ଭାରତୀୟ ସଂସ୍କୃତିରେ ଜନନୀ ଦଶଭୁଜା

ଭାରତୀୟ ସଂସ୍କୃତିରେ ଜନନୀ ଦଶଭୁଜା

ସଂସ୍କୃତି କହିଲେ ମାନବର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଜୀବନର ମାନଦଣ୍ଡ ତଥା ମାର୍ଜିତ ଚିନ୍ତାଧାରାକୁ ବୁଝାଏ । ଏହା ଏକ ସଂସ୍କାର ସମ୍ପନ୍ନ ମାନବ ସମାଜର ଅନ୍ତଃସଲୀଳା ଚୀର ପ୍ରବହମାନ ଜାହ୍ମବୀ ଧାରା । ଏହା ସାମାଜିକ ଜୀବନ ଠାରୁ ଆରମ୍ଭ କରି ସାଂସ୍କୃତିକ ତଥା ଧାର୍ମିକ ଜୀବନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପ୍ରତିଫଳିତ । ଭାରତୀୟ ଜନଜୀବନର ସାମଗ୍ରିକ ରୂପ ତାର ଲୋକ - ସଂସ୍କୃତିରେ ପ୍ରତିଫଳିତ । ତେଣୁ ସାମାଜିକ ଆଧ୍ୟାତ୍ମିକ ଓ ରାଜନୈତିକ ଜୀବନର ମଧୁର ସମନ୍ୱୟରେ ପ୍ରତ୍ୟେକ ଦେଶର ସଂସ୍କୃତି ଗଢ଼ି ଉଠିଥାଏ । ସେଥିପାଇଁ ଭାରତ ବର୍ଷ ସର୍ବୋପରି ବହୁ ସଂପ୍ରଦାୟ ଓ ବହୁ ଭାବନାର ସମନ୍ୱିତ ଭୂମି ଏବଂ ମହନୀୟ ଚେତନାର ସମନ୍ୱିତ ତୀର୍ଥ । ଆର୍ଯ୍ୟଭୂମି ଭାରତ ବର୍ଷରେ ଶାକ୍ତ ସଂସ୍କୃତିର ଏକ ବିରାଟ ଐତିହ୍ୟ ରହି ଆସିଛି । ଆର୍ଯ୍ୟ ଓ ଅର୍ଯେ୍ୟାତର ବିଶ୍ୱାସ ଓ ସଂସ୍କାରର ସମନ୍ୱୟରୁ ଶକ୍ତି ଉପାସନା ଆରମ୍ଭ ହୋଇଥିଲା । ପ୍ରଚଳିତ ଶାକ୍ତ ବ୍ରତ ଗୁଡ଼ିକରେ ଦୁର୍ଗା, ଲକ୍ଷ୍ମୀ, ମହାକାଳୀ, ମଙ୍ଗଳା, ସାବିତ୍ରୀ, ଉତ୍ତରାୟଣୀ, ପାର୍ବତୀ, ଆରାଧ୍ୟା ଦେବୀ ରୂପେ ପୂଜା ପାଆନ୍ତି । ମୁଖ୍ୟତଃ ଏକ ଈଶ୍ୱର ଉପରେ ବିଶ୍ୱାସ ରଖିଥିଲେ ହେଁ ବହୁ, ଦେବଦେବୀ ପୂଜା ହିନ୍ଦୁ ସଂସ୍କୃତିର ଏକ ଉଲ୍ଲେଖଯୋଗ୍ୟ ବିଶିଷ୍ଟ୍ୟ । ତେଣୁ ଭାରତ ବର୍ଷରେ ବିଭିନ୍ନ ସମୟରେ ଜୈନ, ବୌଦ୍ଧ, ବୈଷ୍ଣବ, ଶୈବ, ଶାକ୍ତ, ଗାଣପତ୍ୟ, ସୌର, ପଞ୍ଚସଖାଦି ବହୁ ଧର୍ମ ଓ ଦର୍ଶନ ସମ୍ପ୍ରଦାୟର ଉଦ୍ଭବ, ବିକାଶ ଓ ଅପୂର୍ବ ସମନ୍ୱୟ ସଂଘଟିତ ହୋଇ ସେହି ଧର୍ମାନୁସୃତ ବିଭିନ୍ନ ଦେବତା ମାନଙ୍କର ପୂଜା, ଉପାସନା ବ୍ୟାପକ ଭାବରେ ଜନ ସମାଜରେ ପ୍ରଚଳିତ ହୋଇଅଛି ।
