ବିଜେପିର ବିଶ୍ୱାସ; ଏଥର ଯାଜପୁରରେ ପଦ୍ମ ଫୁଟିବ
ଭୋଟର ପରିବର୍ତ୍ତନ ମୁହଁ । ରାଜ୍ୟରେ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ଭୋଟ ଏକଥା ସ୍ପଷ୍ଟ କରି ଦେଇଛି । ଏଣୁ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ବି ବିଜେପି ସପକ୍ଷରେ ଜନମତ ଯିବ । ଯାଜପୁରରେ ଏଥର ନିଶ୍ଚିନ୍ତ ପଦ୍ମ ଫୁଟିବ । ୨୪ବର୍ଷର ଦୁର୍ନୀତି ସରକାର ବିରୁଦ୍ଧରେ ଭୋଟର ହିଁ ଅସଲ ଲଢେଇ ଲଢୁଛନ୍ତି । ଆମେ କେବଳ ଭୋଟରଙ୍କ ସାଥ୍ ଦେଉଛୁ ।
ବ୍ୟାସନଗର ଠାରେ ଯାଜପୁର ବିଜେପି ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଦୃଢୋକ୍ତି ରାଜ୍ୟ ପ୍ରବକ୍ତା ଦିଲୀପ ମଲିକ ପ୍ରକାଶ କରିଥିବା ବେଳେ ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା ରାଜ୍ୟରେ ବିଜେପି ସରକାର ଏବଂ ଜିଲାରେ ବିଜେପି ସାଂସଦ-ବିଧାୟକଙ୍କ ବିଜୟ ଯାଜପୁରକୁ ଏକ ନୂଆ ପରିଚୟ ଦେବ । ରାଜ୍ୟ ପ୍ରବକ୍ତା ଶ୍ରୀ ମଲିକ କହିଥିଲେ କି ରାଜ୍ୟର ବିଜେଡ଼ି ସରକାର ଲୋକ ମାନଙ୍କୁ ୨୪ବର୍ଷ ହେଲା ଭୁଅାଁ ବୁଲାଇ ଚାଲିଛି । ମୋଦିଙ୍କ ବିକାଶିତ ଭାରତରେ ଓଡ଼ିଶବାସୀ ସାମିଲ ହେବାକୁ ମନ ବଳାଇଥିବା ବେଳେ ଯାଜପୁରବାସୀ ମଧ୍ୟ ଏଥିରେ ସାମିଲ ହେବାକୁ ଆଗ୍ରହି ହୋଇଛନ୍ତି । ଜୁନ ୧ରେ ଯାଜପୁରବାସୀ ସେମାନଙ୍କ ମତ ଦେଇ ବିଜେଡ଼ିକୁ ଗାଦିରୁ ବିତାଡ଼ିତ କରିବେ । ଶ୍ରୀ ମଲିକ କହିଥିଲେ କି ବିଜେଡ଼ି ସରକାରକୁ ଯାଜପୁରବାସୀ ପୂର୍ଣ୍ଣ ସମର୍ଥନ ଦେଇ ଆସିଛନ୍ତି । ଜିଲା ମନ୍ତ୍ରୀମୟ ହୋଇଥିଲା ବେଳେ ଏଠାରେ ବିକାଶ ନୁହେଁ ଖଣି, ବାଲି, ପଥର, ପାହାଡ଼ ମାଫିଆ ସୃଷ୍ଟି କରିଛନ୍ତି । ଲୁଟେରା ଠିକାଦାର ସୃଷ୍ଟି କରିଛନ୍ତି । ମନ୍ତ୍ରୀମୟ ଜିଲାର ନଗଡ଼ା ଚିତ୍ର ବିଶ୍ୱଦରବାରରେ ଯାଜପୁର ନିନ୍ଦିତ ହୋଇଛି । ଯାଜପୁର ଜିଲା ଦେଇ ବୈତରଣୀ, ବ୍ରାହ୍ମଣୀ ସହ ଅନ୍ୟ ନଦୀ ବହିଯାଇଥିଲେ ହେଁ ଏଠି କୃଷିର ବିକାଶ ଘଟୁନି କି ପାନୀୟ ଜଳ ସମସ୍ୟାରୁ ଲୋକେ ମୁକ୍ତି ପାଉନାହାନ୍ତି । ଯୋଉଁ ଜିଲାର ଜନପ୍ରତିନିଧି ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ମୂର୍ତ୍ତି