କେତେ ଫାଇଦା ପାଇବେ ବିଭୂ ?

ଜଗତସିଂହପୁରର ଟାଣୁଆ ନେତା ଅମରେନ୍ଦ୍ର ଦାସ । ବିଜେଡ଼ି ଟିକେଟ ନପାଇବାରୁ ସେ ଏବେ ବିଜେପି ଟିକେଟରେ ନିର୍ବାଚନ ଲଢୁଛନ୍ତି । ନିମାପଡ଼ାର ହାଟ୍ରିକ ବିଧାୟକ ସମୀର ରଞ୍ଜନ ଦାସ ଏବେ ପଦ୍ମ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି । କାକଟପୁରର ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ବି ବିଜେପିର ପ୍ରଚାର ମଙ୍ଗ ଧରିଲେଣି । ବାଲିକୁଦାରେ ସତ୍ୟ ସାରଥି ମହାନ୍ତିଙ୍କ ଭଳି ଟାଣୁଆ ନେତା ଏବେ ବିଜେଡ଼ିକୁ କଡ଼ା ଟକ୍କର ଦେଉଛନ୍ତି । ଗୋଟିଏ ପଟେ କଂଗ୍ରେସ ଦୁର୍ବଳ ହୋଇଯାଇଥିବାବେଳେ ଅପରପକ୍ଷରେ ବିଜେପି ବି ବିଜେଡ଼ି ନେତାଙ୍କୁ ନେଇ କାୟା ବିସ୍ତାର କରୁଛି । ରାଜ୍ୟରେ ୨୦୧୯ ଭଳି ମୋଦି ଲହର ବି ପରିଲକ୍ଷିତ ହେଉଛି । ଯାହାକୁ ନେଇ ବେଶ ଉତ୍ସାହିତ ହୋଇପଡ଼ିଛନ୍ତି ଜଗତସିଂହପୁରର ବିଜେପି ସାଂସଦ ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ ।
ନିଆଳୀ, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର ଓ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀକୁ ନେଇ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ଗଠିତ ହୋଇଛି ।
୨୦୧୯ ନିର୍ବାଚନରେ ନିଆଳୀରୁ ବିଜେଡ଼ି ୩୦ ହଜାର, ପାରାଦୀପରୁ ୩୦ ହଜାର, ତିର୍ତ୍ତୋଲରୁ ୪୫ ହଜାର, ବାଲିକୁଦା ଏରସମାରୁ ୫୬ ହଜାର, ଜଗତସିଂହପୁରରୁ ୪୬ ହଜାର, କାକଟପୁରରୁ ୫୦ ହଜାର ଓ ନିମାପଡ଼ାରୁ ୫୦ ହଜାର ଲିଡ଼୍ ନେଇଥିଲା । ମୋଟ ଉପରେ ବିଜେଡ଼ି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ୬ ଲକ୍ଷ ୨୦ ହଜାର ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ବିଭୂ ପ୍ରସାଦ ତରାଇ ୩ ଲକ୍ଷ ୫୦ ହଜାର ଭୋଟ ପାଇଥିଲେ । ବିଜେଡ଼ି ବହୁ ଭୋଟରେ ବାଜିମାତ କରିବାରେ ସଫଳ ହୋଇଥିଲା । ସବୁଠାରୁ ବଡ଼କଥାଟି ହେଉଛି ସେତେବେଳେ କଂଗ୍ରେସ ମଧ୍ୟ ୨ ଲକ୍ଷ ୪୦ ହଜାର ଭୋଟ ପାଇଥିଲା । ଏବେ କଂଗ୍ରେସର ଦୁଇ ଟାଣୁଆ ନେତା ଚିରଞ୍ଜୀବ ବିଶ୍ୱାଳ ଓ ବାପି ସର୍ଖେଲ କଂଗ୍ରେସ ଛାଡ଼ି ସାରିଛନ୍ତି । ଚିରଞ୍ଜୀବ ଓ ବାପିଙ୍କ ପତ୍ନୀ ବିଜେଡ଼ିରେ ଯୋଗ ଦେଇଥିଲେବି ସେମାନଙ୍କୁ ଟିକେଟ ମିଳିନାହିଁ । ଯେଉଁ ଯେଉଁ ସ୍ଥାନରେ ବିଜେପି ଦୁର୍ବଳ ଥିଲା ସେଠାରେ ଦଳର ଶକ୍ତି ବଢ଼ିଛି । ଅପରପକ୍ଷରେ ସାଂସଦ ରାଜଶ୍ରୀଙ୍କ ଉପରେ ପୁଣି ବିଜେଡ଼ି ଆସ୍ଥା ରଖିଛି । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଟିକେଟ ମିଳିନଥିବାବେଳେ ସେ ରାଜଶ୍ରୀଙ୍କୁ ସହଯୋଗ କରୁନଥିବା ଦେଖିବାକୁ ମିଳୁଛି । ଗାଏମୋଟ କହିଲେ ୨୦୧୯ ଅପେକ୍ଷା ୨୦୨୪ରେ ବିଜେପି ପାଇଁ ସମୀକରଣ ଅନୁକୂଳ ରହିଛି । ଗତଥର ବିଜେପି ବହୁ ପଛରେ ପଡ଼ିଥିବାବେଳେ ଏଥର କିନ୍ତୁ ଅନେକ ନିର୍ବାଚନମଣ୍ଡଳୀରେ ଦଳ ଭଲ ପ୍ରଦର୍ଶନ କରିବାର ସମ୍ଭାବନା ରହିଛି । ତେବେ ଏହି ସମୀକରଣ ବିଭୂ ପ୍ରସାଦ ତରାଇଙ୍କୁ କେତେ ଫାଇଦା ଦେବ ତାହା ଜୁନ୍ ୪ରେ ଜଣାପଡ଼ିଯିବ ।