କଂଗ୍ରେସର ମହିଳା କାର୍ଡ
ଢ଼େଙ୍କାନାଳରୁ ଲକ୍ଷ୍ମୀନାରାୟଣ ତ୍ରିପାଠୀ : ଓଡ଼ିଶାର ୭୫ ଟି ବିଧାନସଭା କ୍ଷେତ୍ରର ପ୍ରାର୍ଥୀଙ୍କ ନାମ ଏଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ବେଳେ ସେଥିରେ ଢେଙ୍କାନାଳ ଜିଲ୍ଲାର ୪ଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି । ଢେଙ୍କାନାଳ ବିଧାନସଭା ଆସନରୁ ସୁସ୍ମିତା ସିଂହଦେଓ, ହିନେ୍ଦାଳ ଆସନରୁ ଗୋବର୍ଦ୍ଧନ ଶେଖର ନାଏକ, କାମାକ୍ଷାନଗରରୁ ବିପ୍ରବର ସାହୁ, ପର୍ଜଙ୍ଗ ଆସନ ପାଇଁ ରଞ୍ଜିତ କୁମାର ସାହୁଙ୍କ ନାମ ଘୋଷଣା କରାଯାଇଛି । ଢେଙ୍କାନାଳ ବିଧାନସଭା ଆସନରେ ବିଜେଡି ବିଜେପି ପୁରୁଣା ମୁହଁକୁ ଦୋହରାଇଥିବା ବେଳେ କଂଗ୍ରେସ ପକ୍ଷରୁ ସଂପୂର୍ଣ୍ଣ ନୂଆ ଏବଂ ମହିଳା ପ୍ରାର୍ଥୀ ଭାବେ ସୁସ୍ମିତା ସିଂହଦେଓଙ୍କୁ ଚୟନ କରାଯାଇଛି । ସେ ବ୍ରିଗେଡିୟର୍ ରାଜା କାମାକ୍ଷାପ୍ରସାଦ ସିଂହଦେଓଙ୍କ ପୁତୁରା ବୋହୂ ଅଟନ୍ତି । କେପି ରାଜନୀତିରୁ ଅବ୍ୟାହତି ନେବା ପରେ ତାଙ୍କ ପରିବାରରୁ ଅଦ୍ୟାବଧି କୌଣସି ସଦସ୍ୟ ନିର୍ବାଚନରେ ଭାଗ ନେଇନଥିବା ବେଳେ ଚଳିତଥର ଶ୍ରୀମତି ସିଂହଦେଓ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ମହିଳା ପ୍ରାର୍ଥୀ ଭାବେ ସେ କଂଗ୍ରେସର ପକେଟ୍ ଭୋଟ ହାତେଇବା ସହ ମହିଳାଙ୍କ ସମର୍ଥନ ଅଧିକ ପାଇବେ ବୋଲି ଆଶା ରଖିଛନ୍ତି । ସୁସ୍ମିତା ଦୀର୍ଘଦିନ ଧରି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଲୋକମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଜଡିତ ରହି ନିଜକୁ ସାମିଲ କରିଛନ୍ତି । ତାଙ୍କ ସ୍ୱାମୀ ରାଜକୁମାର ରାଜୀବ ଲୋଚନ ସିଂଦେଓ ମଧ୍ୟ ବିଭିନ୍ନ ସମୟରେ ଢେଙ୍କାନାଳ ବାସୀଙ୍କ ସୁଖଦୁଃଖରେ ଠିଆ ହୋଇ ନିଜକୁ ଜନସୋଂପର୍କରେ ଯୋଡିହୋଇ ରହିଛନ୍ତି । ତେଣୁ ଢେଙ୍କାନାଳ ସଦର ବିଧାନସଭା ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ଏବେଠାରୁ ଚାରିଆଡେ ଚର୍ଚ୍ଚା ଆରମ୍ଭ ହେଲାଣି ।