ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ରାସ୍ତା ଶୋଚନୀୟ
ରାଜନଗର : ରାଜନଗର ବ୍ଲକରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ସବଡିଭିଜନରେ ଅନିୟମିତତା ହୋଇଥିବା ସ୍ପଷ୍ଟ ଜଣାପଡିଛି । ଏହି ସବଡିଭିଜନ ଅଧିନରେ ରାସ୍ତା ନିର୍ମାଣ, ରାସ୍ତା ମରାମତି ଓ ସରକାରୀ କାର୍ଯ୍ୟାଳୟର ଘର ନିର୍ମାଣ ପ୍ରଭୃତି କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଆସୁଥିଲା । ଯାହା ସତ୍ୟରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି । ଗୋପାଳପୁର-କେରଡାଗଡ ପୂର୍ତ୍ତ ବିଭାଗ ରାସ୍ତାରୁ ଭାଟପଡା ଛକଠାରୁ ଟଙ୍ଗଣତୈ÷ଳା ଯାଏଁ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଅବଧି ପୂରିବାର ପ୍ରାୟ ୧୦ମାସ ପରେ ନିର୍ମାଣ ସରିଥିଲା । ରାସ୍ତା କାମ ସରିବାର ବର୍ଷଟିଏ ନପୁରୁଣୁ ପିଚୁ ଉଠି କେତେକ ସ୍ଥାନରେ ଖାଲଖମା ସୃଷ୍ଟି ହେଲାଣି । ଦୀର୍ଘବର୍ଷର ବ୍ୟବଧାନ ପରେ ଭାଟପଡା ଛକରୁ ଭାଟପଡା, ଖଣ୍ଡେଇପଡା, ମଧ୍ୟପଡା, ଗୋବିନ୍ଦପୁର, ସନ୍ଥପଡା ଦେଇ ଟାଙ୍ଗଣତୈ÷ଳା ପର୍ଯ୍ୟନ୍ତ ଯାଇଥିବା ୬କିଲୋମିଟର ୬୪୦ ମିଟର ରାସ୍ତା ଏବେ ପୁନଃନିର୍ମାଣ ସରିବାର ମାସ କେତେଟା ପରେ କଂକ୍ରିଟ ରାସ୍ତା ଖଣ୍ଡେଇପଡା ଗାଁ ନିକଟରେ ଫାଟି ଦୁଇଫାଳ ହୋଇଯାଇଥିଲା । ଏହି ରାସ୍ତାର କେତେକ ସ୍ଥାନରେ କଡରେ ମାଟି ପଡିନି । କେରଡାଗଡ-ଗୋପାଳପୁର ପୂର୍ତ୍ତ ବିଭାଗ ରାସ୍ତାରୁ ଭାଟପଡା ରମେଶଚନ୍ଦ୍ର ରାଉତରାୟଙ୍କ ଘର ନିକଟରେ ଥିବା ନଳକୂପ ପର୍ଯ୍ୟନ୍ତ ହୋଇଥିବା ୫ଶହ ମିଟର ରାସ୍ତାର ପିଚୁ ବିଭିନ୍ନ ସ୍ଥାନରେ ଉଠିଯାଇ ଖଣ୍ଡିଆ ଖାବରା ହୋଇଗଲାଣି । ଦୁଇଟି ସ୍ଥାନରେ ରାସ୍ତାପାଶ୍ୱର୍ ପିଚୁ ଧସିଯାଇ ଚାଖଣ୍ଡେ ଲେଖାଏଁ ଖାଲ ହୋଇଗଲାଣି । ଏହି ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ତଦାରଖ କରିନଥିବାରୁ ଠିକାସଂସ୍ଥା ନିମ୍ନମାନର କାମ କରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ କରାଯାଇଥିବା ରାସ୍ତା ବର୍ଷଟିଏ ନପୁରୁଣୁ ପିଚୁ ଉଠିଯିବାର କାରଣ କଣ ? ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଏହି ରାସ୍ତା କାମରେ ହୋଇଥିବା ଦୁର୍ନିତୀ ପଦାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ସୂଚନା ଥାଉକି, ୨୦୧୧ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ପୂର୍ବରୁ ନିର୍ମାଣ ହୋଇଥିବା ଏହି ରାସ୍ତା ଫାଟିଯାଇ କଂକ୍ରିଟ ଓ ପିଚୁ ହୋଇଥିବା ସ୍ଥାନମାନଙ୍କରେ ଘାସ ଉଠିଥିଲା । ଏବେ ୩କୋଟି୩୧ଲକ୍ଷ ୨୮ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଥିବା ଏହି ରାସ୍ତା କାମ ଚାଲିଥିବା ସମୟରେ ବିଭାଗୀୟ ଯନ୍ତ୍ରୀ କିମ୍ବା କର୍ମଚାରୀଙ୍କୁ ଦେଖିବାକୁ ମିଳୁନଥିଲା । ଏହା ୨୦୨୨ ଅପ୍ରେଲ ୭ରୁ ଆରମ୍ଭ ହୋଇ ୨୦୨୩ ମାର୍ଚ୍ଚ ୬ ତାରିଖ ସୁଦ୍ଧା ସଂପୂର୍ଣ୍ଣ ହେବ ବୋଲି ସୂଚନା ଫଳକ ଲାଗିଛି । ଏହାର ରକ୍ଷଣା ବେକ୍ଷଣ ପାଇଁ ୫ବର୍ଷ ଅବଧି ରହିଛି ।