ଅଙ୍କ ବିଗାଡ଼ିବ ୫% ଭୋଟ

ଅଙ୍କ ବିଗାଡ଼ିବ ୫% ଭୋଟ


ଭୁବନେଶ୍ୱର : ଶହେରେ ଯଦି ୫ ଜଣ ଭୋଟର ନିଜ ମୁଡ଼ ବଦଳାଇ ଦେବେ ତେବେ ୪୭ ଆସନର ଅଙ୍କ ଗଡ଼ବଡ଼ ହୋଇଯିବ  । ୨୦୧୯ ନିର୍ବାଚନ ଅଙ୍କକୁ ଦେଖିଲେ ଏଇଆ ହିଁ କୁହାଯାଇପାରିବ  । ବିଜେଡ଼ି ହେଉକି ବିଜେପି ଅବା କଂଗ୍ରେସର କେତେକ ବିଧାୟକ ଗତ ନିର୍ବାଚନରେ ୫%ରୁ କମ୍ ଭୋଟ ବ୍ୟବଧାନରେ ପ୍ରତିପକ୍ଷକୁ ପରାସ୍ତ କରିଥିଲେ  । ଯେଉଁଥିପାଇଁ ଏହି ଆସନଗୁଡ଼ିକ ଉପରେ ପ୍ରାର୍ଥୀଙ୍କ ନଜର ରହିବା ସ୍ୱାଭାବିକ  ।
୨୦୧୯ ସାଧାରଣ ନିର୍ବାଚନରେ ପ୍ରାୟ ୬୦ରୁ ଉଦ୍ଧ୍ୱର୍ ଆସନରେ କଡ଼ା ଟକ୍କର ହୋଇଥିଲା  । ତେବେ ୫ ପ୍ରତିଶତରୁ କମ ଭୋଟରେ ୪୭ ବିଧାୟକ ବାଜିମାତ କରିଥିଲେ  । ଏପରିକି କେତେକ ବିଧାୟକ ପ୍ରତିପକ୍ଷଙ୍କ ଠାରୁ ୧%ରୁ ୨% ଅଧିକ ଭୋଟ ପାଇଥିଲେ  । ରାଜଗାଙ୍ଗପୁର, କେନ୍ଦୁଝର, ଉଦଳା, ନୀଳଗିରି, ବଡ଼ଚଣା, ପରଜଙ୍ଗ, କଣ୍ଟାବାଞ୍ଝô, ବ୍ରହ୍ମଗିରି ଓ ଲକ୍ଷ୍ମୀପୁରରେ ବିଜୟ ବ୍ୟବଧାନ ମାତ୍ର ୧% ରହିଥିଲା  । ସେହିପରି ଚିତ୍ରକୋଣ୍ଡା, କୋଟପାଡ଼, ଗୋପାଳପୁର, ଖରିଆର, କୁଚିଣ୍ଡା, ରାଇରଙ୍ଗପୁର ଓ ରେମୁଣାରେ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ୨% ଭୋଟ ଅଧିକ ପାଇ ବିଧାୟକଭାବେ ସେମାନେ ନିର୍ବାଚିତ ହୋଇଥିଲେ  ।
ଅପରପକ୍ଷରେ ୩ ପ୍ରତିଶତ ଫରକ ରହିଥିବା ଆସନଗୁଡ଼ିକ ହେଉଛି ପଦ୍ମପୁର, ତେଲକୋଇ, ସୋରୋ, ଧାମନଗର, ବରି, ବଲାଙ୍ଗୀର, ଭବାନୀପାଟଣା, କଣ୍ଟାମାଳ, ବାରବାଟୀ-କଟକ, ପୁରୀ, ରଣପୁର, ରାୟଗଡ଼ା, ଜୟପୁର ଓ ପଟାଙ୍ଗୀ  । ତେବେ ପଦ୍ମପୁର ଉପନିର୍ବାଚନରେ ବିଜେଡ଼ି ବହୁଭୋଟରେ ବାଜିମାତ କରିଥିଲା  ।
ସେହିପରି ୪ରୁ ୫ ପ୍ରତିଶତ ଭୋଟ ବ୍ୟବଧାନ ମଧ୍ୟରେ ବରଗଡ଼, ରେଙ୍ଗାଲୀ, ଦେବଗଡ଼, ପାଟଣା, ଯଶୀପୁର, ସାରସକଣା, ମୋରଡ଼ା, ଭଣ୍ଡାରିପୋଖରୀ, ବାସୁଦେବପୁର, ଚାନ୍ଦବାଲି, ପାଳଲହଡ଼ା, ଛେଣ୍ଡିପଦା, ନବରଙ୍ଗପୁର, ଡାବୁଗାଁ, କେନ୍ଦ୍ରାପଡ଼ା, ଜଟଣୀ, ଗୁଣୁପୁରରେ ହାରଜିତ୍ର ଫଇସଲା ହୋଇଥିଲା  ।
ଏହିସବୁ ଆସନ ମଧ୍ୟରୁ ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ବି ରିପିଟ୍ ହୋଇଛନ୍ତି  । ଯେଉଁମାନେ ବିଜୟୀ ହୋଇଥିଲେ ସେମାନଙ୍କୁ ହାରିବା ଡର ବି ଗୋଡ଼ାଇବା ଆରମ୍ଭ କରିଛି  । ସେହିପରି କମ୍ ଭୋଟରେ ହାରିଥିବା ନେତାଙ୍କ ମନରେ ବିଜୟ ଆଶା ବଢ଼ିଯାଇଛି  । ତେଣୁ ପ୍ରତି ବୁଥରେ ଏବେ ସେମାନେ ଅଙ୍କକଷା ଆରମ୍ଭ କରିଦେଇଛନ୍ତି  । ଯେଉଁ ଯେଉଁ ବୁଥରେ ଭୋଟ କମିଛି ତାହାକୁ ନେଇ ସ୍ୱତନ୍ତ୍ର ରଣନୀତି କରୁଛନ୍ତି  ।
ପଞ୍ଚାୟତୱାରୀ ନେତାଙ୍କୁ ଡକାଯାଇ ବିଧାୟକ ପ୍ରାର୍ଥୀମାନେ ସ୍ଥିତି ପରଖୁଛନ୍ତି  । କେଉଁଠି ପଞ୍ଚାୟତ ଭୋଟରେ ବଢ଼ିଛି ତ ଆଉ କେଉଁଠି କମିଛି  । ଯେଉଁଠି କମିଛି ସେଠାରେ କାହାକୁ ଦଳରେ ସାମିଲ କଲେ ଭୋଟ ବଢ଼ିବ ସେହି ଅନୁଯାୟୀ ସମୀକରଣ ବି ପ୍ରସ୍ତୁତ କରୁଛନ୍ତି  ।
ପଞ୍ଚାୟତ ନିର୍ବାଚନରେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ବିଜେଡ଼ିର ଭୋଟ ଆଶାତୀତ ଭାବେ ବଢ଼ିଯାଇଛି  । ଏହି ଅଙ୍କକୁ କିନ୍ତୁ ବିରୋଧୀ ମାନିବାକୁ ପ୍ରସ୍ତୁତ ନୁହଁନ୍ତି  । ସେମାନଙ୍କ ମତରେ ପଞ୍ଚାୟତ ନିର୍ବାଚନରେ ସେମାନେ ବିଧାନସଭା ନିର୍ବାଚନ ଭଳି ଲଢ଼ିନଥିଲେ  । ବିଜେଡ଼ି ଲକ୍ଷ ଲକ୍ଷ ଟଙ୍କାର ପାଣ୍ଠି ଦେଇଥିଲା  । କିନ୍ତୁ କଂଗ୍ରେସ କିମ୍ବା ବିଜେପି ପଞ୍ଚାୟତ ନିର୍ବାଚନ ପାଇଁ ପାଣ୍ଠି ଦେଇନଥିଲେ  । ଫଳରେ ସେମାନେ ପଛରେ ପଡ଼ିଯାଇଥିଲେ  । ଏବେ କିନ୍ତୁ ସେମାନେ କଳ, ବଳ, କୌଶଳ ସବୁଥିରେ ଜୋର ଲଗାଇଦେବେ  । ଦୁର୍ବଳ ସ୍ଥାନରେ ଜଗିରହିବେ  । ତେଣୁ ସ୍ଥିତି ପଲଟବାର କରିବ ବୋଲି ପ୍ରତିଦ୍ୱନ୍ଦ୍ୱୀମାନେ ଆକଳନ କରିଛନ୍ତି  ।