୫୧ ଆସନ ପାଇଁ ବିଜେଡ଼ିର ସ୍ୱତନ୍ତ୍ର ରଣନୀତ

ଭୁବନେଶ୍ୱରରୁ ରାମଚଣ୍ଡୀ ପ୍ରସାଦ ରଣସିଂହ : ନବୀନଙ୍କୁ ଦୁଇଟି ଆଶୀର୍ବାଦ ଦେବା ପାଇଁ ନିବେଦନ କରିଛି ବିଜେଡ଼ି । ଅର୍ଥାତ୍ ବିଧାନସଭା ଓ ଲୋକସଭାରେ ଶଙ୍ଖକୁ ଭୋଟ ଦେବା ପାଇଁ ଦଳ କହୁଛି । କାହିଁକିନା ୨୦୧୯ ଅଙ୍କ ବିଜେଡ଼ିକୁ କେଉଁଠି ନା କେଉଁଠି ବିଚଳିତ କରିଦେଇଛି । ଗତଥର ଅନେକ ସ୍ଥାନରେ ଏମପି ଭୋଟ ମୋଦିଙ୍କୁ ଯାଇଥିବାବେଳେ ବିଧାନସଭା ଭୋଟ୍ ନବୀନଙ୍କୁ ଯାଇଥିଲା । ରାଜ୍ୟରେ ବିଧାନସଭା ସହ ଲୋକସଭା ନିର୍ବାଚନ ହେଉଛି । ଦୁଇଟି ଇଭିଏମରେ ଭୋଟ ଦେଉଛନ୍ତି ଭୋଟର । ତେବେ ୨୦୧୯ରେ ବିଧାନସଭା ଇଭିଏମରେ ଶଙ୍ଖ ଭୋଟ ଅଧିକ ପଡ଼ିଥିବାବେଳେ ଲୋକସଭା ଇଭିଏମରେ ପଦ୍ମଫୁଲ ଭୋଟ ଅଧିକ ପଡ଼ିଥିଲା । ଲୋକସଭା ଭୋଟ ହିସାବକୁ ନେଲେ ବିଜେପି ୫୧ ବିଧାନସଭା ଆସନରେ ବିଜେଡ଼ିକୁ ପଛରେ ପକାଇ ଦେଇଥିଲା ।
୨୦୧୯ ବିଧାନସଭା ଭୋଟକୁ ହିସାବ କଲେ ବିଜେପି ୨୩ ଆସନରେ ବାଜିମାତ କରିଥିଲା । ଯେତେବେଳେକି ସମସ୍ତଙ୍କୁ ଚକିତ କରି ଲୋକସଭା ଭୋଟରେ ବିଜେପି ୫୧ ଆସନରେ ଆଗେଇ ଯାଇଥିଲା । ଏହି ୫୧ ଆସନ ପାଇଁ ବିଜେଡ଼ି ଏଥର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା ଜାଣିବାକୁ ମିଳିଛି ।
ବରଗଡ଼ରେ ଗୋଟିଏ ବି ବିଧାନସଭା ଆସନ ବିଜେପି ଖାତାକୁ ଯାଇନଥିଲା । ତେବେ ସାଂସଦ ସୁରେଶ ପୂଜାରୀ ପଦ୍ମପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ାରେ ବିଜେଡ଼ି ପ୍ରାର୍ଥୀଙ୍କ ଠାରୁ ଅଧିକ ଭୋଟ ପାଇଥିଲେ । ବିଜେପୁରରେ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବାରୁ ସୁରେଶ ସେଇଠାରେ ହିଁ ପଛରେ ପଡ଼ିଯାଇଥିଲେ ।
ସୁନ୍ଦରଗଡ଼ରେ ଜୁଏଲ ଓରାମ୍ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁରରେ ବିଜେଡ଼ି ପ୍ରାର୍ଥିନୀ ସୁନୀତା ବିଶ୍ୱାଳଙ୍କ ଠାରୁ ଅଧିକ ଭୋଟ ପାଇଥିଲେ । ଏକଦା ବଣେଇ ତାଙ୍କର ଗଡ଼ ଥିଲେବି ଜୁଏଲ ସେଠାରୁ କମ୍ ଭୋଟ ପାଇଥିଲେ । ସମ୍ବଲପୁରରେ ବିଜେପି ନେତା ନୀତେଶ ଗଙ୍ଗଦେବ କୁଚିଣ୍ଡା, ରେଙ୍ଗାଲୀ, ସମ୍ବଲପୁର, ଦେବଗଡ଼ରେ ଆଗୁଆ ରହିବାରୁ ବିଜେଡ଼ିକୁ ହରାଇବାରେ ସକ୍ଷମ ହୋଇଥିଲେ । କେନ୍ଦୁଝର
