ବବି ଆହ୍ୱାନ ଦେଲେ, ମୋହନ ଗିରଫ କଲେ
pranab prakash das

ଭୁବନେଶ୍ୱର : ପ୍ରଣବ ପ୍ରକାଶ ଦାସ ଆହ୍ୱାନ ଦେଲେ । ଯଦି ତାଙ୍କ ଭାଇ ବିଧାୟକଙ୍କ ଆକ୍ରମଣ ଘଟଣାରେ ଦୋଷୀ ତାହେଲେ ଗିରଫ କର । ବବିଙ୍କ ଆହ୍ୱାନକୁ ମୋହନ ସରକାର ଗ୍ରହଣ କଲେ । ତୁରନ୍ତ ବବିଙ୍କ ଭାଇ ଲଲଙ୍କୁ ଗିରଫ ବି କରାଗଲା । ଦୋଷୀ ଯେତେ ଶକ୍ତିଶାଳୀ ହେଉପଛେ, ସରକାର ଛାଡ଼ିବେ ନାହିଁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସବୁବେଳେ ଏହି କଥା କହି ଆସୁଥିଲେ । ତେବେ ବବିଙ୍କ ଭାଇଙ୍କୁ ଗିରଫ କରି ତାହା ପ୍ରମାଣିତ ମଧ୍ୟ କରିଦେଲେ ।
କଥାରେ ଅଛି, କର୍ମଫଳ ଭୋଗିବାକୁ ପଡ଼ିବ । ଅନ୍ୟ ପ୍ରତି ଅନ୍ୟାୟ କରିଥିଲେ ଦିନେ ନିଜ ଉପରେ ବି ପଡ଼ିବ । ଯାହାକି ପ୍ରଣବ ପ୍ରକାଶ ଦାସ ମର୍ମେ ମର୍ମେ ଅନୁଭବ କରୁଛନ୍ତି । ଅତୀତରେ ବିଜେଡ଼ିକୁ ମଜବୁତ କରିବା ଆଳରେ ବିରୋଧୀଙ୍କ ଦୃଢ଼ ହସ୍ତରେ ଦମନ କରାଯାଉଥିଲା । ଦଳର ମାମଲତକାର ଭିକେ ପାଣ୍ଡିଆନ୍ ଓ ପ୍ରଣବ ପ୍ରକାଶ ଦାସଙ୍କ ନିର୍ଦ୍ଦେଶରେ ଗିରଫ କରାଯିବା ସହ ମିଛ ମାମଲା ବି ଠୁଙ୍କା ଯାଉଥିଲା । ଏବେବି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ବିଜେଡ଼ି ଦେଇଥିବା ଘା’ର ଯନ୍ତ୍ରଣା ଅନୁଭବ କରୁଛନ୍ତି । କିନ୍ତୁ ଗତ ୫ ମାସରେ ସବୁକିଛି ବଦଳିଯାଇଛି । ଯେଉଁ ବିଜେଡ଼ି ନେତାଙ୍କୁ ରାସ୍ତାରେ ଦେଖିଲେ ମାରଣା ଷଣ୍ଢ ଆଉ ଗର୍ଭିଣୀ ଗାଈ ବାଟ ଛାଡ଼ି ଦେଉଥିଲେ ଏବେ ସେହି ବିଜେଡ଼ି ନେତା ଭୟରେ କାଳାତିପାତ କରୁଛନ୍ତି । ପୁରୁଣା ଫାଇଲ୍ ବି ଖୋଲିବା ଆରମ୍ଭ ହୋଇଗଲାଣି । ବବିଙ୍କ ଭାଇ ଗିରଫଦାରୀ ଘଟଣା ଅନେକ ବିଜେଡ଼ି ନେତାଙ୍କ ନିଦ ହଜାଇ ଦେଇଛି । ନିଜ ନିର୍ବାଚନମଣ୍ଡଳୀରେ ଆଉ ତିସ ମାର ଖାଁ ହେବାକୁ ଚାହୁଁନାହାନ୍ତି ।