ଅକ୍ଷୟ ତୃତୀୟା ପାଇଁ ପ୍ରସ୍ତୁତି, ଆରମ୍ଭ ହେବ ରଥ ନିର୍ମାଣ 

ପୁରୀ,: ଆସନ୍ତା ଶୁକ୍ରବାର ଅକ୍ଷୟ ତୃତୀୟାରେ ଆରମ୍ଭ ହେବ ପୁରୀର ପ୍ରସିଦ୍ଧ ଚନ୍ଦନଯାତ୍ରା । ସୁସଜ୍ଜିତ ମଣି ବିମାନରେ ବିଜେ କରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଲକ୍ଷ୍ମୀ ଓ ସରସ୍ୱତୀ ନରେନ୍ଦ୍ର ସରୋବରକୁ ଯାଇ ସୁସଜ୍ଜିତ ନନ୍ଦା ଓ ଭଦ୍ରା ଚାପରେ ନୌକା ବିହାର କରିବେ । ମଦନମୋହନଙ୍କ ସହ ନରେନ୍ଦ୍ରଙ୍କୁ ଚାପ ଖେଳିବାକୁ ଯିବେ ପଞ୍ଚ ପାଣ୍ଡବ ରୂପେ ପରିଚିତ ପ୍ରମୁଖ ପଞ୍ଚ ମହାଦେବ । ୨୧ ଦିନ ବ୍ୟାପି ବାହାର ଚନ୍ଦନଯାତ୍ରା ସହ ଅକ୍ଷୟ ତୃତୀୟାରେ ୩ରଥ ନିର୍ମାଣର ଶୁଭ ଅନୁକୂଳ ହେବ । ଠାକୁର ଠାକୁରାଣୀଙ୍କ ଜଳକ୍ରୀଡ଼ା ପାଇଁ ୨ଚାପକୁ ପ୍ରସ୍ତୁତ କରାଯାଇଛି । ଚାପ ଦ୍ୱୟକୁ ରଂଗ କରାଯିବା କାର୍ଯ୍ୟ ଆଗେଇ ଚାଲିଛି । ଠାକୁରମାନଙ୍କର ଗଦି ଓ ତକିଆକୁ ପ୍ରସ୍ତୁତ କରାଯାଉଛି । ସିଂହଦ୍ୱାରରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଛାମୁଣ୍ଡିଆମାନ ନିର୍ମାଣ କରାଯାଉଛି । ଏସବୁ ଛାମୁଣ୍ଡିଆ ତଳେ ଠାକୁର ଠାକୁରାଣୀମାନଙ୍କୁ ପନ୍ତି ଭୋଗ କରାଯିବ । ଚନ୍ଦନ ପଟୁଆରରେ ଉଛୁଳି ଉଠିବ ବଡ଼ଦାଣ୍ଡ । ଚାପ ସହ ଚନ୍ଦନ ଘରକୁ ଧଉଳା ଯାଇ ଚିତି୍ରତ କରାଯିବା କାର୍ଯ୍ୟ ଚାଲିଛି । ଚନ୍ଦନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି । ଅକ୍ଷୟ ତୃତୀୟା ଅବସରରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହେବ । ଚନ୍ଦନ ପଟୁଆର ସହ ରଥଖଳାକୁ ମହାପ୍ରଭୁଙ୍କ ଆଜ୍ଞାମାଳ ଯିବା ପରେ ଆରମ୍ଭ ହେବ ରଥନିର୍ମାଣ କାର୍ଯ୍ୟ । ଏଥିପାଇଁ ରଥଖଳାକୁ ପ୍ରସ୍ତୁତ କରାଯାଉଛି । ରଜାନଅର ସମ୍ମୁଖରେ ରଥଖଳା ପାଇଁ ନିର୍ମାଣ କରାଗଲାଣି ଛାମୁଣ୍ଡିଆ । ରଥ ତିଆରି ପାଇଁ ପୁରୀରେ ପହଞ୍ଚôବାରେ ଲାଗିଛି ବିଭିନ୍ନ ଅଞ୍ଚଳରୁ କାଠ । ଅକ୍ଷୟ ତୃତୀୟା ଅବସରରେ ଘଡ଼ିପତୁଲି ପୂଜା କରାଯିବ ।