କେବେ ପଡ଼ିବ ପ୍ରଶାସନର ନଜର ; ସରକାରୀ ଯୋଜନାରୁ ବଞ୍ଚିତ ଉମା 

ବ୍ରହ୍ମବରଦା : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶାରୀରିକ ଓ ମାନସିକ ଅନଗ୍ରସର ବିଦ୍ୟାଙ୍ଗ ମାନଙ୍କ ପାଇଁ ବିଭିନ୍ନ ଯୋଜନା ଲାଗୁ କରୁଛନ୍ତି । ମାସିକିଆ ଭତା ପାଇଁ ମଧୁବାବୁ ପେନ୍‌ସନ୍‌ ଯୋଜନା ଲାଗୁ କରିଥିବା ବେଳେ, ଏବେ ଆବାସ ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା ଲାଗୁ ହୋଇଛି । ଏହିସବୁ ଯୁଗାନ୍ତକାରୀ ଯୋଜନା ମାଧ୍ୟମରେ ସରକାର ଲକ୍ଷ ଲକ୍ଷ ଭିନ୍ନକ୍ଷମ ହିତାଧିକାରୀଙ୍କୁ ସହଯୋଗର ହାତ ବଢାଇ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରୁଥିବା ନେଇ ଡେଙ୍ଗୁରା ପିଟୁଥିବା ବେଳେ ଏହାର ବ୍ୟତିକ୍ରମ ରସୁଲପୁର ବ୍ଲକ ବ୍ରହ୍ମବରଦା ପଂଚାୟତ ଛେନାଖିଆପାଟଣାରେ ଦେଖିବାକୁ ମିଳିଛି । ଗ୍ରାମ ୧୨ନଂ ୱାର୍ଡର ବାସିନ୍ଦା ହରିବନ୍ଧୁ ସେଠିଙ୍କ ୩୦ବର୍ଷୀୟ ଦିବ୍ୟାଙ୍ଗ ପୁଅ ଉମେଶ ଜଣେ ମାନସିକ ଭିନ୍ନକ୍ଷମ । ଯିଏକି ସାମାଜିକ ସୁରକ୍ଷା ଭତାରୁ ବଂଚିତ ହୋଇଛନ୍ତି । ମଧୁବାବୁ ପେନସନ ଯୋଜନା ତାଙ୍କ ପାଇଁ ସାତ ସପନ ପାଲଟିଛି । ଉମାଙ୍କୁ ଏହି ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ତାଙ୍କ ବାପା ହରିବନ୍ଧୁ ସବୁ ପ୍ରମାଣପତ୍ର ସହ ଦୀର୍ଘ ୧୦ ମାସରୁଉର୍ଦ୍ଧ୍ୱ ସମୟ ହେବ ଅନଲାଇନ ମାଧ୍ୟମରେ ଆବେଦନ କରିବା ସହ ଏଣେତେଣେ ଦୌଡି ଦୌଡି ନୟାନ୍ତ ହେଲେଣି । କିନ୍ତୁ ତାଙ୍କ ପାଇଁ ଏହା ଅପହଁଚ ହୋଇପଡିଛି । ଉମା ଜଣେ ୭୦% ମାନସିକ ଅନଗ୍ରସର ବା ଅତିଶୟ ଦିବ୍ୟାଙ୍ଗ ଭାବେ ପ୍ରମାଣପତ୍ର ପାଇଛନ୍ତି । ତାଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର ବା ୟୁଡିଆଇଡି ସାର୍ଟିଫିକେଟ ନଂ ଓଡି ୧୩୧୦୮୧୯୯୪୦୩୧୨୫୪୬ । ସବୁ ପ୍ରମାଣପତ୍ର ପାଇଥିଲେ ମଧ୍ୟ ସେ ଭତ୍ତା ପାଇବାରୁ କିପରି ବଂଚିତ ହୋଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥରୁ ସୂଚୀତ ହେଉଛି କି ରାଜ୍ୟ ସରକାରଙ୍କ ମଧୁବାବୁ ପେନ୍‌ସନ୍‌ ଯୋଜନା ଉମାଙ୍କ କ୍ଷେତ୍ରରେ ଫେଲ ମାରିଛି । ଉମା ନିଜ ଅଧିକାର ପାଇବାରୁ ବଂଚିତ ହେବା ନିଶ୍ଚିତ ଭାବେ ସାମ୍ବିଧାନିକ ଆଇନର ଖୋଲା ଉଲଂଘନ ହୋଇଛି । ସାମାଜିକ ସୁରକ୍ଷା ଅଧିକାର ଆଇନ ୨୦୧୬ ଅନୁଯାୟୀ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ କ୍ଷେତ୍ରରେ ସର୍ବ ପ୍ରଥମେ ମାନସିକ ଅନଗ୍ରସର ବ୍ୟକ୍ତିଙ୍କୁ ଭତ୍ତା ପ୍ରଦାନ କରାଯିବାର ନିୟମ ରହିଛି । କିନ୍ତୁ ଉମାଙ୍କ କ୍ଷେତ୍ରରେ ଏହା ସବୁଠୁ ବଡ଼ ବ୍ୟତିକ୍ରମ ହୋଇଥିବା ଦେଖାଯାଇଛି । ଗୋଟିଏ ପଟେ ସରକାର ରାଜ୍ୟରେ ଥିବା ସମସ୍ତ ଭିନ୍ନକ୍ଷମ ବ୍ୟକ୍ତିଙ୍କ ନିକଟରେ ପହଁଚି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିବା ସହ ଏକ୍ଷେତ୍ରରେ କୋଟି କୋଟି ଟଙ୍କା ବ୍ୟୟବରାଦ କରୁଥିବା ବେଳେ ଉମାଙ୍କ ପାଇଁ ଏହା ଆଇନକୁ ଆଖିଠାର ସଦୃଶ ହୋଇଛି । ଏହା ବାଦ ଉମା ମଧ୍ୟ ସରକାରଙ୍କ ଅନ୍ତ୍ୟୋଦୟ ଗୃହ ଯୋଜନାରୁ ବାଦ ପଡ଼ିଛନ୍ତି । ଆଗାମୀ ୩ ବର୍ଷ ମଧ୍ୟରେ ୭୫୫୦ କୋଟି ବ୍ୟୟ ବରାଦ ସହିତ ପ୍ରତ୍ୟେକ ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଅସହାୟ, ବନ୍ୟାବାତ୍ୟା କ୍ଷତିଗ୍ରସ୍ତ, ସହିଦ୍‌ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ ଆଦି ଯୋଗ୍ୟ ପରିବାରଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି । ଦିବ୍ୟାଙ୍ଗ ଉମାଙ୍କ କ୍ଷେତ୍ରରେ ସରକାରଙ୍କ ଏହି ଯୋଜନା କେବଳ କାଗଜ କଲମରେ ସୀମିତ ହୋଇଛି । ଏନେଇ ରସୁଲପୁର ବିଡିଓ ସତ୍ୟାନନ୍ଦ ଦାସଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ । ଜିଲ୍ଲା ପ୍ରଶାସନ ଉମାଙ୍କୁ ପେନ୍‌ସନ୍‌ ଯୋଜନା ସହିତ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କେବେ କରିବେ ତାହାକୁ ହିଁ ପରିବାର ଲୋକେ ଅନାଇ ବସିଛନ୍ତି ।