ଲୋକସଭାରେ ବିଜେପି ହାରିଥିବାବେଳେ ପାଟଣା ଓ କେନ୍ଦୁଝରରେ ବିଜେଡ଼ି ଠାରୁ ଅଧିକ ଭୋଟ ପାଇଥିଲା । ଅପରପକ୍ଷରେ ମୟୂରଭଞ୍ଜର ଯଶୀପୁର, ସାରସକଣା, ରାଇରଙ୍ଗପୁର ଓ ବାରିପଦାରେ ବିଶ୍ୱେଶ୍ୱର ଟୁଡ଼ୁ ଅଧିକ ଭୋଟ ପାଇବାରୁ ବାଜିମାତ୍ କରିଥିଲା । ବାଲେଶ୍ୱରରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବଡ଼ସାହି, ବାଲେଶ୍ୱର, ରେମୁଣା, ନୀଳଗିରିରେ ବିଜେଡ଼ିକୁ ପଛରେ ପକାଇ ବିଜୟୀ ହୋଇଥିଲେ । ସେହିପରି ଭଦ୍ରକ ଲୋକସଭା ଆସନରେ ବିଜେପିର ଅଭିମନୁ୍ୟ ସେଠୀ କେବଳ ସୋରୋ ଓ ଧାମନଗରରେ ଅଗ୍ରଣୀ ଲାଭ କରିଥିଲେ । ଢେଙ୍କାନାଳରେ ବିଜେପି ପରଜଙ୍ଗ ଓ ପାଳଲହଡ଼ାରେ ଆଗୁଆ ଥିଲା । ବଲାଙ୍ଗୀରରେ ସଂଗୀତା ସିଂହଦେଓ ଲୋଇସିଂହା, ପାଟଣାଗଡ଼, ଟିଟିଲାଗଡ଼ ଓ କଣ୍ଟାବାଞ୍ଝôରେ ଆଗୁଆ ରହିବା ସହ ସାଂସଦ ହେବାର ସୌଭାଗ୍ୟ ପାଇଥିଲେ । କଳାହାଣ୍ଡିରେ ବସନ୍ତ ପଣ୍ଡା ଖରିଆର, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଓ ନର୍ଲାରେ ଅଗ୍ରଣୀ ହାସଲ କରିବାରୁ ପ୍ରଥମ ଥର ପାଇଁ ସାଂସଦ ହୋଇପାରିଥିଲେ । ନବରଙ୍ଗପୁରରେ ବିଜେପି ଉମରକୋଟ ଓ ମାଲକାନାଗିରିରେ ଆଗୁଆ ରହିଥିଲା । ପୁରୀ ସଂସଦୀୟ କ୍ଷେତ୍ରରେ ପୁରୀ, ବ୍ରହ୍ମଗିରିରେ ବିଜେପି ଉଭୟ ଲୋକସଭା ଓ ବିଧାନସଭାରେ ବିଜେଡ଼ିକୁ ପଛରେ ପକାଇ ଦେଇଥିଲା । ବରଗଡ଼ ଭଳି ଭୁବନେଶ୍ୱରରେ ବି ବିଜେପି ଗୋଟିଏ ବିଧାନସଭା ଆସନ ପାଇନଥିଲା । ତେବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଜୟଦେବକୁ ଛାଡ଼ିଦେଲେ ଭୁବନେଶ୍ୱରର ୩ ଆସନ, ଜଟଣୀ, ବେଗୁନିଆ ଓ ଖୋର୍ଦ୍ଧାରେ ଅଗ୍ରଣୀ ଲାଭ କରିଥିଲେ । ଯାହାଫଳରେ ସେ ପ୍ରଥମ ଥର ସାଂସଦ ହେବାର ସୁଯୋଗ ପାଇଥିଲେ । ଅପରପକ୍ଷରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରର ମୋହନା ଓ ପାରଳାଖେମୁଣ୍ଡିରେ ବିଜେପି ଆଗୁଆ ରହିଥିଲା । ଗାଏମୋଟ ଦେଖିଲେ ୨୧ ଲୋକସଭା ଆସନ ମଧ୍ୟରୁ ୭ଟି ଲୋକସଭା ଆସନରେ ବିଜେପି କୌଣସି ଏକ ବିଧାନସଭା ଆସନରେ ବି ବିଜେଡ଼ିକୁ ପଛରେ ପକାଇ ପାରିନାହିଁ । ତେବେ ଏହି ୫୧ ଆସନ ପାଇଁ ଦଳ ଏଥର ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଯାହାଫଳରେ ବିଧାନସଭା ସହ ଦଳ ଲୋକସଭାରେ ବି ବାଜିମାତ୍ କରିପାରିବ ।