ରାସ୍ତା ଉପରେ ୧୧ କେଭି ବିଦ୍ୟୁତ ଖୁଣ୍ଟ

ରାସ୍ତା ଉପରେ ୧୧ କେଭି ବିଦ୍ୟୁତ ଖୁଣ୍ଟ

 ବ୍ରହ୍ମ୍ୱବରଦା : ରାସ୍ତା ଉପରେ ବିଦ୍ୟୁତ୍‌ ଖୁଣ୍ଟ । ତାହା ପୁଣି ଗୋଟେ ଅଧେ ନୁହଁ ଦୁଇ ଦୁଇଟି ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି । ଫଳରେ ସେହି ରାସ୍ତା ଦେଇ ଦୈନିକ ଯାତାୟତ କରୁଥିବା ସହ ସହ ପଥିକ, ବାଇକ ଆରୋହୀ, କଲେଜ ଛାତ୍ର-ଛାତ୍ରୀ ନିଜ ଅନ୍ୟ ମନସ୍କର ଶିକାର ହୋଇ ବାରମ୍ବାର ଦୁର୍ଘଟଣା ଗ୍ରସ୍ତ ହେବା ସହ ଅକାରଣରେ ଧନ ଜୀବନ ହାନି ଘଟୁଛି । 
ବିଶେଷ କରି ଉକ୍ତ ରାସ୍ତା ପାର୍ଶ୍ୱରେ ଥିବା ତିନି ତିନିଟି ବିଦ୍ୟାଳୟର ଛାତ୍ର-ଛାତ୍ରୀ ସେହି ପଥ ଦେଇ ଦୈନିକ ବିଦ୍ୟାଳୟକୁ ଯିବାଆସିବା କରିବା ଦ୍ୱାରା ସେମାନେ ମଧ୍ୟ ବାରମ୍ବାର ଦୁର୍ଘଟଣାର ଶିକାର ହେବା ଏବେ ନଜରକୁ ଆସୁଛି । ତା ସହିତ ବିନା କେବୁଲ କିମ୍ବା ବିନା ଗାଇଡିଂରେ ଉକ୍ତ ରାସ୍ତାର ଉପର ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ୧୧କେଭି ବିଦ୍ୟୁତ୍‌ ତାର ନିରୀହ ପଥିକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଛି । ଉକ୍ତ ଖୁଣ୍ଟକୁ ରାସ୍ତାରୁ ହଟାଇବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିକରି ଥକି ଗଲେଣି ଗ୍ରାମବାସୀ, କିନ୍ତୁ ବିଲକୁଲ କର୍ଣ୍ଣପାତ କରୁନି ବିଦ୍ୟୁତ୍‌ ବିଭାଗ । ଏପରି ଏକ ଦୃଶ୍ୟ ଯାହା ଦେଖିବାକୁ ମିଳିଛି ଯାଜପୁର ବ୍ଳକ ଝାଲପଡା ପଞ୍ଚାୟତ କାକୁଡିକୁଦ ଅଞ୍ଚଳରେ । ସୂଚନାଥାଉକି ସୁଜନପୁରଠାରୁ-କାକୁଡ଼ିକୁଦ କଚେରୀ ପଡିଆ ପର୍ଯ୍ୟନ୍ତ ୭କିମି ରାସ୍ତାକୁ ଓଡିଶା ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରଣିଧାନ କରାଯାଇ ଇତି ମଧ୍ୟରେ ଶେଷ ହୋଇଛି । କିନ୍ତୁ କାକୁଡ଼ିକୁଦ କଚେରୀ ପଡିଆ ନିକଟ ରାସ୍ତା ମଝିରେ ୨ଟି ୧୧କେଭି ବିଦ୍ୟୁତ ଖୁଣ୍ଟ ରହିଛି ଯାହା ଉକ୍ତ ରାସ୍ତା ଦେଇ ଯାଉଥିବା ବାଟୋଇଙ୍କ ପାଇଁ କାଳ ସାଜିଛି । ଉକ୍ତ ଖୁଣ୍ଟ ସହ ଗାଡ଼ି ମୋଟର ଧକ୍କା ହେବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଠିକାଦାର ବିଦ୍ୟୁତ ଖୁଣ୍ଟଟିକୁ ସ୍ଥାନାନ୍ତରିତ ନକରାଇ ରାସ୍ଥା ନିର୍ମାଣ କାର୍ଯ୍ୟ ସାରିଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି । ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ଏକ ପ୍ରକାର ସରିଥିଲେ ମଧ୍ୟ ଉକ୍ତ ଉଚ୍ଚ କ୍ଷମତା ସମ୍ପନ୍ନ୧୧କେଭି ବିଦ୍ୟୁତ୍‌ ଖୁଣ୍ଟ ରାସ୍ତା ଉପରୁ ନଉଠାଇବା ଏକ ବେପରୁଆ କାର୍ଯ୍ୟ ବୋଲି ମନେ ହେଉଛି । ଏଥିରୁ ସୂଚୀତ ହେଉଛି କି ଉଭୟ ବିଭାଗ ସାଧାରଣ ନିରୀହ ଲୋକ ମାନଙ୍କ ଜୀବନ ସହ ଖେଳ ଖେଳୁଛି । ଏନେଇ ପୂର୍ବରୁ ସେତେବେଳେର ବିଭାଗୀୟ ଅଧିକାରୀ କନିଷ୍ଠ ଯନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା, ସେ ମଧ୍ୟ ବିଦ୍ୟୁତ୍‌ ବିଭାଗ ସହିତ କଥା ହୋଇ ୧ମାସ ମଧ୍ୟରେ ଉକ୍ତ ଖୁଣ୍ଟ ଦ୍ୱୟକୁ ରାସ୍ତାରୁ ହଟେଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପରିତାପର ବିଷୟ ଉକ୍ତ ଖୁଣ୍ଟ ଦ୍ୱୟ ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତା ଉପରେ ସେହି ଭଳି ରହିଛି । ତେଣୁ କୌଣସି ଏକ ବଡ ଦୁର୍ଘଟଣା ଘଟିବା ପୂର୍ବରୁ ଉକ୍ତ ଖୁଣ୍ଟ ଦ୍ୱୟକୁ ତୁରନ୍ତ ସ୍ଥାନାନ୍ତର କରିବା ପାଇଁ ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି ।