ଖଣି ଖାଦାନ ଓ କ୍ରସରରେ ବଳିପଡୁଛି  ଜୀବନ

କବାଟବନ୍ଧ: ଧର୍ମଶାଳା ତହସିଲ ଅନ୍ତର୍ଗତ ଅନେକ ଲିଜ ଓ ଅଣ ଲିଜ ଖଣି ଖାଦାନ ଚାଲୁଛି । ରାଜସ୍ୱ ବିଭାଗ ଠାରୁ ଖଣି ବିଭାଗକୁ ଲଘୁ ଖଣିଜ ସମ୍ପଦକୁ ଦାୟିତ୍ୱ ହସ୍ତାନ୍ତର ପରେ ତହସିଲ ଓ ପୁଲିସ ପକ୍ଷରୁ ସେମିତି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ସେହି ଖଣି ମାନଙ୍କରେ ଗରିବ ନିରୀହଙ୍କ ଜୀବନକୁ ବାଜି ଲାଗଇ କିଛି ପ୍ରଭାବଶାଳି ବ୍ୟକ୍ତି ବେଶ ମୁନଫା ଅର୍ଜନ କରୁଛନ୍ତି । ଏହାର ସୁଯୋଗ ନେଇ ମାଫିଆଙ୍କ ପାଇଁ ପାହାଡ଼ ପର୍ବତ ସାହାଣ ମେଲା ହୋଇପଡ଼ିଛି । ଧର୍ମଶାଳା ତହସିଲ ଅଞ୍ଚଳରେ ଆରୁହା, ବାଜାବାଟି, ରାହାଡ଼ପୁର, ଡଙ୍କାରୀ, ବିଛାଖଣ୍ଡି, ବାଘୁଆ, ଲୁଣିବେରୀ ରଙ୍ଗେଇ, ଡ଼ୁବୁରୀ, କୁସୁନପୁର, ମାଳଗଡା, ମୌଳାଭଞ୍ଜ, ଅନେକ ଖଣିରେ ପଥର ଉତୋଳନ କାର୍ଯ୍ୟକରୁଛି । ଖଣି ମାନଙ୍କରେ ନିୟୋଜିତ ଶ୍ରମିକ ମାନଙ୍କର ଶ୍ରମ ପଞ୍ଜିକରଣ କରାଯାଉନାହିଁ । ଯାହାକି ସଂପୂର୍ଣ୍ଣ ବେଆଇନ ହୋଇଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟି ନିରୀହ ଶ୍ରମିକ ମାନଙ୍କର ଜୀବନ ଯାଉଥିବା ବେଳେ ପରିବାର ଜାଣିବାକୁ ପାଉ ନାହାନ୍ତି କି ଉପଯୁକ୍ତ କ୍ଷତିପୂରଣ ପାଇପାରୁ ନାହାନ୍ତି । ଏଠାରେ ଶ୍ରମିକ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣା ଘଟି ମୃତୁ୍ୟ ହେଲେ ସାଗ, ମାଛ ମୂଲରେ ସେମାନଙ୍କ ଜୀବନର ମୂଲ୍ୟ ୫୦ ହଜାରରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ତାଙ୍କ ପରିବାର ଲୋକଙ୍କୁ ଦେଇ ମାମଲା ରଫାଦଫା କରାଯାଇଥିବା ଅଭିଯୋଗ ହେଉଛି । ଅନେକଙ୍କୁ ଦୁର୍ଘଟଣାର ରୂପ ଦିଆଯାଇଥାଏ । ଯଦି ମୃତାହତ କେହି ଲୋକଲୋଚନକୁ ନଆସନ୍ତି ସେମାନଙ୍କୁ ଗାଏବ କରିଦିଆଯାଏ । ଅନ୍ୟପକ୍ଷେ ବିନା ପଞ୍ଜିକରଣରେ ଏଠାରେ ଅନେକ ଲିଜ ଖଣି ଗୁଡିକରେ ସରକାରଙ୍କ କୌଣସି ନୀତି ପାଳନ କରାଯାଉନାହିଁ । ଶ୍ରମିକମାନଙ୍କ ସୁରକ୍ଷା ନିମନ୍ତେ ବ୍ୟକ୍ତିଗତ ସୁରକ୍ଷା ସସରଞ୍ଜାମ (ପିପିଇକିଟ) ବ୍ୟବସ୍ଥା କରାଯାଇନାହିଁ । ରାଜ୍ୟର ଜଣେ ଶ୍ରମିକ ଅନ୍ୟ ରାଜ୍ୟରେ କାର୍ଯ୍ୟ କରୁଥିବା ସମୟରେ ମୃତୁ୍ୟ ଘଟିଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା । କିନ୍ତୁ ଏଠାରେ ଅନ୍ୟରାଜ୍ୟର ଶ୍ରମିକଙ୍କ ଜୀବନର ମୂଲ୍ୟ ତୁଚ୍ଛ ହୋଇପଡ଼ିଛି । କେବଳ ଖଣିଖାଦାନ କାଗଜ କଲମରେ ସୀମିତ ରହିଯାଉଥିବା ବେଳେ ଏହାକୁ ପ୍ରଶାସନିକ ଅଧିକାରୀ ଦୁଷ୍ଟି ଦେଇନଥାନ୍ତି । କୁସୁନପୁର ଜଙ୍ଗଲ କିସମ ଜମିରେ ବେଆଇନ ପଥର ଖାଦାନରେ ୨୦୨୦ ସେପ୍ଟେମ୍ବର ସପ୍ତାହକ ମଧ୍ୟରେ ଦୁଇଜଣ ଶ୍ରମିକଙ୍କ ପରଲୋକ ଘଟିଥିଲା । ଜେନାପୁର ଥାନା ଅଞ୍ଚଳରେ ଗତ ୮ା୭ା୨୦୨୧ରେ ସାମଲ କ୍ରସରରେ ଜଣେ ଶ୍ରମିକର ମୃତୁ୍ୟ ଘଟିଥିବା ନେଇ ଜେନାପୁର ଥାନାରେ୨୪୬/୨୦୨୧ମାମଲା ରୁଜୁ କରାଯାଇଥିଲା । ସେହିପରି ପଥର ଖାଦାନ ଓ କମ୍ପ୍ରେସର ମାଲିକ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରି ଗମ୍ଭାରୀଆ ଗ୍ରାମର ମୃତୁ୍ୟ ଶ୍ରମିକ ମଦନ ବାର୍ଲାଙ୍କ ମୃତ ଦେହକୁ ବିଛାଖଣ୍ଡି ନିକଟ ଏକ କାଜୁ ବଗିଚାରେ ପୋଡ଼ି ଦିଆଯାଇଥିଲା । ସେହିପରି ରାହାଡ଼ପୁର ଶିବଶକ୍ତି କ୍ରସରରେ ତା୧୮ା୩ା୨୪ରେ କ୍ରସର ଚକାପଡି ପଶ୍ଚିମବଙ୍ଗ ରାଜ୍ୟର ବାଙ୍କୁଡ଼ା ଜିଲା ବରିକୁଳ ଅଞ୍ଚଳର ଶ୍ୟାମସୁନ୍ଦର ହାଁସଦା (୩୦)ଙ୍କ ମୃତୁ୍ୟ ଘଟିଥିଲା । ତାଙ୍କର ମୃତ ଦେହକୁ ଏକ ଗାଡ଼ି ଡାଲାରେ ନେଇ ପଳାଇ ଯାଉଥିବା ସମୟରେ ରାହାଡ଼ପୁର ଗ୍ରାମବାସୀ ରାମ୍ପେଇ ଛକ ଠାରେ ଅଟକାଇ ହୋହାଲ୍ଲା କରିଥିଲେ । ଏହିଭଳି ପାଞ୍ଚ ବର୍ଷ ମଧ୍ୟରେ ୨୦ରୁ ଊଦ୍ଧ୍ୱର୍ ମୃତୁ୍ୟ ଘଟିଥିବା ସମର୍ଥ ଏବଂ ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି । ଖଣି ଖାଦାନ, କ୍ରସରରେ ଅନେକ ମୃତ ଦେହକୁ ପ୍ରମାଣ ନଷ୍ଟ କରିଦିଆଯାଇଥାଏ ତ କିଛି ମାମଲା ରଫାଦଫା କରିଦିଆଯାଏ । ଅନେକ ବେଆଇନ ପଥର ଖାଦାନରୁ ମାଫିଆ କୋଟିକୋଟି ଟଙ୍କାର କଳାପଥର ଲୁଟ କରି ବେଆଇନ କ୍ରସରକୁ କଞ୍ଚା ମାଲ ଯୋଗାଇ ବେଶ ଅର୍ଥ ଉପାର୍ଜନ କରିଥାନ୍ତି । ହେଲେ ପ୍ରଶାସନ ନିଦାବିଷ୍ଣୁ ସାଜିଛି । କେବେ ହେଲେ ଶ୍ରମିକ ମାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇନି । ଏଣୁ ପ୍ରଶାସନକ୍ରସର ଓ ବେଆଇନ ଖାଦାନ ଉପରେ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ବାଜିଲାଗିଥିବା ଶ୍ରମିକଙ୍କ ସୁରକ୍ଷିତ ଜୀବନ ଯାପନ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ଜୋର ଧରିଛି ।