ପ୍ଲାଷ୍ଟିକ ବ୍ୟବହାର ବର୍ଜନ କାର୍ଯ୍ୟକ୍ରମ
ବୈଶିଙ୍ଗା: ଅଁଳା ଗ୍ରାମ ପଞ୍ଚାୟତ ଅଧୀନ ରାଇକମା ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଏକକ ପ୍ଲାଷ୍ଟିକ ବ୍ୟବହାର ବର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଅଧୀନ ସେଣ୍ଟର୍ ଫୋର୍ ଏନଭିରନମେଣ୍ଟାଲ ଷ୍ଟଡିଜ୍ ସହଯୋଗରେ ଅନୁଷ୍ଠିତ ଏହି ଦିବସ ବ୍ୟାପୀ କାର୍ଯ୍ୟକ୍ରମରେ ସେଣ୍ଟର୍ ଫୋର୍ ଏନଭିରନ ମେଣ୍ଟାଲ ଷ୍ଟଡିଜ୍ର କାର୍ଯ୍ୟକ୍ରମ ସଂଯୋଜକ ମୋହନ କୁମାର ରାଉତ୍ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ତଥା ଅଣଶିକ୍ଷକଙ୍କୁ ଏକକ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ସମ୍ବନ୍ଧୀୟ ସବୁଜ ଶପଥ ପାଠ କରାଇଥିଲେ । ଏହି ଉପଲକ୍ଷେ ଆୟୋଜିତ ଏକ ସଚେତନତା ରାଲିକୁ ପ୍ରଧାନ ଶିକ୍ଷକ ଅଜିତ କୁମାର ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥଲେ । ବିଦ୍ୟାଳୟର ତିନି ଶହରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ଲାଷ୍ଟିକ ବର୍ଜନ ଓ ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସ୍ଲୋଗାନ ଦେଇ, ଗ୍ରାମ୍ୟ ରାସ୍ତା ସଫେଇ କରିବା ସହିତ ଗ୍ରାମ ପରିକ୍ରମା କରି ସଚେତନ ସୃଷ୍ଟି କରିଥଲେ । ଏହାପରେ ଛାତ୍ରଛାତ୍ରୀମାନେ "ଏକକ ପ୍ଲାଷ୍ଟିକ ବ୍ୟବହାରକୁ ନା କରିବା' ବିଷୟ ବସ୍ତୁ ଉପରେ ଏକ କ୍ଷୁଦ୍ର ନାଟକ ପ୍ରଦର୍ଶନ କରି ସଚେତନତା ସୃଷ୍ଟି କରିଥିଲେ । ଏହି ବିଷୟ ବସ୍ତୁ ଉପରେ ବିଦ୍ୟାଳୟର ଇକୋ କ୍ଲବ୍ ଛାତ୍ର ଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପରିସରରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଅତିଥିଗଣ ବୃକ୍ଷ ରୋପଣ କରିଥିଲେ । ଉଦ୍ୟାପନୀ ଉତ୍ସବରେ ବେତନଟୀ ବନାଞ୍ଚଳ ଅଧିକାରୀ ମନ୍ୱାର ଖାଁ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଏକକ ପ୍ଲାଷ୍ଟିକ ବ୍ୟବହାରର ମାରାତ୍ମକ କୁପ୍ରଭାବ ସମ୍ୱନ୍ଧରେ ବୁଝାଇବା ସହିତ ଏହାର ନିରାକରଣରେ ସମସ୍ତେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ । ବେତନଟୀ ବନପାଳ ପ୍ରଶାନ୍ତ କୁମାର ସିଂ ସାମନ୍ତ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇ ପରିବେଶ ସୁରକ୍ଷା ସଂକ୍ରାନ୍ତ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ରଛାତ୍ରୀଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ ।