ସ୍ଥାୟୀ ଦରମା ଦାବିରେ ସପୋର୍ଟ ଷ୍ଟାଫଙ୍କ ଧାରଣା
ସିଂହପୁର : ବିଞ୍ଝାରପୁର ବ୍ଲକରେ ମିଶନ ଶକ୍ତି ଅଧିନରେ କାର୍ଯ୍ୟରତ କମ୍ୟୁନିଟି ସପୋର୍ଟ ଷ୍ଟାଫ ସଂଘ ପକ୍ଷରୁ ସ୍ଥାୟୀ ଦରମା ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦିଆଯାଇଥିବା ଧାରଣା ୨ୟ ଦିନରେ ପହଁଚିଛି । ଆଜିର ଦିନରେ ସଂଘର କର୍ମକର୍ତ୍ତା ବିଡ଼ିଓଙ୍କୁ ଭେଟି ନିଜର ଦାବି ସମ୍ପର୍କରେ ଜଣାଇବା ସହ ବ୍ଲକ ପରିକ୍ରମା କରିଥିଲେ । ବ୍ଲକ ଅନ୍ତର୍ଗତ ୨୯ପଞ୍ଚାୟତରେ ମିଶନ ଶକ୍ତି ଅଧିନରେ ଶତାଧିକ କାର୍ଯ୍ୟରତ କମୁ୍ୟନିଟି ସପୋର୍ଟ ଷ୍ଟାଫ କାର୍ଯ୍ୟ ବନ୍ଦକରି ଗଣଧାରଣାରେ ସାମିଲ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ କମୁ୍ୟନିଟି ସପୋର୍ଟ ଷ୍ଟାଫ ମାନଙ୍କ ପାଇଁ ସରକାର ସ୍ଥାୟୀ ଦରମାର ବ୍ୟବସ୍ଥା ନକରି କେବଳ ପ୍ରୋତ୍ସାହନ ରାଶି ପ୍ରଦାନ କରୁଛନ୍ତି । ଯାହାଦ୍ୱାରା ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କମୁ୍ୟନିଟି ସପୋର୍ଟ ଷ୍ଟାଫ ମାନଙ୍କ ପାଇଁ ସ୍ଥାୟୀ ଦରମା ଓ ରାଜସ୍ୱ ଗ୍ରାମ ଅନୁଯାୟୀ ସିଏଲଏଫ୍ ଗଠନ ବେଳେ ବାଦ ପଡ଼ିଥିବା ସିଆରପି ମାନଙ୍କର ସ୍ଥାୟିତ୍ୱ ଏବଂ ସମସ୍ତ ସିଏସଏସ ମାନଙ୍କର ସ୍ଥାୟୀ ଦରମା ପ୍ରଦାନ ନେଇ ସଙ୍ଘ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ ଦାବି ପୂରଣ ହୋଇ ପାରିନାହିଁ । ଯାହାକୁ ନେଇ ସଂଘ ଅସନ୍ତୋଷ ପ୍ରକାଶ କରିବାସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିବ ବୋଲି ସଭାପତି ଉତ୍ପଳବର୍ଣ୍ଣା ସାମଲ ଓ ସମ୍ପାଦିକା ପ୍ରଭାତୀ ରାଉତ କହିଛନ୍ତି ।