୯ ପଞ୍ଚାୟତରେ ୪୩ହଜାର ଭୋଟର; କାହାକୁ ବାଛିବେ ଜନତା
କୁଆଖିଆ: ଆଉ ମାତ୍ର ୪ ଦିନ ପରେ କୋରେଇରେ ଭାଗ୍ୟ ପରୀକ୍ଷା ବିଭିନ୍ନ ଦଳର ପ୍ରାର୍ଥି । ଜୁନ୍ ୧ତାରିଖ ଯେତେ ପାଖେଇ ଆସୁଛି ନେତା କର୍ମୀଙ୍କ ମନରେ ସେତେ ଶଙ୍କା ଉପୁଜିବାରେ ଲାଗିଛି । ଯଦିଓ ଚଳିତ ନିର୍ବାଚନରେ କୋରେଇ ନିର୍ବାଚନରେ ଜିଲା ତଥା ରାଜ୍ୟ ରାଜନୀତିରେ ୩ ଜଣ ପ୍ରଭାବଶାଳୀ ନେତା ପ୍ରତିଦ୍ୱନ୍ଦିତା କରୁଛନ୍ତି । ସେମାନଙ୍କ ମଧ୍ୟରୁ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେବ ବୋଲି କୁହାଯାଉଛି । ଜାତୀୟ ଦଳ କଂଗ୍ରେସ୍ ପ୍ରାର୍ଥି ତଥା ପ୍ରାକ୍ତନ ମହିଳା ସଭାନେତ୍ରୀ ବନ୍ଦିତା ପରିଡା ରହିଛନ୍ତି । ବନ୍ଦିତା କର୍ମୀଙ୍କୁ ନେଇ ପ୍ରଚାର ପ୍ରସାର କରୁଛନ୍ତି ।
ଜାତୀୟ ଦଳ ବିଜେପିରୁ ଆକାଶ ଦାସ ନାୟକ ନିର୍ବାଚନ ଲଢୁଛନ୍ତି । ଦେଖାଯାଏ ଆକାଶଙ୍କ ନିକଟରେ ଯୁବ କର୍ମୀଙ୍କ ପରିବର୍ତ୍ତେ ବହୁ ପୁରୁଣା ବିଜେପି ଓ ବିଜେଡ଼ି କର୍ମୀ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କ ନିକଟରେ ବହୁ ବିଜେଡି ନେତା ଓ କର୍ମୀ ମଧ୍ୟ ଦଳ ପାଇଁ କାମ କରୁଛନ୍ତି । ତେବେ ସମୁଦାୟ ଏହି ୯ ପଞ୍ଚାୟତର ଭୋଟରଙ୍କ ସଂଖ୍ୟା ୪୩,୧୧୪ ଥିବାବେଳେ ସେମାନଙ୍କ ନିରବତା ଚଳିତ ନିର୍ବାଚନରେ ଅନେକ ସନେ୍ଦହ ଦିଗକୁ ଟାଣି ନେଉଥିବା ଜଣାପଡ଼ିଛି । ଦଳର କିଛି ଅସନ୍ତୋଷ କର୍ମୀ ଓ ଭୋଟର କୋରେଇ ମାଟି ମାଆ ର ସମ୍ମାନ ପାଇଁ ଲଢ଼େଇ କରି ଆସୁଥିବା ବେଳେ ଦଳର ସନ୍ତୁଷ୍ଟ କର୍ମୀମାନେ ଯାଜପୁର ମାଟିକୁ ପୂଜ୍ୟପୂଜା ନିମନ୍ତେ ପୁନରାୟ କୋରେଇ ମାଟିରେ ଥଇଥାନ ପାଇଁ ଅନେକ ଆଶା ନେଇ ମାଆ ସନ୍ଧ୍ୟାରାଣୀଙ୍କ ପାଇଁ ଅଣ୍ଟା ଭିଡିଛନ୍ତି । ବିଗତ ୫ବର୍ଷ ମଧ୍ୟରେ ଏହି ନିର୍ବାଚନ ମଣ୍ଡଳୀରେ ଅନ୍ତର୍ଭୁକ୍ତ ଥିବା ୯ ପଞ୍ଚାୟତ ଗୁଡିକର ନେତା, କର୍ମୀଙ୍କ ମଧ୍ୟରେ ବିଭିନ୍ନ କଥାକୁ ନେଇ ଗୋଷ୍ଠିବାଦ ନିଆଁ ଜଳୁଛି । ଯଦିଓ ଉଭୟ ଏହି ଅସନ୍ତୋଷକୁ ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବିଭିନ୍ନ ସୁତ୍ରରେ ଏକାଠି କରି ନିର୍ବାଚନ ଲଢିବାର ଉଦ୍ୟମ ଓ ମସୁଧା କରିଛନ୍ତି । ତଥାପି ଶାସକ ଦଳ କର୍ମୀ ଓ ନେତାଙ୍କ ମଧ୍ୟରେ ମନ ମିଳୁ ନଥିବା ବିଭିନ୍ନ ରାଲି ଓ ସଭାସମିତିରୁ ବୁଝାପଡୁଛି । ଅନ୍ୟ ଦିଗରେ ବିଜେପି ଦଳର ଆକାଶ କୋରେଇ ମାଟିର ସ୍ୱାଭିମାନକୁ ନିଜ ହାତ ମୁଠାରେ ରଖିବା ପାଇଁ ପ୍ରଚାର ପ୍ରସାର ଜୋରଦାର କରୁଛନ୍ତି । ଭୋଟ ବ୍ୟବଧାନକୁ ବଢାଇବା ପାଇଁ ସେ ପ୍ରାଣପଣେ ଲାଗିପଡ଼ିଛନ୍ତି । ଏପରି କ୍ଷେତ୍ରରେ ସାଧାରଣ ଭୋଟର ଉଭୟ ଦଳର ପରିସ୍ଥିତିକୁ ଲକ୍ଷ୍ୟ କରି ନିରବତା ଅବଲମ୍ବନ କରିଥିବା ବେଳେ କୋରେଇବାସୀ ମାଟି,ପାର୍ଟି ନା ବୁନିୟାଦିକୁ ପ୍ରାଧାନ୍ୟ ଦେବେ ଶାସକ ଦଳ ଏବଂ ବିରୋଧୀ ଦଳ ପକ୍ଷରୁ କେଉଁ ରଣନୀତି ପ୍ରୟୋଗ କରିବେ ତାହା ଆଗାମୀ ଦିନରେ ଜଣାପଡିବ ବୋଲି ସଚେତନ ଭୋଟର, ବୁଦ୍ଧିଜୀବୀ ଏବଂ ରାଜନୀତି ଆଲୋଚକଙ୍କ ମଧ୍ୟରେ ଆଲୋଚନା ହେଉଛି ।