ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ୱର: ଆଜିଠୁ ଯୁକ୍ତ ୨ ପ୍ରାକ୍ଟିକାଲ୍ ପରୀକ୍ଷା । ଏହା ଜାନୁଆରୀ ୧୨ ତାରିଖ ଯାଏଁ ଚାଲିବ। ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ଦୂରନିରନ୍ତର ବିଭାଗରେ ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପ୍ରାକ୍ଟିକାଲ୍ ଓ ପ୍ରୋଜେକ୍ଟ ପରୀକ୍ଷା ଦେବେ। ବିଜ୍ଞାନ ବିଭାଗରେ ସର୍ବାଧିକ ୧ଲକ୍ଷ ୨୫ ହଜାର ଏବଂ କଳା ବିଭାଗରେ ପ୍ରାୟ ୧ ଲକ୍ଷ ପରୀକ୍ଷାର୍ଥୀ ରହିଛନ୍ତି। ଜାନୁଆରୀ ୧୨ ପର୍ୟ୍ୟନ୍ତ ଚାଲିବାକୁ ଥିବା ପରୀକ୍ଷାର ୬୦ ମାର୍କ, ୫୦ ମାର୍କ ଓ ୩୦ ମାର୍କ ବିଶିଷ୍ଟ ପ୍ରାକ୍ଟିକାଲ ବିଷୟ ଲାଗି ୩ ଘଣ୍ଟା ଏବଂ ୧୫ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ପାଇଁ ଦୁଇ ଘଣ୍ଟା ଅବଧି ରହିଛି । ବିଜ୍ଞାନ ବିଭାଗର ୧୨ଟି, କଳା ବିଭାଗର ୮, ବାଣିଜ୍ୟ ବିଭାଗର ଦୁଇ, ଧନ୍ଦାମୂଳକ ବିଭାଗର ୧୦ରୁ ଅଧିକ ବିଷୟରେ ପ୍ରୋଜେକ୍ଟ ପରୀକ୍ଷା ହେବ। ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ରରେ ପହଞ୍ଚିବା ଆବଶ୍ୟକ।
ପରୀକ୍ଷାରେ କୌଣସି ପ୍ରକାର ସମସ୍ୟା ଉପୁଜିଲେ, ତୁରନ୍ତ ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ଦୃଷ୍ଟିକୁ ଆଣିବାକୁ କୁହାଯାଇଛି। ପ୍ରାକ୍ଟିକାଲ୍ ପରୀକ୍ଷାରେ ସ୍ଵଚ୍ଛତା ଆଣିବା ଦିଗରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ବା ସିଏଚଏସଇ ପଦକ୍ଷେପ ନେଇଛି। ପରୀକ୍ଷା ସରିବା କ୍ଷଣି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବା ଯୁକ୍ତ ୨ କଲେଜ କର୍ତ୍ତୃପକ୍ଷ ଜାନୁଆରୀ ୧୦ରୁ ୨୫ ତାରିଖ ମଧ୍ୟରେ ଇଣ୍ଟରନାଲ ଆସେସ୍ମେଣ୍ଟ ଓ ପ୍ରାକ୍ଟିକାଲ ପରୀକ୍ଷାର ମାର୍କ ସାମ୍ସ ପୋର୍ଟାଲରେ ଦାଖଲ କରିବେ । ପ୍ରାକ୍ଟିକାଲ୍ ପରୀକ୍ଷାର ଉତ୍ତରଖାତା ଓ ମାର୍କ ଫଏଲ୍ରେ ଏକ୍ସଟରନାଲ୍ ପରୀକ୍ଷକଙ୍କ ଦସ୍ତଖତ ରହିବା ବାଧ୍ୟତାମୂଳକ । ନ ହେଲେ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ସ୍ଥଗିତ ରଖାଯିବ ଏବଂ ଏଥିପାଇଁ କେନ୍ଦ୍ର ସୁପରିନଟେଣ୍ଡେଣ୍ଟ ଦାୟୀ ରହିବେ। ଜାନୁଆରୀ ୨୭ରୁ ଫୋବୃଆରୀ ୪ ମଧ୍ୟରେ ଜିଲ୍ଲା ଅନୁଯାୟୀ କଲେଜଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ମାର୍କର ହାର୍ଡକପି ପରିଷଦ ନିକଟରେ ଦାଖଲ କରିବେ । ଧାର୍ୟ୍ୟ ସମୟ ପରେ ଆସିଥିବା ପ୍ରାକ୍ଟିକାଲ ରେକର୍ଡ ଗୁଡ଼ିକୁ ଗ୍ରହଣ କରାଯିବନାହିଁ। ସମସ୍ତ କେନ୍ଦ୍ରରେ ପରୀକ୍ଷା ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ପହଞ୍ଚିସାରିଛି।