ବିଜେଡ଼ିରେ ଆରମ୍ଭ ହେବ ଜେନ୍-ଜେଡ଼ଙ୍କ ବିଦ୍ରୋହ
ଭୁବନେଶ୍ୱର: ଅରୁଣ ସାହୁ ବିଦ୍ରୋହର ବିଗୁଲ୍ ଫୁଙ୍କି ସାରିଲେଣି । ଉପରକୁ ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ ବୋଲି ଦର୍ଶାଉଛନ୍ତି । ଶଙ୍ଖଭବନରେ ମଝିରେ ମଝିରେ ପ୍ରେସ୍ ମିଟ୍ ବି କରୁଛନ୍ତି । ହେଲେ ତାଙ୍କ ମନ ଭିତରେ ଜଳୁଥିବା ବିଦ୍ରୋହର ନିଅାଁ କିନ୍ତୁ ଲିଭିବା ବଦଳରେ ହୁତୁହୁତୁ ହୋଇ ଜଳୁଛି । ଯୁବ ଓ ଛାତ୍ରଙ୍କୁ ଡାକି ବିଦ୍ରୋହ ପାଇଁ ପ୍ରସ୍ତୁତ କରୁଛନ୍ତି । ସେପଟେ ବବି ଦାସଙ୍କୁ ପାନେ ଦେବା ପାଇଁ ଓର ଉଣ୍ଡୁଛନ୍ତି ପ୍ରୀତିରଞ୍ଜନ ଘଡ଼େଇ । ପ୍ରୀତିଙ୍କ ପ୍ରେରଣା ଓ ପ୍ରୋତ୍ସାହନରେ ବିଜେଡ଼ିର ଅସନ୍ତୁଷ୍ଟ ଯୁବ ଓ ଛାତ୍ର ନେତାମାନେ ଏକ ସଂଗଠନ ବି ଗଢ଼ିଲେଣି । ଗାଏମୋଟ୍ କହିଲେ ଅରୁଣ ହୁଅନ୍ତୁ କି ଡାନି ଏବେ ଦଳର ଜେନ-ଜେଡ଼ଙ୍କୁ ଟିହାଉଛନ୍ତି । ୨୦ରୁ ୩୦ ବର୍ଷ ବୟସର କର୍ମୀ ଓ ନେତାମାନେ ଯୁବ ଓ ଛାତ୍ର ସଂଗଠନରେ ସକ୍ରିୟ ଥିଲେ । ସେମାନଙ୍କ ମନରେ ବିଦ୍ରୋହର ନିଅାଁ ଲଗାଉଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ଛାନିଆ ହୋଇଗଲେଣି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ । କାହିଁକିନା ଜେନ୍-ଜେଡ଼ ହେଉଛନ୍ତି ଅମାନିଆ ବର୍ଗର । ଗୋଠ ମାତିଲେ ଖଣ୍ଡିଆ ମାତିବା ନ୍ୟାୟରେ ଥରେ ସେମାନେ ମାତିଲେ ସବୁ ଅସନ୍ତୁଷ୍ଟ ନେତା ମାତିବେ ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି ।
ସବୁ ଯୋଗ୍ୟତା ଥାଇବି ଅରୁଣଙ୍କୁ ଦଳ ଗୁରୁତ୍ୱ ଦେଉନାହିଁ । ସମ୍ମାନଜନକ ରାଜନୈତିକ ବ୍ୟାପାର କମିଟିରେ ତାଙ୍କୁ ସ୍ଥାନ ମିଳିନାହିଁ । ପାଣ୍ଡିଆନଙ୍କ ଫର୍ମୁଲାରେ ଦଳ ଚବିଶରେ ହାରିଥିବାରୁ ନୂଆ ରଣନୀତି କରିବାକୁ ସେ ବାରବାର କହୁଥିଲେବି ତାଙ୍କ କଥା କେହି ଶୁଣୁନାହାନ୍ତି । ଶଙ୍ଖଭବନରେ ବୁମ୍ରେ କିଛି ନେତା ଏବେ ମାମଲତି ଆରମ୍ଭ କରିଦେଇଛନ୍ତି । ଯାହାକୁ ନେଇ ବରିଷ୍ଠଙ୍କ ମନରେ ଅସରନ୍ତି କ୍ଷୋଭ ପ୍ରକାଶ ପାଇଛି । ଅରୁଣ ଏବେ ଜେନ୍-ଜେଡ଼ଙ୍କ ନିକଟତର ହେବା ପାଇଁ ପ୍ରତି ରବିବାର ସୋସିଆଲ ମିଡ଼ିଆ କର୍ମଶାଳା ଆୟୋଜନ କରୁଛନ୍ତି । ଭଲ ଭଲ କଥା କହି, ସେମାନଙ୍କୁ ଆକର୍ଷିତ କରୁଛନ୍ତି । ବିଦ୍ରୋହ ପାଇଁ ପ୍ରବର୍ତ୍ତାଉଛନ୍ତି । ଅରୁଣଙ୍କୁ ମନାଇବା ପାଇଁ ଶଙ୍ଖଭବନରେ ଅନେକ ବାର ବୈଠକ ବସିଥିଲେବି କିଛି ଫଳପ୍ରଦ ହେଉନାହିଁ । ଅନ୍ୟ ନେତାମାନେ ବିରୋଧ କଲେ ବିଜେଡ଼ି ସେମାନଙ୍କୁ ସାଇଡ୍ କରିଦିଏ । ହେଲେ ଅରୁଣଙ୍କୁ ସେଭଳି କରିପାରୁନାହିଁ । କାହିଁକିନା ଆଜି ବି ରାଜ୍ୟର ସବୁ ଜିଲ୍ଲାରେ ଅରୁଣଙ୍କ ହାତଗଢ଼ା ଯୁବ ଓ ଛାତ୍ରନେତାମାନେ ଅଛନ୍ତି । ଯଦି ଅରୁଣ ବିରୋଧ କରିବେ ହଜାର ହଜାର ପିଲା ତାଙ୍କ ପଛରେ ଠିଆ ହେବେବୋଲି ପାଣ୍ଡିଆନ୍ ଅନୁମାନ କରୁଛନ୍ତି ।
ସେପଟେ ଯାଜପୁରର ଟାଣୁଆ ନେତା ପ୍ରୀତିରଞ୍ଜନଙ୍କୁ ଏବେ କେବଳ ସୁକିନ୍ଦାରେ ହିଁ ଦେଖିବାକୁ ମିଳୁଛି । ସେ କେବଳ ନିଜର ସଂଗଠନ ହିଁ ବଢ଼ାଇବାକୁ ଯୋଜନା କରୁଛନ୍ତି । ଖାଲି ସୁକିନ୍ଦା ନୁହେଁ ବବିଙ୍କୁ ପାନେ ଦେବା ପାଇଁ କୋରେଇରେ ନିଜର ସମର୍ଥକମାନଙ୍କ ସହ ନିୟମିତ ଭାବେ ଆଲୋଚନା କରୁଛନ୍ତି । ପ୍ରଫୁଲ୍ଲ ଘଡ଼େଇଙ୍କୁ ଅସମ୍ମାନୀତ କରି ଦଳରୁ ବହିଷ୍କାର କରିବା ଘଟଣାକୁ ସେ ଏବେ ମଧ୍ୟ ଭୁଲି ପାରିନାହାନ୍ତି । ଏବେ ସେ ଜେନ୍-ଜେଡ଼ ଆନେ୍ଦାଳନର ଡାକରା ଦେଉଛନ୍ତି । ସ୍ପଷ୍ଟ ଭାବେ ସେ କାହା ବିରୋଧରେ ଆନେ୍ଦାଳନ କରିବାକୁ ଚାହୁଁଛନ୍ତି ତାହା କହୁନାହାନ୍ତି । କିନ୍ତୁ ସେ ଦଳର ଚିତ୍ର ଚରିତ୍ରକୁ ଦେଖି ଏଭଳି ଅଭିଯାନ ଆରମ୍ଭ କରିଛନ୍ତି । ଡାନିଙ୍କ ପ୍ରୋତ୍ସାହନରେ ଏକ ଯୁବ ଓ ଛାତ୍ର ସଂଗଠନ ଗଢ଼ାହୋଇଛି । ଯେଉଁ ସଂଗଠନ ପାଣ୍ଡିଆନ ଓ ତାଙ୍କର ଚେଲାଚାମୁଣ୍ଡାକୁ ଟାର୍ଗେଟ୍ କରୁଥିବା ଦେଖିବାକୁ ମିଳୁଛି ।
ଅରୁଣ ପଦାକୁ ବାହାରି ସାରିଲେଣି । ଡାନି ଭିତରେ ଭିତରେ ଖେଳ ଆରମ୍ଭ କଲେଣି । ରାଜା ସ୍ୱାଇଁ ଓ ବଦ୍ରି ପାତ୍ରଙ୍କ ଭଳି ନେତାମାନେ ମନେମନେ ରକ୍ତଚାଉଳ ଚୋବାଉଛନ୍ତି । ଅନେକ ନେତା, ବିଧାୟକ ବି ସେମାନଙ୍କ ସପକ୍ଷରେ ରହିଛନ୍ତି । ଦଳରେ ବିଦ୍ରୋହ ନହେଲେ ପୁଣି ପାଣ୍ଡିଆନ୍ ସମସ୍ତଙ୍କୁ ଚାକର ବାକର କରି ରଖିବେ ବୋଲି ଏକ ଧାରଣା ତିଆରି ହେଲାଣି । ପାଣ୍ଡିଆନ୍ ମୁକ୍ତ ବିଜେଡ଼ି ପାଇଁ ଅନେକ ନେତା ଚାହୁଁଛନ୍ତି । ତେବେ କେବଳ ନବୀନଙ୍କ ପ୍ରତି ଥିବା ସମ୍ମାନ କାରଣରୁ ସେମାନେ ବିଦ୍ରୋହ କରିବାକୁ ଚାହୁଁନାହାନ୍ତି । କିନ୍ତୁ ଯଦି ଅସହ୍ୟ ହୁଏ ଜେନ୍-ଜେଡ଼ଙ୍କ ଜରିଆରେ ବିଜେଡ଼ିରେ ବିଦ୍ରୋହର ବିଗୁଲ୍ ବାଜିଲେ ଆଶ୍ଚର୍ଯ୍ୟ ହେବାର ନାହିଁ ।