ବିଜେଡିକୁ ମାତ୍ ଦେଇ ବାଜି ମାରିଲା ବିଜେପି

ବର୍ଷ ୨୦୨୪କୁ ବିଦାୟ ଦେଇ ନୂଆବର୍ଷ ୨୦୨୫କୁ ଆମେ ସମସ୍ତେ ସ୍ୱାଗତ କରିବାକୁ ଅନାଇ ବସିଛନ୍ତି । ଅଧରାତିରୁ ଆରମ୍ଭ ହୋଇଯିବ,ନୂଆବର୍ଷକୁ ସ୍ୱାଗତ କରିବା ପର୍ବ । ବିଦାୟ ନେବ ପୁରୁଣା ବର୍ଷ । କିନ୍ତୁ ଏମିତିକଛି ଘଟଣା ଥାଏ, ଯାହା ସ୍ମୃତିପଟ୍ଟରେ ସତେଜ ହୋଇ ରହିଯାଇଥାଏ । ଯାହା ପିଢି ପରେ ପିଢିକୁ ଆଲୋଚନା କରିବାକୁ ବାଧ୍ୟ କରିଥାଏ । କେଇଘଣ୍ଟା ଭିତରେ ବିଦାୟ ନେଉଥିବା ୨୦୨୪ର ରାଜନୈତିକ ସ୍ମୃତିପଟ୍ଟକୁ ଅନୁଶୀଳନ କଲେ ବର୍ଷଟି ରାଜନୀତି ରୁଚିକରଙ୍କ ପାଇଁ ସବୁଦିନ ସ୍ମୃତି ହୋଇରହିବ । ରାଜ୍ୟଠାରୁ ନେଇ କେନ୍ଦ୍ର ପର୍ଯ୍ୟନ୍ତ ବର୍ଷ ୨୦୨୪ରେ ଦେଖିବାକୁ ମିଳିଥିଲା ଅନେକ ରାଜନୈତିକ ହଟ୍ଟଚମଟ । ଯଦିଓ କେନ୍ଦ୍ରରେ ଏନଡିଏ ମେଣ୍ଟ ତୃତୀୟଥର ପାଇଁ କ୍ଷମତା ଦଖଲ କରିଥିଲା ହେଲେ ପୂର୍ବାପେକ୍ଷା ଲୋକପ୍ରିୟତା କମିବାର ଚିତ୍ର ଶାସକ ଦଳକୁ ଚିନ୍ତାରେ ପକାଇଥିଲା । ବିରୋଧୀଙ୍କ ଉତ୍ଥାନ ଜାତୀୟ ରାଜନୀତିରେ ମଧ୍ୟ ବେଶ୍ ପ୍ରଭାବ ପକାଇଥିଲା । ସେହିପରି ଓଡିଶାରେ ଦୀର୍ଘ ୨୪ ବର୍ଷର ଶାସନରେ ଆସିଥିଲା ପରିବର୍ତନ ଆଉ ନୂଆକରି କ୍ଷମତା ଦଖଲ କରିଥିଲା ଭାରତୀୟ ଜନତାପାର୍ଟି । ସେହିକ୍ରମରେ ଦେଖିବାକୁ ଗଲେ ଉପକୂଳବର୍ତୀ ଜିଲା ଯାଜପୁରରେ ମଧ୍ୟ ଏକ ବ୍ୟାପକ ରାଜନୈତିକ ପରିବର୍ତନ ଦେଖିବାକୁ ମିଳିଥିଲା । ପ୍ରଥମ କରି ଯାଜପୁର ସଂସଦୀୟ କ୍ଷେତ୍ରକୁ ଭାରତୀୟ ଜନତା ପାର୍ଟି ଦଖଲ କରିଥିବା ବେଳେ ୭ଟି ବିଧାନସଭା ମଧ୍ୟରୁ ୩ଟିରେ ବିଜେପି ବିଜୟୀ ହୋଇଥିଲା । ଧର୍ମଶାଳାର ସ୍ୱାଧୀନ ବିଧାୟକଙ୍କୁ ମିଶାଇଲେ ବିଜେପି ୪ ବିଧାୟକଙ୍କ ସହ ଜଣେ ସାଂସଦଙ୍କୁ ନେଇ ଜିଲାରେ ଏକ ନୂଆ ଶାସନର ଯୁଗ ଆରମ୍ଭ କରିଥିଲା ।  କିପରି ଥିଲା ବର୍ଷ ୨୦୨୪ର ରାଜନୈତିକ ଘଟଣାକ୍ରମ ତାହାକୁ ନେଇ ଜିଲା ପ୍ରତିନିଧି ଶରତ ପଥାଳଙ୍କ ରିପୋର୍ଟ ।