ବ୍ୟାସନଗରରେ କ୍ୟାମ୍ପ ପକାଇଲେ ତୋମାର ଯାଜପୁର ଦଖଲ ପାଇଁ ରଚିବେ ରଣନୀତି
ଯାଜପୁର : ବିଜେପିର କେନ୍ଦ୍ରୀୟ ନେତା ନିର୍ବାଚନକୁ ହାଲକା ଭାବେ ନିଅନ୍ତିନି ଏକଥା ସମସ୍ତଙ୍କୁ ଜଣା । କିନ୍ତୁ ପୂର୍ବ ନିର୍ବାଚନ ଅପେକ୍ଷା ୨୪ ନିର୍ବାଚନକୁ ଦଳ ବେଶ ଗୁରୁତର ସହନେଇଛି । ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ରାଷ୍ଟ୍ରୀୟ ଏବଂ ଅନ୍ୟ ପ୍ରଦ୍ୟେଶର ଜଶାଶୁଣା ଚେହେରା ଘନଘନ ଗସ୍ତ ଏକଥାକୁ ସ୍ପଷ୍ଟ କରିଛି ।
ରାଜ୍ୟରେ ୪ ପର୍ଯ୍ୟାୟ ନିର୍ବାଚନ ମଧ୍ୟରୁ ଇତିମଧ୍ୟରେ ୩ ପର୍ଯ୍ୟାୟ ଶେଷ ହୋଇଯାଇଥିବା ବେଳେ ୬ଲୋକସଭା ସହ ୪୨ଟି ବିଧାନସଭା ନିର୍ବାଚନ ଜୁନ ପହିଲାରେ ହେବାକୁ ଯାଉଛି । ତନ୍ମଧ୍ୟରେ ଯାଜପୁର ଲୋକସଭା ସହ ୭ଗୋଟି ବିଧାନସଭା କ୍ଷେତ୍ର ରହିଛି । ଯାଜପୁର ହେଉଛି ବିଜେଡ଼ିର ଗଡ଼ । ବିଜେଡ଼ିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନମଣ୍ଡଳୀ ହେଉଛି ଯାଜପୁର । ସଂଗଠନ ସଂପାଦକଙ୍କ ଗଡ଼କୁ ଫୋକସରେ ରଖିଛି ବିଜେପି । କିଛିଦିନ ତଳେ ରାଷ୍ଟ୍ରୀୟ ସଭାପତି ଜେପିନଡ୍ଡା ଯାଜପୁରର ବଡ଼ଚଣାକୁ ଗସ୍ତରେ ଆସି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରି ଫେରିଛନ୍ତି । ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ ହୁଅନ୍ତୁ କି ଅନ୍ୟ କୌଣସି ନେତା ଯାଜପୁର ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଉପରେ ବିଚାର ବିମର୍ଶ ଚାଲିଥିବା ଦଳୀୟ ସୂତ୍ରରୁ ଜଣାପଡ଼ିଛି । ତୃତୀୟ ପର୍ଯ୍ୟାୟ ଭୋଟ ଶେଷ ପରେ ଫ୍ରି ହୋଇଯାଇଥିବା ସମ୍ବଲପୁର ଲୋକସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁର ଧର୍ମଶାଳା ସହ ଅନ୍ୟ ବିଧାନସଭା କ୍ଷେତ୍ରର ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଓହ୍ଲାଇବାର ଅଛି । ତାରିଖ ସମୟ ସ୍ଥିର ହୋଇନଥିଲେ ହେଁ ଶ୍ରୀ ପ୍ରଧାନ ଯାଜପୁର ଗସ୍ତରେ ଆସି ଧୂଆଁଧାର ପ୍ରଚାର କରିବେ ବୋଲି ଜଣାପଡ଼ିଛି । ସେନେଇ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ରାଜ୍ୟ ବିଜେପି ପ୍ରଭାରୀ ବିଜୟ ସିଂପାଲ ତୋମାର ଆସି ବ୍ୟାସନଗରରେ କ୍ୟାମ୍ପ ପକାଇଲେଣି । ବ୍ୟାସନଗରର ଏକ ହୋଟେଲରେ କ୍ୟାମ୍ପ ପକାଇଥିବା ତୋମାର ଯାଜପୁର ଦଖଲ ପାଇଁ ରଣନୀତି କରିବା ସହ ଦଳୀୟ ପ୍ରାର୍ଥୀ ଏବଂ କାର୍ଯ୍ୟକର୍ତ୍ତାଙ୍କ ବିଜୟମନ୍ତ୍ର ଦେବେ । ତୋମାର ସହ ଏକ ୭ଜଣିଆ ଦଳ ପହଞ୍ଚିଥିବା ବେଳେ ଆଗକୁ ଦଳପାଇଁ ସମର୍ପିିତ କାର୍ଯ୍ୟର୍କତା ପହଞ୍ଚିବାର ସମ୍ଭାବନା ରହିଛି । ତୋମାର ଗୋଟିଏ ସ୍ଥାନରେ ବସିରହି ରଣନୀତି କରିବେନି କି ବିଜୟମନ୍ତ୍ର ଦେବେନି, ବିଭିନ୍ନ ନିର୍ବାଚନମଣ୍ଡଳୀ ଗସ୍ତ କରି ଦଳ ସପକ୍ଷରେ ରହିଥିବା ଜନମତ ସଂଗ୍ରହ କରିବେ ।
ଦଳ ସପକ୍ଷରେ କିଭଳି ଅଧିକରୁ ଅଧିକ ଜନମତ ସୃଷ୍ଟି ହୋଇପାରିବ, ତାହାର ନକ୍ସା ପ୍ରସ୍ତୁତ କରିବେ ବୋଲି ସୂଚନା ରହିଛି । ଆଜି ପ୍ରଭାରୀ ତୋମାର ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରାଙ୍କ ସହ ଦଳର ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି । ବିଜେପି ଯାଜପୁର ଦଖଲ ଲକ୍ଷ୍ୟରେ ରହିଥିବାରୁ ଦଳ ସପକ୍ଷରେ ଜନମତ ସୃଷ୍ଟି ପାଇଁ ପୁରାଦମରେ ଲାଗିଡ଼ିଥିବା ବେଳେ ମୋଦିଙ୍କ ସଂକଳ୍ପକୁ ଘରେ ଘରେ ପହଁଚାଇବା କାର୍ଯ୍ୟକୁ ତୀବ୍ର କରିଛି । ପ୍ରଭାରୀ ତୋମାର କିଭଳି ଗୋଟି ଚାଳନା କରି ଯାଜପୁର ଦଖଲ କରିବାକୁ ସକ୍ଷମ ହେଉଛନ୍ତିି, ତାହା ଉପରେ ରାଜନୈତିକ ମହଲର ନଜର ରହିବ ନିଶ୍ଚୟ ।