ବିଜେଡ଼ି-ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢେଇ ନିଜ ଉପରେ ଶର୍ମିଷ୍ଠା, ଚିହ୍ନ ଉପରେ ରବୀନ୍ଦ୍ରଙ୍କ ଭରସା
ଯାଜପୁର,: ଯାଜପୁର ସଂରକ୍ଷିତ ଲୋକସଭା ଆସନରୁ ଭାଗ୍ୟ ପରିକ୍ଷା କରିବା ପାଇଁ ନିର୍ବାଚନକୁ ୧୪ ଜଣ ଓହ୍ଲାଇଛନ୍ତି । ମାତ୍ରଦିନଟିଏ ପରେ କଂଗ୍ରେସର ଅଞ୍ଚଳ ଦାସ, ବିଜେପିର ରବିନ୍ଦ୍ର ନାରାୟଣ ବେହେରା, ବିଜେଡ଼ିର ଶର୍ମିଷ୍ଠା ସେଠୀ, ବହୁଜନ ସମାଜ ପାର୍ଟିର ସନ୍ଧ୍ୟାରାଣୀ ମଲ୍ଳ୍ିକ, ମାନସ ଲୋକଶକ୍ତି ଦଳର ଝୁନା ମଳିକ, ଆମ୍ୱେଦକରାଇଟ୍ ପାର୍ଟି ଅଫ ଇଣ୍ଡିଆର ବିଦ୍ୟାଧର ଦଳେଇ, ଗଣସୁରକ୍ଷା ପାର୍ଟିର ବିନୋଦ କୁମାର ଜେନା, ଜନତା ଦରବାର ପାର୍ଟିର ମଣ୍ଟୁ ସେଠୀ, ସୁବାଷ ଚନ୍ଦ୍ର ମଲ୍ଳ୍ିକ, ଏସ୍ୟୁସିଆଇ (କମୁନିଷ୍ଟ), ଆର୍ତ୍ତତ୍ରାଣ ମଳିକ, ନରେନ୍ଦ୍ର ମଳିକ, ଭୈରବ ପ୍ରସାଦ ବେହେରା ଓ ସୁମନ୍ତ ମଳିକ(ସ୍ୱାଧୀନ) ପ୍ରାର୍ଥିଙ୍କ ମଧ୍ୟରୁ ଜଣଙ୍କୁ ସଂସଦ ପଠାଇବା ନିମନ୍ତେ କରିବେ ମତଦାନ ଜନତା । ୧୫ଲକ୍ଷରୁ ଅଧିକ ଭୋଟର କାହାକୁ ପ୍ରତିନିଧି ବାଛୁଛନ୍ତି, ତାହା ୪ତାରିଖରେ ସ୍ପଷ୍ଟ ହୋଇଯିବ । କିନ୍ତୁ ଦଳ ଏବଂ ପ୍ରଚାରକୁ ଦେଖିଲେ ଯାଜପୁର ଲୋକସଭା କ୍ଷେତ୍ରରେ ବିଜେଡ଼ି ଏବଂ ବିଜେପି ମଧ୍ୟରେ ଦ୍ୱିମୁଖୀ ଲଢେଇ ହେଉଛି । ବିଜେଡ଼ି ପ୍ରାର୍ଥିନୀ ଶର୍ମିଷ୍ଠା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବମୂର୍ତ୍ତି ସହ ବିକାଶର କଥା କହି ଭୋଟ ମାଗିବା ସହ ନିଜ ଉପରେ ବିଶ୍ୱାସ ବିଜୟୀ ହେବାର ବିଶ୍ୱାସ ରଖିଛନ୍ତି । ବିଜେପି ପ୍ରାର୍ଥି ରବୀନ୍ଦ୍ର ନାରାୟଣ ବେହେରା ଦଳୀୟ ଚିହ୍ନ ଏବଂ ପୁଣିଥରେ ମୋଦି ସରକାର ନାରା ଉପରେ ଭରସା କରିଛନ୍ତି । ବିଜେପି ଭୋରଟଙ୍କୁ ଆପଣାଇବା ପାଇଁ ପୁଣି ଥରେ ମୋଦି ସରକାର ନାରା ଦେବା ସହ ରାଜ୍ୟ ଓ କେନ୍ଦ୍ରରେଡ଼ବଲ ଇଂଜିନ ସରକାର ଗଠନ ଆହ୍ୱାନକୁ ରବୀନ୍ଦ୍ର ବିଜୟର ମାପକାଠି ଭାବେ ଧରିନେଇଛନ୍ତି । ସେହି ଆଧାରରେ ରବୀନ୍ଦ୍ର ବିଭିନ୍ନ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଦଳୀୟ ପ୍ରାର୍ଥିଙ୍କ ସହ ଭୋଟରଙ୍କୁ ଭେଟି ଭୋଟ ମାଗିଛନ୍ତି । ଆଜି ଶେଷ ଦିନରେ ରବୀନ୍ଦ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସୁକିନ୍ଦା, ବରୀ, ଯାଜପୁର ବିଧାନସଭା ଆସନରେ ହୋଇଥିବା ନିର୍ବାଚନୀ ସଭାରେ ଯୋଗ ଦେଇ ଭୋଟ ମାଗିଛନ୍ତି । ଚଳିତ ନିର୍ବାଚନରେ ଭୋଟର କାହାକୁ ଭୋଟ ଦେବେ ସେଭଳି ଖୋଲାଖୋଲି ପ୍ରକାଶ କରୁନାହାନ୍ତି । କିନ୍ତୁ କେନ୍ଦ୍ରରେ ଆଉଥରେ ମୋଦି ସରକାର ବିଜେପି ନାରାଦେଇ ଭୋଟରଙ୍କୁ ଆପଣାଇବାରେ ଲଗିଛି । ବିଜେପିର ରାଷ୍ଟ୍ରିୟ ଅଧ୍ୟକ୍ଷ, ଗୃହମନ୍ତ୍ରୀ ଅମିିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ସବୁ ସ୍ଥାନରେ ନିର୍ବାଚନୀ ପ୍ରଚାର କରିଛନ୍ତି ରବୀନ୍ଦ୍ର ସେହି ମଞ୍ଚରେ ନିଜ ପାଇଁ ଭୋଟମାଗିଛନ୍ତି । ରବୀନ୍ଦ୍ର ମୋଦିଙ୍କ ପ୍ରଭାବ ଏବଂ ପଦ୍ମ ଚିହ୍ନ ଉପରେ ଭରସା କରି ବିଜୟୀ ହେବାକୁ ଆଶାବାନ୍ଧିଥିବା ବେଳେ ବିଜେଡ଼ି ପ୍ରାର୍ଥିନୀ ଶର୍ମିଷ୍ଠା କିନ୍ତୁ ବିଜୟି ହେବା ନେଇ ପୁରା ବିଶ୍ୱାସରେ ରହିଛନ୍ତି । ବିଜେଡ଼ି ପ୍ରାର୍ଥୀନୀ ଶର୍ମିଷ୍ଠାଙ୍କ ପ୍ରଚାର ଅନ୍ୟମାନଙ୍କ ଠାରୁ ଆଗରେ ଅଛନ୍ତି । ନାଁ ଘୋଷଣା ପରଠୁ ଶର୍ମିଷ୍ଟା ବିଭିନ୍ନ ନିର୍ବାଚନ ମଣ୍ଡଳୀକୁ ଯାଇଭୋଟରଙ୍କୁ ଭେଟିବା ସହ ଦଳୀୟ ବିଧାୟକ ପ୍ରାର୍ଥିଙ୍କ ସହ ବୁଲି ମଧ୍ୟ ପ୍ରଚାର କରିଛନ୍ତି । ଶର୍ମିଷ୍ଠାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ନେତା ଭିକେପାଣ୍ଡିଆନ ପ୍ର୍ରଚାର କରିଛନ୍ତି । ୨୦୧୯ରେ ୧ଲକ୍ଷ ୪ହଜାରରୁ ଅଧିକ ଭୋଟରେ ବିଜୟି ହୋଇଥିବା ଶର୍ମିଷ୍ଠା ଦ୍ୱିତୀୟବାର ବିଜୟୀ ହେବା ଲକ୍ଷ୍ୟରେ ଶେଷ ଦିନ ଯାଏ ପ୍ରଚାର କରିଛନ୍ତି । ତେବେ ଯାଜପୁର ଲୋକସଭା ହାସଲ କରି ବିଜେପି ଜିଲାରେ ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ରବୀନ୍ଦ୍ର ଏଦିଗରେ କାର୍ଯ୍ୟ କରିବାକୁ ବିଧାୟକ ପ୍ରାର୍ଥିଙ୍କ ସହଯୋଗ ଲୋଡ଼ିଥିଲେ ହେଁ ଧର୍ମଶାଳା କ୍ଷେତ୍ରରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି । ଧର୍ମଶାଳାରେ ବିଜେପି ପାଇଁ ସ୍ୱାଧୀନ ବଡ଼କଣ୍ଟା ହୋଇଛି । ରବୀନ୍ଦ୍ର ଜୋଶରେ ଲଢେଇ କରୁଥିଲେ ହେଁ ପ୍ରଚାର କ୍ଷେତ୍ରରେ ବିଜେଡ଼ି ଶର୍ମିଷ୍ଠାଙ୍କୁ ଟପିପାରି ନାହାନ୍ତି । କଂଗ୍ରେସ ପ୍ରାର୍ଥି ଅଞ୍ଚଳ ଦାସ କୈାଣସି ମତେ ନିଜର ଦକ୍ଷତା ଦେଖାଇବାକୁ ଲାଗିପଡ଼ିଛନ୍ତି । ଦଳର ସଂଗଠନ ଅବସ୍ଥା ଭଲ ନଥିଲେ ହେଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ବୁଲିବା ସହ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ଧରି ପ୍ରଚାର କରିଛନ୍ତି । ଆଜି ଶେଷ ଦିନରେ ମଧ୍ୟ ଅଞ୍ଚଳ ପ୍ରଚାର କରି ନିଜ ସପକ୍ଷରେ ଭୋଟ ମାଗିଛନ୍ତି । ଏଭଳି କ୍ଷେତ୍ରରେ ବିଜେପି ଖାତାରେ ଯାଜପୁର ଲୋକସଭା ଯିବାର ଯେଉଁ ବିଶ୍ୱାସ ରାଜ୍ୟ ଏବଂ କେନ୍ଦ୍ର ନେତା ଅପେକ୍ଷା ରଖିଛନ୍ତି, ତାହା କେତେଦୂର ସଫଳ ହୋଇପାରୁଛି ତାହା ଦେଖିବାକୁ ରହିଥିବା ବେଳେ ବିଜେଡ଼ିର ଗଡ଼କୁ ଶର୍ମିଷ୍ଠା ସୁରକ୍ଷିତ ରଖିପାରୁଛନ୍ତି ନା ନାହିଁ ତାହା ମଧ୍ୟ ଦେଖିବାର ଅଛି ।