ଭାରତୀୟ ସଂସ୍କୃତିର ଏକ ମୁଖ୍ୟ ବିଭାବ ହେଉଛି ସମନ୍ୱୟ ପ୍ରତିଷ୍ଠା । ଏଠାରେ ବିଷ୍ଣୁ, ଶିବ, ଆଦିତ୍ୟ, ଗଣପତି ଏବଂ ଦୁର୍ଗା ପଞ୍ଚ ଦେବତା ରୂପେ ପୂଜା ପାଇ ଆସୁଛନ୍ତି । ବିଶେଷତଃ ଭାରତୀୟ ଧର୍ମୀୟ ପରମ୍ପରାରେ ଅନେକ ଧାର୍ମିକ ଚିନ୍ତାଧାରାର ଉତ୍ଥାନ ଓ ପତନ ସତ୍ତ୍ୱେ ଏହି ପଞ୍ଚୋପାସନା ମଧ୍ୟରେ ଶକ୍ତି ଉପାସନା ବିଶେଷ ଆଦୃତି ଲାଭ କରିଛି । 
ମହାମାୟା ଜଗଧାତ୍ରୀ ଦେବୀ, ପଞ୍ଚମ ଶ୍ଳୋକରେ କହିଛନ୍ତି ସଂହାର କର୍ତ୍ତା ରୁଦ୍ର ଯେତେବେଳେ ସ୍ତୋତ୍ର-ବିଦ୍ୱେଷୀକୁ ହତ୍ୟା କରିବାକୁ ଉଦ୍ୟତ ହୁଅନ୍ତି, ମୁଁ ସେତେବେଳେ ତାଙ୍କର ଧନୁକୁ ବିସ୍ତାରିତ କରିଦିଏ ଏବଂ ଜନ ସମାଜରେ ସତ୍ୟ, ଧର୍ମ, ନ୍ୟାୟର ପ୍ରତିଷ୍ଠା କରିବା ପାଇଁ ମୁଁ ଅନ୍ୟାୟ ଅସତ୍ୟ ଓ ଅଧର୍ମ ବିରୁଦ୍ଧରେ ଯୁଦ୍ଧକରେ । ସୃଷ୍ଟି ବିଧ୍ୱଂଶକାରୀ ମହିଷାସୁର ବିରୁଦ୍ଧରେ ମଙ୍ଗଳମୟୀ ଦେବୀଙ୍କର ସେ ଦିନର ରୋମାଞ୍ଚକାରୀ ଯୁଦ୍ଧ ଅଭିଯାନ ଏବେ ମଧ୍ୟ ଜନ ମାନସକୁ ଆଲୋଡ଼ିତ କରେ । ହେ ଅମୃତର ସନ୍ତାନଗଣ ଥରେ ଚିନ୍ତାକରି ଦେଖନ୍ତୁ ଗୋଟିଏ ମହିଷାସୁରକୁ ନିହତ କରିବା ପାଇଁ ସୃଷ୍ଟିର ସମସ୍ତ ଦେବ ଦେବୀ, ମଙ୍ଗଳମୟୀ ଜନନୀ ଦଶଭୁଜାଙ୍କୁ ସେମାନଙ୍କର ସମସ୍ତ ଅସ୍ତ୍ରଶସ୍ତ୍ର ଅର୍ପଣ କରିଥିଲେ । କିନ୍ତୁ ଆଜିର ବସ୍ତୁବାଦୀ ଦୁନିଆରେ ଯେଉଁ ସହଶ୍ର ସହଶ୍ର ମହିଷାସୁର ଜନ୍ମନେଇ ସମଗ୍ର ଜନଜୀବନରେ ଆତଙ୍କର ଛାୟା ଖେଳାଇ ଦେଲେଣି ସେମାନଙ୍କୁ ସଂହାର କରିବା ପାଇଁ କେଉଁ ଅସ୍ତ୍ରର ପ୍ରୟୋଜନ ଅଛି । ଏବେ ମଧ୍ୟ ସମୟ ଅଛି ଦୁର୍ଗତି ନାସିନୀ ଜଗଜ୍ଜନନୀଙ୍କ ଶୁଭାଗମନରେ ପଶୁବଳୀ ପରି ନାରକୀୟ କାଣ୍ଡ ପରିବର୍ତ୍ତେ ନିଜ ଭିତରେ ସ୍ଥାନ ଦେଇଥିବା ଈର୍ଷା, ଅସୂୟା, ପରଶ୍ରୀକାତରତା, ଅହମିକା ତଥା ନାନାଦି ସଂକୀର୍ଣ୍ଣତା ରୂପକ ମହିଷାସୁରକୁ, କଲ୍ୟାଣମୟୀ ଜନନୀ ଦଶଭୁଜାଙ୍କ ପଦାର ବିନ୍ଦରେ ବଳି ଦେଇ ଚୀର ପ୍ରବହମାନ ଧର୍ମ, ସଂସ୍କୃତି ଓ ସଭ୍ୟତାକୁ ମାର୍ଜିତ ଓ ସୁସହନ୍ତ କରିପାରିଲେ ସାରା ଜଗତରୁ ଦୁଃଖର ଦାବାନଳ ନିର୍ବାପିତ ହୋଇଯିବ । 
ଭବାଶିଷ ଦାଶ,ମୋ : ୯୮୬୧୧୧୮୬୭୩