ନିମାପଡାରେ ଟିକେଟ ରେସ୍: ଆଗରେ ସତ୍ୟବ୍ରତ
ଗୋପ : ଯେତେ ଯେତେ ସାଧାରଣ ନିର୍ବାଚନ ପାଖେଇ ଆସୁଛି ସେତେ ସେତେ କର୍ମୀ ଓ ନେତା ଏବଂ ଭୋଟରଙ୍କ ମଧ୍ୟରେ ହାର୍ଟବିଟ ବଡିବା ସହିତ ଛକାପଞ୍ଝା ମଧ୍ୟ ଦେଖିବାକୁ ମିଳୁଛି । ଶାସକ ଦଳର ଏକାଧିକ ପ୍ରାର୍ଥୀ ଟିକେଟ ଲବିରେ ନିଜ ଦଳର ନେତୃତ୍ୱ ପାଖରେ କସରତ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହି କ୍ରମରେ ନିମାପଡ଼ା ନିର୍ବାଚନ ମଣ୍ଡଳୀ ବିଗତ ଦୁଇ ବର୍ଷ ଧରି ଚର୍ଚ୍ଚାରେ ରହିଥିବା ବିଧାୟକଙ୍କୁ ଏ ପର୍ଯ୍ୟନ୍ତ ଟିକେଟ ମିଳିନି । ଏକାଧିକ ବିବାଦୀୟ ଘଟଣାରେ ଜଡ଼ିତ ହୋଇପଡ଼ିବା ଯୋଗୁଁ ସେ ସାରା ରାଜ୍ୟରେ ବିବାଦୀୟ ହୋଇପଡ଼ିଛନ୍ତି । ଯାହାକୁ ନେଇ ତୃଣମୂଳ ସ୍ତରରେ କର୍ମୀ ମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଛି । ସମୀର ଦାଶଙ୍କ ବିବାଦୀୟ ପରିସ୍ଥିତିରୁ ସାଧାରଣରେ ତାଙ୍କ ପ୍ରତି ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚତୁର୍ଥ ପର୍ଯ୍ୟାୟରେ ଟିକେଟ ଘୋଷଣା କରିଥିଲେ ମଧ୍ୟ ନିମାପଡ଼ା ଆସନକୁ ବାଦ ଦେଇଥିବାରୁ ଏବେ ଟିକେଟ କସରତ ଜାରି ରହିଛି । ଯାହା ଦଳ ପକ୍ଷରୁ ପ୍ରାର୍ଥୀ ପରିବର୍ତ୍ତନର ବାସ୍ନା ମଧ୍ୟ ସ୍ପଷ୍ଟ ହେଉଛି । ଏନେଇ ଅନେକ ଆଶାୟୀଙ୍କ ଭିଡ ଜମୁଛି । ଏଣୁ ଏହାର ଫାଇଦା ନେଇ ଏକାଧିକ ଆଗଧାଡିର ନେତା, ନେତ୍ରୀ ଓ ସମାଜସେବୀ ନିମାପଡ଼ା ବିଧାନସଭା ଆସନ ପାଇଁ ବିଜେଡ଼ି ଟିକେଟ ପାଇବାକୁ ଆଶାୟୀ ଅଛନ୍ତି । ତେବେ ସମସ୍ତଙ୍କ ସୁଖ ଦୁଃଖର ସାଥି କୁହାଯାଉଥିବା ତଥା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ସତ୍ୟବ୍ରତ ପାତ୍ର ( ରମୁ ପାତ୍ର) ଦଳର ଶୃଙ୍ଖଳିତ ନେତା ସହିତ ଏକ ସୁସଂଗଠକ ଭାବେନିମାପଡା ଓ କାକଟପୁର ନିର୍ବାଚନ ମଣ୍ଡଳୀରେ ବେଶ ଜଣାଶୁଣା ଥିବାରୁ ସମସ୍ତ ଦଳର କର୍ମୀଙ୍କୁ ନିଜ ସପକ୍ଷରେ ରଖିଛନ୍ତି । ସମୀର ଦାଶଙ୍କ ପରେ ସେ ହିଁ ଏକମାତ୍ର ଯୋଗ୍ୟ ନେତା ବୋଲି ସାଧାରଣରେ ଚର୍ଚ୍ଚା ଚ।ଲିଛି ।