ଥମୁନି ବିଜେଡ଼ି ଟିକେଟକୁ ନେଇ ଚର୍ଚ୍ଚା  ଆଗ ବବି, ପରେ ଲଲ ଏବେ ସଞ୍ଜୁ

ଥମୁନି ବିଜେଡ଼ି ଟିକେଟକୁ ନେଇ ଚର୍ଚ୍ଚା  ଆଗ ବବି, ପରେ ଲଲ ଏବେ ସଞ୍ଜୁ

ଯାଜପୁର : ନିର୍ବାଚନ ସମୟରେ ହାଟବଜାରରେ ସବୁଠି ହୁଏ ରାଜନୈତିକ ଚର୍ଚ୍ଚା । ଭୋଟ ପୂର୍ବରୁ ଏବଂ ଫଳ ପ୍ରକାଶ ଯାଏ ସବୁଠି ଚର୍ଚ୍ଚା ହିଁ ଚର୍ଚ୍ଚା ହୁଏ । କୋଉ ଦଳରୁ କିଏ ଟିକେଟ ପାଇବ, ଅମୁକ ପାଇଥିଲେ ଜିତିଯାଇଥାନ୍ତା ସମୁକ କାମକୁ ନୁହେଁ; ଏମିତି ପ୍ରକାର ଚର୍ଚ୍ଚା ଭିତରେ ଦଳ ପ୍ରାର୍ଥୀ ଘୋଷଣା ଠାରୁ ଆରମ୍ଭ କରି ନିର୍ବାଚନ ସରିଯାଏ । ଯାହା ସପକ୍ଷରେ ଜନମତ ଯାଏ ସେ ନିର୍ବାଚିତ ହୋଇ ପାଞ୍ଚବର୍ଷ ପାଇଁ ଜନପ୍ରତିନିଧି ହୋଇଯାଆନ୍ତି । ୨୪ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ସବୁଥର ପରି ଏଥର ମଧ୍ୟ ଚର୍ଚ୍ଚାରେ ରହିଛି କୋରେଇ । ବିଭିନ୍ନ ରାଜନୈତିକ ଦଳ ପାଇଁ ପ୍ରୟୋଶାଳା ହୋଇଥିବା କୋରେଇ ବିଧାନସଭା ପାଇଁ ବିଜେପି ଆକାଶ ଦାସନାୟକ ଏବଂ କଂଗ୍ରେସ ବନ୍ଦିତା ପରିଡ଼ାଙ୍କୁ ପ୍ରାର୍ଥୀ କରିଛି । ହେଲେ ୨୪ବର୍ଷ ଧରି କ୍ଷମତାରେ ଥିବା ଶାସକ ବିଜୁ ଜନତା ଦଳ ଏ କ୍ଷେତ୍ରରେ ପଛରେ ପଡ଼ିଯାଇଛି । ୭୦ଦଶକରେ ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ପାଇଥିବା କୋରେଇରୁ ବିଜୁ ଜନତା ଦଳ କାହାକୁ ପ୍ରାର୍ଥୀ କରିବ, ତାହା ନେଇ କେହି ସ୍ପଷ୍ଟ ହୋଇପାରୁ ନାହାନ୍ତି । ନାଁ ଭୋଟର, ନାଁ ଆଶାୟୀ ନାଁ ସେମାନଙ୍କ ସମର୍ଥକ । ଅନ୍ଧାରରେ ବାଡ଼ି ବୁଲାଇବା ପରି କିଏ କହୁଛି, ବିଧାୟକ ଅଶୋକ ବଳଙ୍କୁ ଦଳ ରିପିଟି କରିପାରେ ତ କିଏ କହୁଛି, ସିନେ ଅଭିନେତାରୁ ରାଜନେତା ପାଲଟିଥିବା ଆକାଶଙ୍କୁ ଟକର ଦେବାକୁ ସିନେ ଅଭିନେତ୍ରୀ ତ କିଏ କହୁଛି, ବିଜେପି-କଂଗ୍ରେସର ହେବି ୱେଟ ପ୍ରାର୍ଥୀଙ୍କ ଅଙ୍କକୁ ଭୂଲ ପ୍ରମାଣିତ କରିବାକୁ ବିଜୁ ଜନତା ଦଳ ଜଣେ ଅଭିଜ୍ଞ ଥିବା ନୂଆ ଚେହେରାକୁ ପ୍ରାର୍ଥୀ କରିପାରେ ନତୁବା କୋରେଇରୁ ୬ଥର ବିଜୟ ଲାଭ କରିବାର ଗୌରବ ହାସଲ କରିଥିବା ସ୍ୱର୍ଗତ ଅଶୋକ ଦାସଙ୍କ ପରିବାରରୁ କେହି ପ୍ରାର୍ଥୀ ହୋଇପାରନ୍ତି । ଯେଭଳି ଗତ ନିର୍ବାଚନ ବେଳେ ଚର୍ଚ୍ଚା ହୋଇଥିଲା, ଏଥର ମଧ୍ୟ ସେଭଳି ହେଉଛି । ଚର୍ଚ୍ଚା ସତ ହେଉଛି କି ମିଛ ତାହାତ ସମୟ କହିବ, ତେବେ କୋରେଇରୁ ବବି ଦାସ ବା ବିଜେଡ଼ି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେଉଥିବା ନେଇ ଗତକିଛି ଦିନଧରି ବେଶ ଚର୍ଚ୍ଚା ହୋଇଥିଲା । ହେଲେ ବବି ସମ୍ବଲପୁର ଲୋକସଭା ଆସନରୁ ଲଢିବାକୁ ଚାଲିଯିବା ପରେ ତାଙ୍କ ସ୍ଥାନରେ ଦଳ ତାଙ୍କ ଭାଇ ଲଲ ବା ଭବ ପ୍ରସାଦ ଦାସଙ୍କୁ ପ୍ରାର୍ଥୀ କରିପାରେ ବୋଲି ଢେର ଚର୍ଚ୍ଚା ହେଲା । ହେଲେ ଲଲଙ୍କ ଉପରେ ଯାଜପୁର ବିଧାନସଭା ଆସନ ଦାୟିତ୍ୱ ରହିଥିବାରୁ ତାଙ୍କ ବଦଳରେ ସ୍ୱର୍ଗତ ଦାସଙ୍କ ପତ୍ନୀ ସନ୍ଧ୍ୟାରାଣୀ ଦାସଙ୍କ ନାଁ ଚର୍ଚ୍ଚା ପରିସରକୁ ଆସିଛି । ଆଗ ବବି, ପରେ ଲଲ ଏବେ ସଞ୍ଜୁ ବା ସନ୍ଧ୍ୟାରାଣୀଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ଅନ୍ୟ ଆଶାୟୀଙ୍କ ନିଦ ହଜିଯାଇଛି । ବିଜେଡ଼ି ସୁପ୍ରିମୋ ଯାହା ନାଁରେ ମୋହର ମାରିବେ ତାହାକୁ ସମସ୍ତେ ଅନାଇ ରହିଛନ୍ତି । କୋରେଇ ହେଉଛି ସ୍ୱାଭିମାନର ନିର୍ବାଚନ ମଣ୍ଡଳୀ । ୧୯୭୪ ମସିହାରେ କୋରେଇ ଏକ ସ୍ୱତନ୍ତ ନିର୍ବାଚନ ମଣ୍ଡଳୀ ଭାବେ ମାନ୍ୟତା ପାଇବା ପରେ ଯେତେ ଥର ନିର୍ବାଚନ ଅନୁଷ୍ଠିତ ହୋଇଛି ସେ ମଧ୍ୟରୁ କେବଳ ସ୍ୱର୍ଗତ ଅଶୋକ ଦାସ ସର୍ବାଧିକ ୫ଥର ବିଜୟୀ ହୋଇଛନ୍ତି । ତାଙ୍କ ବ୍ୟତିରକେ ଅନ୍ୟ କେହି ଦୁଇଥର ନିର୍ବାଚିତ ହୋଇନାହାନ୍ତି । କୋରେଇ ଭଳି ଏକ ସମସ୍ୟା ବହୁଳ ନିର୍ବାଚନ ମଣ୍ଡଳୀରୁ ୧୯୭୪ ,୧୯୭୭, ୧୯୯୦, ୧୯୯୫ ଏବଂ ୨୦୦୦ ମସିହାରେ ନିର୍ବାଚିତ ହୋଇ ବିଧାନସଭାରେ ପ୍ରତିନିଧିତ୍ୱ କରିଥିଲେ । ତିନି ଦଶନ୍ଧୀ ଧରି କୋରେଇବାସୀଙ୍କ ସହ ରଖିଥିବା ସଂପର୍କ ଆଧାରରେ ତାଙ୍କ ଦାୟାଦ ନିର୍ବାଚନ ଲଢିବାକୁ ବିଭିନ୍ନ ସମୟରେ ମନ ବଳାଇଥିଲେ ହେଁ ସେଥିରେ ସକ୍ଷମ ହୋଇନାହାନ୍ତି । ଯଦି ହେଉଥିବା ଚର୍ଚ୍ଚା ମତେ ବିଜେଡ଼ି ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସଞ୍ଜୁଙ୍କୁ ପ୍ରାର୍ଥୀ କରେ ତେବେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ ।