ଆମ ଭାଷା, ଆମ ସୁରକ୍ଷା
ମହିଳା ଓ ଶିଶୁବିକାଶ ବିଭାଗ ଅଧୀନରେ ରାଜ୍ୟରେ ପରିଚାଳିତ ହେଉଥିବା ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ଏକାଧିକ ଯୋଜନା ବର୍ତ୍ତମାନ କାର୍ଯ୍ୟକାରୀ ହେଉଛି । ସେଥିମଧ୍ୟରୁ "ଆମେ ପଢ଼ିବା ଆମ ଭାଷାରେ' ଏବଂ "ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା' ଅନ୍ୟତମ । ବର୍ତ୍ତମାନ ରାଜ୍ୟରେ ଶୈଶବରୁ ଶିକ୍ଷା କ୍ଷେତ୍ରରେ ନିଜ ମାତୃଭାଷା ମାଧ୍ୟମର ଶିକ୍ଷା ଅପେକ୍ଷା ଇଂରାଜୀ ମାଧ୍ୟମର ଶିକ୍ଷା ଗ୍ରହଣର ଆଗ୍ରହ ବଢ଼ି ବଢ଼ି ଚାଲିଛି । ଏହା ଫଳରେ ଶିଶୁମାନଙ୍କ ଠାରେ ମାତୃଭାଷା ପ୍ରତି ଆଗ୍ରହ ଆଉ ରହୁନାହିଁ ଏବଂ ଉଚ୍ଚଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ଦେଖାଉ ଥିଲେ ମଧ୍ୟ ମାତୃଭାଷା ପଢ଼ିବା କିମ୍ବା ମାତୃଭାଷାରେ ଦୁଇ, ଚାରୋଟି ବାକ୍ୟ ଲେଖିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେଉନାହିଁ । ଏଭଳି ଏକ ପରିସ୍ଥିତି ଭବିଷ୍ୟତରେ ନିଜ ମାତୃଭାଷାର ବିଲୟ ପାଇଁ ଦାୟୀ ରହିବ । ଏସବୁ ବ୍ୟତୀତ ରାଜ୍ୟରେ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଲୋକମାନେ ଦେଶିଆ, ଭୂମିଜ, ବିଂଝାଲ, ଗଣ୍ଡି, ହୋ, ସାଧ୍ରୀ, ଖଡ଼ିଆ, ବଣ୍ଡା, ମୁଣ୍ଡା, ଗୋୟା, କୁଭି, କୁଇ, ସୌରା, ସାନ୍ତାଳୀ, ଓରାମ୍, କିଶାନ୍ ଏବଂ ଜୁଆଙ୍ଗ ଭାଷାରେ କଥାବାର୍ତ୍ତା ହୋଇଥାନ୍ତି । ୧୫ଟି ଜିଲ୍ଲାର ୭୨୯ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ୧୭ଟି ଦେଶୀୟ ଭାଷା ପିଲାମାନେ ବ୍ୟବହାର କରନ୍ତି । ତେଣୁ ଏହି ୧୭ଟି ଦେଶୀୟ ଭାଷାରେ ପିଲାମାନଙ୍କୁ ପ୍ରାଥମିକ ଏବଂ ପ୍ରାରମ୍ଭିକ ଶ୍ରେଣୀ ଗୁଡ଼ିକରେ ଶିକ୍ଷାଦାନ କରାଯାଉଛି । ଏହି ଶିକ୍ଷାଦାନ ବ୍ୟବସ୍ଥାକୁ ଉଚ୍ଚ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟ କରାଯିବାର ଆବଶ୍ୟକତା ରହିଛି । କାରଣ ମାତୃଭାଷାରେ ଜଣେ ଛାତ୍ର ଯେଭଳି ଭାବରେ ଜ୍ଞାନ ଆହରଣ କରେ, ଅନ୍ୟ ଏକ ଭାଷାରେ ସେହିଭଳି ଜ୍ଞାନ ଆହରଣ କରିପାରେ ନାହିଁ । ଜଣେ ଭବିଷ୍ୟତ ଜୀବନରେ ଛାତ୍ରଛାତ୍ରୀମାନେ ଭଲ ନମ୍ବର ରଖିପାରନ୍ତି ନାହିଁ । ଜ୍ଞାନ ଆହରଣ ମାଧ୍ୟମ ଦୃଷ୍ଟିରୁ ମାତୃଭାଷା ଏବଂ ନିର୍ଦ୍ଦିଷ୍ଟ ସମାଜର କଥିତ ଭାଷା ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ଏହା ଏକ ବଡ଼ ସାମାଜିକ ସମସ୍ୟା । ବୈଷୟିକ ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରରେ ସାଧାରଣତଃ ଇଂରାଜୀ ଭାଷାର ବ୍ୟବହାର ଅନେକ ଛାତ୍ରଛାତ୍ରୀମାନଙ୍କ ପାଇଁ ଅସୁବିଧା ସୃଷ୍ଟି କରେ । ଇଂରାଜୀ ଭାଷାରେ ଜ୍ଞାନ ଆହରଣ କରି ସେହି ଇଂରାଜୀ ଭାଷାରେ ଏହାର ପ୍ରୟୋଗ ମଧ୍ୟ କରନ୍ତି । ଅଥଚ ଏହାକୁ ବୁଝାଇବାକୁ ଗଲେ ଛାତ୍ରଛାତ୍ରୀମାନଙ୍କୁ ନିଜର ମାତୃଭାଷା କିମ୍ବା ନିଜ ସମାଜର କଥିତ ଭାଷାକୁ ଆସିବାକୁ ପଡ଼େ । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀମାନେ ଅସହାୟ ହୋଇପଡ଼ନ୍ତି । ବିଶେଷ କରି ବୈଷୟିକ ଏବଂ ଡ଼ାକ୍ତରୀ ଶିକ୍ଷା କ୍ଷେତ୍ରରେ ଏ ପ୍ରକାରର ଅସୁବିଧା ଅଧିକ ମାତ୍ରାରେ ଉପଲବ୍ଧି କରାଯାଏ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଡ଼ାକ୍ତରୀ ପାଠ୍ୟକ୍ରମରେ ମାତୃଭାଷା ଓଡ଼ିଆକୁ ମାଧ୍ୟମ ରୂପେ ବ୍ୟବହାର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଏ ପ୍ରକାରର ଉଦ୍ୟମ ଯଦି ବାସ୍ତବିକ ସଫଳ ହୁଏ, ତାହା ହେଲେ ଡ଼ାକ୍ତରୀ ଶିକ୍ଷା କ୍ଷେତ୍ରରେ ରହିଥିବା ଛାତ୍ରଛାତ୍ରୀମାନଙ୍କ ଦୁର୍ବଳତା ବହୁ ପରିମାଣରେ ଦୂର ହୋଇଯାଇପାରିବ । ଇଂରାଜୀ ଭାଷାକୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନର ମାଧ୍ୟମ ଭାବରେ ବ୍ୟବହାର କରାଯାଉଥିବାରୁ ଏହାକୁ ବୁଝିବା ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପକ୍ଷେ କଷ୍ଟକର ହୁଏ ଏବଂ ସେମାନଙ୍କୁ ଏଥିପାଇଁ ଅନେକ ସମୟ ଦେବାକୁ ପଡ଼େ । ଅଙ୍ଗନବାଡ଼ି ସ୍ତରରୁ ନିଜ ସମାଜର କଥିତ ଭାଷାକୁ ଗୁରୁତ୍ୱ ଦିଆଗଲେ ସରକାର ଏବଂ ଜନସାଧାରଣଙ୍କ ମଧ୍ୟରେ ରହିଥିବା ସମ୍ପର୍କ ସୁଦୃଢ଼ ହୋଇପାରିବ ।
ପାର୍ବତ୍ୟାଞ୍ଚଳରେ ଏବଂ ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ସରକାରଙ୍କର ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀ ପାଇବା କ୍ଷେତ୍ରରେ ଅନେକ ଅସୁବିଧା ସୃଷ୍ଟି ହେଉଛି । ତାହାର ଏକମାତ୍ର କାରଣ ହେଲା ନିର୍ଦ୍ଦିଷ୍ଟ ସମାଜରେ କିମ୍ବା ଗୋଷ୍ଠୀ ଭିତରେ ରହିଥିବା ଭାଷା ଏବଂ ସରକାର ବ୍ୟବହୃତ କରୁଥିବା ଭାଷା । ସରକାର ଓଡ଼ିଆ ଭାଷାକୁ ପ୍ରଶାସନିକ ଭାଷା ଭାବରେ ଗ୍ରହଣ କରି ସାରିଛନ୍ତି । ଏହାସତ୍ତ୍ୱେ ଇଂରାଜୀ ଭାଷାର ଗୁରୁତ୍ୱ କମିନାହିଁ । ଇଂରାଜୀ ଭାଷା ହିଁ ସରକାର ଏବଂ ଲୋକମାନଙ୍କ ମଧ୍ୟରେ ରହିଥିବା ବ୍ୟବଧାନକୁ ବଢ଼ାଇ ଦେଉଛି । ବର୍ତ୍ତମାନ ଏହି ୧୭ଟି ଭାଷାର ପ୍ରୟୋଗକୁ ସରକାରୀ ଭାବରେ ଶିକ୍ଷାଦାନର ମାଧ୍ୟମ ରୂପେ ଗ୍ରହଣ କରାଗଲେ ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ଅନେକ ସୁବିଧା ସୃଷ୍ଟି ହେବ ।