ହୋଟେଲରେ ଚଢ଼ାଉ, ଜରିମାନା ଆଦାୟ

 ଚମ୍ପୁଆ : ଡାଇରିଆ ଓ ଝାଡାବାନ୍ତି ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଡେଇଁବାରେ ଲାଗିଛି  । ସବୁ ଜିଲ୍ଲାକୁ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି  । ପ୍ରତିକାର ପଦକ୍ଷେପ ସ୍ୱରୂପ ଚମ୍ପୁଆ ଏନ୍ଏସି ତରଫରୁ ଲୋକମାନଙ୍କୁ ସତର୍କ ରହିବାକୁ ନିଦେ୍ର୍ଦଶାବଳୀ ଜାରି କରାଯାଇଛି । ଆଜି ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜଗନ୍ନାଥ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ, କେନ୍ଦୁଝର ଖାଦ୍ୟ ସୁରକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତ, ପରିଷଦର ସାନିଟାରୀ ଇନଚାର୍ଯ ବିଜୟ କୁମାର ମିଶ୍ର, ବରିଷ୍ଠ ସହାୟକ ପ୍ରକାଶ ଚନ୍ଦ୍ର କୁଣ୍ଡୁ ଏବଂ ଅନ୍ୟାନ୍ୟ ଷ୍ଟାଫ୍ ମାନଙ୍କ ଦ୍ୱାରା ସ୍ଥାନୀୟ ହୋଟେଲ୍ ଗୁଡିକ ଉପରେ ଅଚାନକ ଚଢ଼ାଉ କରାଯାଇଥିଲା । ପ୍ରଥମେ ଜାତୀୟ ରାଜପଥ ୨୦ ପାର୍ଶ୍ୱରେ ଥିବା ସ୍ୱାଗତ ହୋଟେଲ ଚଢ଼ାଉ କରାଯାଇ ଅସ୍ୱାସ୍ଥ୍ୟକର ଓ ନିମ୍ନମାନର ଖାଦ୍ୟ, କଲର, କେମିକାଲ, ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ୫୦୦୦ ଟଙ୍କା ଜରିମାନା ଆଦାୟ କରାଯିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା  । ସେହିପରି ସହରରେ ଅନ୍ୟ ୯ଟି ହୋଟେଲ ଓ ବେକରି ଦୋକାନ ଚଢ଼ାଉ କରାଯାଇ ମୋଟ ୬୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି ।