୩୦୦ ଡ୍ରୋନ ଓ ମିସାଇଲ ମାଡ଼ କଲା ଇରାନ୍ , ଇରାନ ସହ କଥା ହେଲା ଭାରତ

ଭୁବନେଶ୍ୱର: ଶନିବାର ବିଳମ୍ବିତ ରାତିରେ ଇସ୍ରାଏଲ ଉପରେ ଘନଘନ ଡ୍ରୋନ ଓ ମିସାଇଲ ମାଡ଼ କରିଛି ଇରାନ୍ । ୩ ଶହ ଡ୍ରୋନ ଓ ମିସାଇଲ ମାଡ଼ କରାଯାଇଥିବା ଜାଣିବାକୁ ମିଳିଛି । ଏହାକୁ ନେଇ ପଶ୍ଚିମ ଏସିଆ ଅଶାନ୍ତ ହୋଇଯାଇଛି । ଇସ୍ରାଏଲ ସରକାର ଜରୁରୀ କ୍ୟାବିନେଟ ବୈଠକ ଡକାଇଥିବାବେଳେ ଜି-୭ ରାଷ୍ଟ୍ର ସମୂହ ଇରାନର ଆକ୍ରମଣକୁ ନିନ୍ଦା କରିଛନ୍ତି । ଅପରପକ୍ଷରେ ଇରାନ ସେନା କବଜାରେ ଥିବା ଜାହାଜରେ ୧୭ ଭାରତୀୟ ଥିବାରୁ ସେମାନଙ୍କୁ ମୁକ୍ତ କରିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଇରାନ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଅପ୍ରେଲ ପହିଲାରେ ଇସ୍ରାଏଲର ଆକ୍ରମଣର ପ୍ରତି ଜବାବ ଦେଇଛି ଇରାନ୍ । ଏପରିକି ଆଉ ଭୁଲ କଲେ ପରିଣାମ ଭୋଗିବାକୁ ପଡ଼ିବ ବୋଲି ଇରାନ୍ ପକ୍ଷରୁ ଚେତାବନୀ ଦିଆଯାଇଛି । ଏପରିକି ଆମେରିକା ଏଥିରୁ ଦୂରେଇ ରହିବାକୁୁ ଇରାନ କହିଛି । ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବାରୁ ତାହା ଉପରେ ବିଶ୍ୱ ସମୁଦାୟର ନଜର ରହିଛି । ବିଶ୍ୱ ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଏନେଇ ଜାତିସଂଘ ମଧ୍ୟ ଆଲୋଚନା ଆରମ୍ଭ କରିଦେଇଛି ।
ଉଭୟ ଦେଶ ଶାନ୍ତି ବଜାୟ ରଖିବାକୁ ଭାରତ ପକ୍ଷରୁ ଅନୁରୋଧ କରାଯାଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଜି ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଆମିର ଅବଦୁଲ୍ଲାଙ୍କ ସହ କଥା ହୋଇଛନ୍ତି । ଇରାନ କବଜାରେ ଥିବା ଜାହାଜରେ ଭାରତର ୧୭ ଜଣ ଅଛନ୍ତି । ସେମାନଙ୍କୁ ତୁରନ୍ତ ମୁକ୍ତ କରିବାର ବ୍ୟବସ୍ଥା କରିବାକୁ ଭାରତ ପକ୍ଷରୁ କୁହାଯାଇଛି ।