ବଦଳ ଯନ୍ତ୍ର ବଦଳ କରିଥାନ୍ତି, ସେଭଳି ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କରିବାକୁ ମନ ବଳାଇସାରିଲେଣି । ବିଜେପି ପ୍ରତିଶ୍ରୁତି ଦେଉଛି, ସରକାରକୁ ଆସିବା ପରେ ଆମେ ଯାଜପୁର ଜିଲାପାଇଁ ଯେଉଁ ସଂକଳ୍ପ କରିଛୁ ତାହାକୁ ନିଶ୍ଚିନ୍ତ ପୂରଣ କରିବୁ । ଲୋକସଭା ପ୍ରାର୍ଥୀ ଜିଲାପାଇଁରଖିଥିବା ସଂକଳ୍ପ କଥା ରଖିବା ସହ ବିଜେଡ଼ି ସାଂସଦ ପ୍ରାର୍ଥିଙ୍କ ଉଦ୍ୟେଶରେ ପାଞ୍ଚଟି ପ୍ରଶ୍ନ ରଖିଥିଲେ । ରବୀନ୍ଦ୍ର କହିଥିଲେ କି ପାଞ୍ଚବର୍ଷ ପାଇଁ ନିର୍ବାଚିତ ହୋଇ ସଂସଦକୁ ଯାଇଥିବା ଶ୍ରୀମତୀ ସେଠୀ ଯାଜପୁର ପାଇଁ କ’ଣକରିଛନ୍ତି । ଶିଳ୍ପକାରଖାନାରେ ସ୍ଥାନୀୟ ନିଯୁକ୍ତି କଥା କେତେଥର ଉଠାଇଛନ୍ତି । ନଗଡ଼ା କଥା କେତେଥର ସଂସଦରେ ଉପସ୍ଥାପନ କରିଛନ୍ତି । ଚାଷୀଙ୍କ ପାଇଁ ଶୀତଳ ଭଣ୍ଡାର କରିବାରେ କି ପଦକ୍ଷେପ ନେଇଛନ୍ତି । ପିଇବା ପାଣି ପାଇଁ କ’ଣ କରିଛନ୍ତି । ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ କେତେ ସହାୟକ ହୋଇଛନ୍ତି । ଏଭଳି କିଛିପ୍ରଶ୍ନ ରଖିବା ସହ ରବୀନ୍ଦ୍ର ଯାଜପୁର ଦୁର୍ନୀତିର ଏନ୍ତୁଡ଼ିଶାଳ ପାଲଟିଛି ବୋଲି କହିଥିଲେ । ବିଜେଡ଼ି ଦମନଲୀଳା ଚଳାଇଛି, ଶିକ୍ଷା, ପାନୀୟ, ଜଳସେଚନ, ଚାଷୀଙ୍କ ପାଇଁ ଉପଯୁକ୍ତ ବଜାର କରିବାକୁ ଅସମର୍ଥ ହୋଇଛି । ଆଜି ପାହାଡ଼ ର୍ଦୁନୀତି ବ୍ୟାପକ ହୋଇଛି, ନଗଡ଼ା ଚିତ୍ର ନିନ୍ଦିତ କରିଥିବା ବେଳେ ପିଲା ବିକ୍ରିଭଳି ଘଟଣା ଯାଜପୁରରେ ଘଟୁଛି । ବିଜେପି ସରକାରକୁ ଆସିଲେ ସେ ଯାଜପୁରରେ ବୈଶୟିକ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ନେଇ ବେକାର ଯୁବକ-ଯୁବତୀଙ୍କ ନିଯୁକ୍ତି ସ୍ୱପ୍ନ ସାକାର ଉଦ୍ୟମ କରିବେ । ଜିଲା ଯେଭଳି ଆଗକୁ ଯିବ, ସମସ୍ତେ ଯେଭଳି ଏକ ବିକଶତ ଦେଶର ନାଗରିକ ଅନୁଭବ କରିବେ ସେଦିଗରେ କାର୍ଯ୍ୟକରିବେ ବୋଲି କହିଥିଲେ । ସାମ୍ବାଦିକ ସମ୍ମିଳନୀରେ ଜିଲା ବିଜେପି କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡ଼ା ଏବଂ ମିଡ଼ିଆ ସେଲ ସଂଯୋଜକ କାହ୍ନୁ ଚରଣ ଦାସ ପ୍ରମୂଖ ଉପସ୍ଥିତ ରହିଥିଲେ ।