିପାଇଁ ଭୁବନେଶ୍ୱର ଯିବାକୁ ମୁଁ ଆପଣମାନଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି। ଯିଏ ଓଡ଼ିଶାରେ ଜନ୍ମ ହୋଇଥିବେ, ଯିଏ ଓଡ଼ିଶାର ସଂସ୍କୃତି ସହିତ ଯୋଡ଼ି ହୋଇଥିବେ ଓ ଭଗବାନ ଶ୍ରୀ ଜଗନ୍ନାଥଙ୍କ ଚରଣରେ ବଡ଼ ହୋଇଥିବେ ସେ ହିଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ। ଏହା ହେଉଛି ମୋଦିର ଗ୍ୟାରେଣ୍ଟି।
ଓଡ଼ିଶା ଦେଶର ସବୁଠୁ ଧନୀ ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ। କିନ୍ତୁ ସବୁଠୁ ଅଧିକ ଗରୀବ ଲୋକ ଏଠାରେ ବସବାସ କରୁଛନ୍ତି। ପ୍ରାକୃତିକ ସଂପଦରେ ଭରପୂର ଓଡ଼ିଶା ଭଳି ଧନୀ ରାଜ୍ୟର ଏ କି ଅବସ୍ଥା? ମୁଁ ଓଡ଼ିଶା ପାଇଁ ଆଶୀର୍ବାଦ ମାଗିବାକୁ ଆସିଛି ବୋଲି ମୋଦି କହିଥିଲେ।