ନୂଆପଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶ
- ଏକପାଖିଆ ହେବ ନିର୍ବାଚନ : ମୋହନ
- ବିଜେଡ଼ି ଓ କଂଗ୍ରେସ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ
- ବିଜେପିର ଅନ୍ୟ ନାଁ ବିକାଶ : ମନମୋହନ
- ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ନୂଆପଡ଼ାର ସେବା କରିବି : ଜୟ
ଭୁବନେଶ୍ୱର : ନୂଆପଡା ଦେଖିବ ଡବଲ ଇଞ୍ଜିନ ସରକାରର ବିକାଶର ଗତି । ବିଭିନ୍ନ ଦଳରୁ ହଜାର ହଜାର କର୍ମୀଙ୍କ ସହିତ ଅନେକ ଦଳୀୟ ନେତା ନିଜ ନିଜ ଦଳ ତ୍ୟାଗ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜିଙ୍କ ବିଚାର ଓ ବିକାଶ କାର୍ଯ୍ୟରେ ପ୍ରଭାବିତ ହୋଇ ବିଜେପିରେ ଯୋଗଦାନ କରିଛନ୍ତି । ଏତେ ସଂଖ୍ୟକ କର୍ମୀ ଗୋଟିଏ ଦଳ ଛାଡି ବିଜେପିିରେ ମିଶିବା ହୁଏତ ପୂର୍ବରୁ କେବେ ହୋଇନଥିଲା । ନୂଆପଡା ଉପନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ ଏବଂ ଏହାକୁ ନେଇ କାହା ମନରେ ଦ୍ୱନ୍ଦ କି ସନ୍ଦେହ ରହିବା କଥା ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ନୂଆପଡାର ବିକାଶର ଦାୟିତ୍ୱ ମୁଁ ନେଇଛି । ଜିଲ୍ଲାକୁ ରାଜ୍ୟର ବିକଶିତ ଓ ଶ୍ରେଷ୍ଠ ଜିଲ୍ଲା ବର୍ଗକୁ ନେବାର ଦାୟିତ୍ୱ ମୁଁ ନେଇଛି । ଏହି ପରିପ୍ରେକ୍ଷୀରେ ଗତ ୬ ଜିଲ୍ଲା ଗସ୍ତ ଅବସରରେ ୧୧ ଶହ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପଗୁଡିକର ଶିଳାନ୍ୟାସ ହୋଇଛି । ଗୋଟିଏ ଦିନରେ ଗୋଟିଏ ଜିଲ୍ଲାରେ ଏତେ ଟଙ୍କାର ପ୍ରକଳ୍ପ ଆଗରୁ କେବେ ହୋଇନଥିଲା । ଏହା ହେଉଛି ଆମ ସରକାରଙ୍କ ପ୍ରତିବଦ୍ଧତା ଓ ବ୍ୟକ୍ତିଗତ ଭାବେ ମୋର ଉତରଦାୟିତ୍ୱ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଅତୀତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାଲେଶ୍ୱର, ଧାମନଗର, ପଦ୍ମପୁର, ବିଜେପୁର ଆଦି ଉପନିର୍ବାଚନରେ ବିକାଶର ଦାୟିତ୍ୱ ମୋର ବୋଲି ଘୋଷା ପାଠ କରିଥାନ୍ତି । ପରବର୍ତ୍ତୀ ସମୟରେ ଉପନିର୍ବାଚନ ପରେ, ସବୁ କଥା ଭୁଲି ଯାଇ ଦାୟିତ୍ୱ ବି ସାରି ଦେବାର କଥାକୁ ସମସ୍ତେ ମନେ ରଖିଛନ୍ତି । କିନ୍ତୁ ଆମ ସରକାରର ମନ୍ତ୍ର ହେଉଛି କଥା ଦେବୁ, କଥା ରଖିବୁ । କଥା ଦେଇ କଥା କେମିତି ରଖାଯାଏ, ତାହା ଗତ ପନ୍ଦର ମାସ ହେବ ଆମ ସରକାର ରାଜ୍ୟରେ କରୁଛନ୍ତି । ଗତ ୧୧ ବର୍ଷ ଧରି କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରରେ କରିଆସୁଛନ୍ତି । ନିକଟ ଅତୀତରେ କେନ୍ଦ୍ର ସରକାର ଓଡିଶା ପାଇଁ ୩୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଯେଉଁଥିରେ ନୂଆପଡା ଜିଲ୍ଲାକୁ ଗୁରୁତ୍ୱ ମିଳିଛି । ବରଗଡ ରୋଡ - ନୂଆପଡା ରେଳ ଲାଇନ, ନୂଆପଡା – ଗୁଣପୁର – ଥେରୁବାଲି ରେଳ ଲାଇନ ପ୍ରକଳ୍ପ ସ୍ଥାନ ପାଇଛି ବୋଲି ଶ୍ରୀ ମାଝୀ କହିଛନ୍ତି । ଜଣେ ସମାଜସେବକ ଭାବେ ନିଜ ଅଞ୍ଚଳବାସୀଙ୍କ ପାଇଁ କାର୍ଯ୍ୟ କରିବା ଓ ତାଙ୍କ ସୁଃଖଦୁଃଖରେ ଛିଡା ହେବା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ସ୍ୱଭାବ ଥିଲା । ଆଜି ତାଙ୍କ ଅବର୍ତ୍ତମାନରେ ତାଙ୍କର ସୁଯୋଗ୍ୟ ଦାୟାଦ ଜୟ ଢୋଲକିଆ ନିଜ ପିତାଙ୍କ ପଦାକୁ ଅନୁସରଣ କରୁଛନ୍ତି । ନୂଆପଡାର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜ ପିତାଙ୍କ ସ୍ୱପ୍ନ, ଆଶା ଓ ଆକାଂକ୍ଷା ସଂପର୍କରେ ଭଲ ଭାବେ ଅବଗତ ଥିବା ଜୟ ଢୋଲକିଆ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ଏହି ଅଞ୍ଚଳର ବିକାଶ ପାଇଁ ନିର୍ଣ୍ଣାୟକ ମୁହୂର୍ତ୍ତ ହେବାକୁ ଯାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି । ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପରେ ବିଜେଡି ତରଫରୁ ଯେଉଁ ବ୍ୟକ୍ତିଗତ ଆଶାଳୀନ ମନ୍ତବ୍ୟ ଦିଆଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ ।
ମାତ୍ର ଶାଳୀନତା ପାଇଁ ଜଣାଶୁଣା ନବୀନ ପଟ୍ଟନାୟକ ଏଭଳି ଘୃଣ୍ୟ ଟିପ୍ପଣୀକୁ ନିନ୍ଦା ନକରିବା ଅତ୍ୟନ୍ତ ମର୍ମାହତ କରିଛି । ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଜିଲ୍ଲାରେ ସୁଦୃଢ ସଂଗଠନ ଅଛି । ଡୋଲକିଆ ପରିବାରର ଜନପ୍ରିୟତା ଓ ନିଜ ବ୍ୟକ୍ତିଗତ ସଂଗଠନ ଅଛି । ଏବେ ଏହି ଡବଲ ଇଂଜିନ ତୃଣମୁଳ ସ୍ତରରେ କାନ୍ଧକୁ କାନ୍ଧ ମିଶାଇ କାର୍ଯ୍ୟ କରିବେ । ଏହି ନିର୍ବାଚନ ଏକପାଖିଆ ହେବ ଏବଂ ବିଜେପି ପ୍ରାର୍ଥୀ ବିପୁଳ ସଂଖ୍ୟାରେ ଭୋଟ ହାସଲ କରି ନିର୍ବାଚିତ ହେବେ ବୋଲି ଶ୍ରୀ ମାଝୀ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିଜୟ କରିବା ପାଇଁ ସଂକଳ୍ପ ନେବାକୁ ଲୋକ ଆସିଛନ୍ତି । ଆମେ ଅକ୍ଲାନ୍ତ ପରିଶ୍ରମ କରି ଏଥର ବୃହତ ଓ ରେକର୍ଡ ବ୍ୟବଧାନରେ ବିଜୟୀ ହେବୁ । ରାଜ୍ୟର ବିକାଶ ମୁଖ୍ୟମନ୍ତ୍ରୀଙ୍କ ହାତରେ ହେଉଛି । ଆମେ ଯାହା କହିଛୁ ତାହା କରିଛୁ । ଚାଷୀ, ମହିଳାଙ୍କ ପାଇଁ ରାଜ୍ୟ ସମର୍ପିତ । ଆପଣଙ୍କ ଯେଉଁ ମେଡିକାଲ କଲେଜ ପାଇଁ ଦାବି ରହିଛି ତାକୁ ମଧ୍ୟ ଚିନ୍ତା କରାଯିବ । ୪୦ ବର୍ଷ ଓଡିଶାରେ ଓ ୫୬ ବର୍ଷ କେନ୍ଦ୍ରରେ ଶାସନ କଲା କଂଗ୍ରେସ । ବିଜୁ ଜନତା ଦଳ ମଧ୍ୟ ଲମ୍ବା ସମୟ ଧରି ଶାସନ କରିବା ପରେ ମଧ୍ୟ ନୂଆପଡାବାସୀ ସମସ୍ତ ସୁବିଧାରୁ ବଞ୍ଚିତ ହେଲେ । କିନ୍ତୁ ୧୬ ମାସ ଧରି ଭାରତୀୟ ଜନତାପାର୍ଟି ସରକାର ମୋହନ ମାଝୀଙ୍କ ନେତୃତ୍ୱରେ ଏବଂ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୧୨ ବର୍ଷର ବିଜେପି ସରକାର ଭାରତର ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି । ଆମ ଦଳ ଲୋକଙ୍କ ବିଶ୍ୱାସକୁ ଜିତିପାରିଛି । ବିଜେପିର ଅନ୍ୟ ନାମ ବିକାଶ । ନୂଆପଡାରେ ନିର୍ବାଚନ ପରେ ମେଡିକାଲ କଲେଜ ଖୋଲାଯିବ ।
ନୂଆପଡାରେ ଶିକ୍ଷାଠାରୁ ଆରମ୍ଭ କରି ଜଳସେଚନ, ଗମନାଗନ ପର୍ଯ୍ୟନ୍ତ ସମସ୍ତ ସମସ୍ୟାର ସମାଧାନ କରାଯାଇ ସାମଗ୍ରିକ ବିକାଶ କରାଯିବ । ଏବେ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ରହିଥିବାବେଳେ ନୂଆପଡାରେ ବିଜୟୀ ହୋଇପାରିଲେ ଏଠାକାର ମୌଳିକ ସମସ୍ୟାର ପରିବର୍ତ୍ତନ ହେବ । ନିର୍ବାଚନରେ ଐତିହାସିକ ବିଜୟ ଲାଭ କରାଇ ପାଇଁ ଶ୍ରୀ ସାମଲ ନୂଆପଡାବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ସେହିପରି ମାଟିକୁ ଲୁଟିବାର ଦଳ କଂଗ୍ରେସ । କୁକୁଡା ଦାନା ଦେଇକି ଗରିବ ଲୋକଙ୍କୁ ମାରୁଥିବା ଦଳ କଂଗ୍ରେସ । ନୂଆପଡାକୁ ଖିନଭିନ କରିଛି କଂଗ୍ରେସ ଦଳ ବୋଲି ପୂର୍ବତନ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି । ମୋର ବାପା ସ୍ୱର୍ଗତ ରାଜୁ ଭାଇ ଢୋଲକିଆଙ୍କ ଯେଉଁ ପ୍ରତିଜ୍ଞା ଥିଲା ତାକୁ ଗାଁକୁ ନେବା ପାଇଁ ବିଜେପିରେ ସାମିଲ ହୋଇଛି । ମୋର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମୁଁ ସମାଜ ସେବା ଜାରି ରଖିବି । ସବୁ ଦିନ ପାଇଁ ମୋ ଘର ଦ୍ୱାର ଆପଣଙ୍କ ପାଇଁ ଖୋଲା ରହିବ ବୋଲି ବିଜେପି ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ସାଂସଦ ମାଳବିକା ଦେବୀ, ରାଜ୍ୟସଭା ସାଂସଦ ସୁଜିତ କୁମାର, ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ରବି ନାଏକ, ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମନ୍ତ୍ରୀ ଗଣେଷରାମ ସିଂ ଖୁଂଟିଆ, ମନ୍ତ୍ରୀ ବିଭୂତି ଜେନା, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଧାୟକ ଜୟନାରାୟଣ ମିଶ୍ର, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଯଦୁମଣି ପାଣିଗ୍ରାହୀ, ପ୍ରସନ୍ନ ପାଢୀ, ହୋମସିଂ ମାଝୀ, ଅଭିନନ୍ଦନ ପଣ୍ଡା, ଖରିଆର ରୋଡ ଏନଏସି ଅଧ୍ୟକ୍ଷା ଡା.ସୋନିଆ ଜୈନ, ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ଧର୍ମପତ୍ନୀ ଶ୍ରୀମତୀ କଳ୍ପନା ଢୋଲକିଆ ପ୍ରମୁଖ ଉପସ୍ଥିତ ଥିଲେ ।