ପାରମ୍ପାରିକ ସାହିଯାତ ପାଇଁ ପ୍ରସ୍ତୁତି ବୈଠକ
ପୁରୀ: ଏପ୍ରିଲ ମାସ ୧୭ ତାରିଖ ରାମନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ସାହିଯାତ । ପ୍ରତ୍ୟେକ ଦିନ ସନ୍ଧ୍ୟା ପରେ ପରମ୍ପରା ଅନୁସାରେ ବିଭିନ୍ନ ସାହିରୁ ଯାତ ବାହାରି ବାଦି ସାହିକୁ ଯିବ । ସାହିମାନଙ୍କରୁ ରାମଚନ୍ଦ୍ର, ରାବଣ, ହନୁମାନ, ବଶିଷ୍ଠ ଋଷି ଇତ୍ୟାଦି ଚରିତ୍ରମାନ ବାହାରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ନୀତିରେ ନିଜର ଦାୟିତ୍ୱ ତୁଲାଇବା ସହ ଜଗନ୍ନାଥ ବଲ୍ଲଭ ମଠକୁ ଯିବେ । ବିଭିନ୍ନ ଜାଗାଆଖଡ଼ା ପକ୍ଷରୁ ପୂର୍ବେ ସାହିଯାତ କରାଯାଉଥିବା ବେଳେ ଏବେ ଜିଲ୍ଳା ପ୍ରଶାସନ ପକ୍ଷରୁ ଏଥିପାଇଁ ଆର୍ଥିକ ସହାୟତା ଯୋଗାଇଦିଆଯାଉଛି । ରାମନବମୀ ଠାରୁ ରାମାଭିଷେକ ପର୍ଯ୍ୟନ୍ତ ସାହିଯାତ କିଭଳି ସୁରୁଖୁରୁରେ ସଂପନ୍ନ ହେବ ସେ ଉଦେ୍ଦଶ୍ୟରେ ଜିଲ୍ଳା ପ୍ରଶାସନ ପକ୍ଷରୁ ସର୍କିଟ ହାଉସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଳାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍ପି ପିନାକ ମିଶ୍ର, ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ପ୍ରଦୀପ କୁମାର ସାହୁ, ପରିଚାଳନା କମିଟିର ସଦସ୍ୟ ଓ ଆଠ ସାହି ଆଖଡ଼ାର କର୍ମକର୍ତ୍ତା ଯୋଗଦାନ କରିଥିଲେ । ପ୍ରତ୍ୟେକ ସାହିରେ ଶାନ୍ତି କମିଟି ଗଠନ ହେବା ସହିତ ନିଜ ନିଜ ପଡ଼ୋଶୀ ସାହି ସହିତ ସହଯୋଗର ହାତ ବଢାଇ ଯାତକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତେ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ । ସାହିମାନଙ୍କରେ ଥିବା ଛୋଟବଡ଼ ସମସ୍ୟାକୁ ସମାଧାନ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ସାହିମାନଙ୍କରେ ରାସ୍ତାଘାଟର ମରାମତି, ଡ଼୍ରେନେଡ଼ ସମସ୍ୟା ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଳାପାଳ ବୈଠକରେ ପ୍ରକାଶ କରିଥିଲେ ।