ୟୁପି ଗ୍ୟାଙ୍ଗଷ୍ଟର ଆକ୍ଟ କଠୋର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଗ୍ୟାଙ୍ଗଷ୍ଟର୍ସ ଆଣ୍ଡ ଆଣ୍ଟି ସୋସିଆଲ୍ ଆକ୍ଟିଭିଟିସ୍ (ପ୍ରିଭେନ୍ସନ୍) ଆକ୍ଟ କଠୋର ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଜଷ୍ଟିସ୍ ବିଆର୍ ଗବାଇ ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆଇନ ଅଧୀନରେ ରୁଜୁ ହୋଇଥିବା ଏକ ମାମଲା କାସଗଞ୍ଜର ଏକ ଜିଲ୍ଲା ଅଦାଲତରେ ତାଙ୍କ ବିରୋଧରେ ଚାଲିଥିବା ପ୍ରକ୍ରିୟାକୁ ରଦ୍ଦ କରିବା ପାଇଁ ମେ ୨୦୨୩ରେ ଏହ୍ଲାବାଦ ହାଇକୋର୍ଟ ଦେଇଥିବା ଆଦେଶକୁ ଚ୍ୟାଲେଞ୍ଜ କରିଥିବା ଜଣେ ବ୍ୟକ୍ତିଙ୍କ ଆବେଦନର ଶୁଣାଣି ବେଳେ ଏହି ମନ୍ତବ୍ୟ ଦେଇଛନ୍ତି ।
ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ଏହି ଆଇନ କଠୋର ମନେ ହେଉଛି । ଆବେଦନକୁ ଗ୍ରହଣ କରି ଖଣ୍ଡପୀଠ କହିଛନ୍ତି, ଆମେ ଏହା ଉପରେ ବିଚାର କରିବୁ । ଗତ ବର୍ଷ ନଭେମ୍ବର ମାସରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ଉତ୍ତରପ୍ରଦେଶ ସରକାର ଓ ଅନ୍ୟମାନଙ୍କ ଠାରୁ ଜବାବ ମାଗିଥିଲେ ଏବଂ କହିଥିଲେ, ଅନ୍ତରୀଣ ଆଦେଶ ମାଧ୍ୟମରେ ଆବେଦନକାରୀଙ୍କ ବିରୋଧରେ କୌଣସି ଦୃଢ଼ ପଦକ୍ଷେପ ନିଆଯିବ ନାହିଁ । ବୁଧବାର ଆବେଦନକାରୀଙ୍କ ଓକିଲ କହିଛନ୍ତି ଯେ ଗଙ୍ଗା ନଦୀରେ ବେଆଇନ ଖଣି ଖନନ ଅଭିଯୋଗରେ ତାଙ୍କ ବିରୋଧରେ ୧୯୮୬ ଆଇନର ବ୍ୟବସ୍ଥା ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଓକିଲଙ୍କ ଯୁକ୍ତି ଥିଲା ଯେ ପୂର୍ବରୁ ବେଆଇନ ଖଣି ଖନନ ସମ୍ପର୍କିତ ଆଉ ଏକ ଏଫଆଇଆର ରୁଜୁ ହୋଇଥିଲା । ଓକିଲ ଯୁକ୍ତି ବାଢ଼ିଥିଲେ, ସମାନ ଅଭିଯୋଗରେ ସେମାନେ ମୋ ବିରୋଧରେ ଦୁଇଥର ମାମଲା ରୁଜୁ କରିଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ୧୯୮୬ ଆଇନର ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରିଥିଲେ । ଏଥିପାଇଁ ବିଚାରର ଆବଶ୍ୟକତା ରହିଛି ବୋଲି ଖଣ୍ଡପୀଠ କହିଛନ୍ତି । ଏହି ଆଇନର କେତେକ ବ୍ୟବସ୍ଥାର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଏକ ପୃଥକ ଆବେଦନ ମଧ୍ୟ ବିଚାରାଧୀନ ରହିଛି । ତେବେ ଆବେଦନକାରୀଙ୍କ ଓକିଲ ଏହାପୂର୍ବରୁ ହାଇକୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ ଗ୍ୟାଙ୍ଗଷ୍ଟର ଆକ୍ଟ ଅଧୀନରେ ରୁଜୁ ହୋଇଥିବା ମାମଲାରେ ତାଙ୍କୁ ମିଥ୍ୟା ଭାବେ ଫସାଇ ଦିଆଯାଇଛି । ତାଙ୍କ ଓକିଲ ହାଇକୋର୍ଟରେ ଦାବି କରିଥିଲେ ଯେ କେବଳ ଅନ୍ୟ ଏକ ମାମଲା ଆଧାରରେ ଗ୍ୟାଙ୍ଗଷ୍ଟର ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି ଯେଉଁଥିରେ ଆବେଦନକାରୀଙ୍କ ନାମ ନାହିଁ । ଗତ ନଭେମ୍ବର ୨୯ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଆଇନର କେତେକ ବ୍ୟବସ୍ଥାର ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ଏକ ପୃଥକ ଆବେଦନର ଶୁଣାଣି କରିବାକୁ ରାଜି ହୋଇଥିଲେ ଏବଂ ଏହି ଆବେଦନ ଉପରେ ଉତ୍ତରପ୍ରଦେଶ ସରକାରଙ୍କୁ ଜବାବ ଦେବା ପାଇଁ ନୋଟିସ୍ ଜାରି କରିଥିଲେ ।