ଅପରାଜିତାଙ୍କୁ ବ୍ରେକ ଦେବେ କି ମନ୍ମଥ?


ଭୁବନେଶ୍ୱର: ସାରା ରାଜ୍ୟରେ ରାଜନୀତି ଚଳଚଞ୍ଚଳ ଥିବାବେଳେ ରାଜଧାନୀ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଉପରେ ରହିଛି ସମସ୍ତଙ୍କ ନଜର । ୨୦୧୯ରେ ଏହି ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିଜୟୀ ହୋଇ ବିଜେଡିକୁ ହରାଇବାରେ ସଫଳ ହୋଇଥିବାବେଳେ ଚଳିତ ନିର୍ବାଚନରେ ଏହି ଆସନ ଦଖଲ କରିବାକୁ ବିଜେଡି ଓ କଂଗ୍ରେସ ଅଣ୍ଟା ଭିଡିଛନ୍ତି । ଏବେ ଭୁବନେଶ୍ୱର ଆସନ ତିନି ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ତେବେ ଚଳିତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ପାଇଁ ମୋଟ ୧୨ ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜେପି ପ୍ରର୍ଥôନୀ ଅପରାଜିତା ଷଡଙ୍ଗୀ ପୁନର୍ବାର ଏହି ଆସନ ଦଖଲ କରିବାକୁ ଅଣ୍ଟା ଭିଡିଛନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀରେ ରୋଡ ଶୋ’ କରିବା ପରେ ବିଜେପି ନେତା ଓ କର୍ମୀ ଉତ୍ସାହିତ ହୋଇପଡିଛନ୍ତି । ଅପରାଜିତା ବିଗତ ୫ବର୍ଷ ମଧ୍ୟରେ କରିଥିବା କାମ ସମ୍ବନ୍ଧରେ ରିପୋର୍ଟ କାର୍ଡ ମାଧ୍ୟମରେ ଲୋକଙ୍କୁ ଅବଗତ କରାଉଛନ୍ତି । ତେବେ ଅପରାଜିତାଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି ଦଳର ଏକାଧିକ ଅସନ୍ତୁଷ୍ଟ ନେତା । ନିକଟେରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ନିଲମ୍ବନ କରାଯାଇଛି । ୨୦୧୯ ସାଧାରଣ ନିର୍ବାଚନରେ ଖୋର୍ଦ୍ଧା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ କାଳୁ ଖଣ୍ଡାୟତରାୟ ଅପରାଜତିଙ୍କ ବିଜୟର ମୁଖ୍ୟ କର୍ଣ୍ଣଧାର ସାଜିଥିଲେ । ଚଳିତ ନିର୍ବାଚନରେ ସେ ସ୍ୱାଧୀନ ଭାବେ ଲଢୁଛନ୍ତି । ସେହିପରି ଜୟଦେବର ଆଶାୟୀ ପ୍ରାର୍ଥୀ ସତ୍ୟପ୍ରିୟ ବେହେରା ସ୍ୱାଧୀନ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏହାବ୍ୟତୀତ ଟିକଟରୁ ବଞ୍ଚôତ ଦଳର କିଛି ଅସନ୍ତୁଷ୍ଟ ମନାଇବା ଦଳ ପାଇଁ ଆହ୍ୱାନ ପାଲଟିଛି । ଯାହା ଅପରାଜିତାଙ୍କ ପାଇଁ କଣ୍ଟା ସାଜିଛି । ଅନ୍ୟପକ୍ଷରେ ଅପରାଜିତାଙ୍କୁ ମୁକାବିଲା କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ । ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ମନ୍ମଥ ରାଜନୀତିରେ ନବାଗତ ହୋଇଥିଲେ ମଧ୍ୟ ନିଜ ପ୍ରଚାରକୁ ଜୋରଦାର କରିଛନ୍ତି । ମନ୍ମଥ ବାପା ସୁରେଶଙ୍କୁ ତାଙ୍କ ପ୍ରଚରରେ  ସାମିଲ କରିଥିବାବେଳେ ୭ଟି ନିର୍ବାଚନମଣ୍ଡଳୀରେ ବୁଲି ରାଜ୍ୟ ସରକାରଙ୍କ ସଫଳତା ସମ୍ବନ୍ଧରେ ଅବଗତ କରାଇ ସମର୍ଥନ ଲୋଡୁଛନ୍ତି । ବିଜେପି ଭଳି ମନ୍ମଥଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନୁପସ୍ଥିତି । ଶ୍ରୀମୟୀ ମଧ୍ୟ ଟିକେଟ ଆଶାୟୀ ଥିଲେ । ସେପଟେ ବିଜେଡି ଓ ବିଜେପିକୁ କଡ଼ା ମୁକାବିଲା କରୁଛନ୍ତି ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାସିର ନୱାଜ । ୟାସିର ପ୍ରଥମ ଥର  ପ୍ରତିଦ୍ୱନ୍ଦିତା କରୁଛନ୍ତି । ଛାତ୍ର ସଭାପତି ଥିବାରୁ ଯୁବବର୍ଗଙ୍କୁ ୟାସିର ନିଜ ଆଡକୁ ଆକୃଷ୍ଟ କରୁଥିବାବେଳେ ସେ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ସଂଖ୍ୟାଲଘୁ ବର୍ଗଙ୍କ ସମର୍ଥନ ସାଉଁଟୁଛନ୍ତି । ୨୦୧୯ ନିର୍ବାଚନରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅଧୀନରେ ମୋଟ ୭ଟି ବିଧାନସଭା ମଧ୍ୟରୁ ଗୋଟିଏ ବିଧାନସଭା କ୍ଷେତ୍ରକୁ କଂଗ୍ରେସ ଦଖଲ କରିଥିବାବେଳେ ୬ଟି ଆସନ ବିଜେଡି ଦଖଲ କରିଥିଲା । ସାଂସଦ ପଦ ହାତେଇବାରେ ବିଜେପି ସଫଳ ହୋଇଥିଲେ ମଧ୍ୟ ଗୋଟିଏ ହେଲେ ବିଧାନସଭା କ୍ଷେତ୍ର ଦଖଲ କରିପାରିନଥିଲା । ମାତ୍ର ଏଥର ସ୍ଥିତି ବଦଳିଥିବା ପରିବର୍ତ୍ତନ ସମ୍ଭାବନା ରହିଥିବା ରାଜନୈତିକ ସମୀକ୍ଷକ କହିଛନ୍ତି ।