୭ ବନ ସୁରକ୍ଷା ସମିତି ସଦସ୍ୟଙ୍କ ନାମରେ ମାମଲା

 କେନ୍ଦୁଝର: କେନ୍ଦୁଝର ପାଟଣା ରେଞ୍ଜ କେନେ୍ଦଇପଶି ଆଦର୍ଶ ବିଦ୍ୟାଳୟ ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲରୁ ଅନୁମତି ଠାରୁ ୩ ଗୁଣ ଅଧିକ ଗଛ କାଟି ନିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା । ୩୪୭ଟି ୟୁକାଲିପଟାସ ଗଛ କାଟିବାକୁ ଅନୁମତି ଥିବାବେଳେ ଅଧିକ ୯୭୩ ଟି ଗଛ କାଟି ଦିଆଯାଇଥିଲା । ଏହି ଘଟଣାରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ନିକଟରେ ଅଭିଯୋଗ ହେବା ପରେ କେନ୍ଦୁଝର ଡିଭିଜନ ପକ୍ଷରୁ ଏକ ଟିମ ଗଠନ କରାଯାଇ କଟାଯାଇଥିବା ଗଛର ମୂଳ ଗଣନା ହୋଇଥିଲା । ଏସିଏଫ୍ ସୁଦିପ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ଟିମ ଗଠନ କରାଯାଇ କଟା ଗଛର ମୂଳ ଗଣନା କରାଯିବା ସହ ୩୨ କ୍ୱିଣ୍ଟାଲ ୟୁକାଲିପଟାସ କାଠ ଜବତ୍ କରାଯାଇଥିଲା । ଗଛ କାଟିବା ସମୟରେ ବନ ବିଭାଗ କର୍ମଚାରୀ ଉପସ୍ଥିତ ରହୁ ନ ଥିବାରୁ ଧାର୍ଯ୍ୟଠାରୁ ବହୁ ଅଧିକ ଏବଂ ଶାଳ ଗଛ ଓ ଅନ୍ୟାନ୍ୟ କିସମର ଗଛ କଟା ଯାଇଥିଲା । ଏହି ଘଟଣାରେ କେନ୍ଦିପଶି ବନ ସୁରକ୍ଷା ସମିତିର ୭ଜଣ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଛି । ପାଟଣା ରେଞ୍ଜ ଓଆର କେସ ୨୫ରେ କେନେ୍ଦଇପଶି ବନ ସୁରକ୍ଷା ସମିତିର ସଦସ୍ୟା ଉର୍ମିଳା ବାରିକ, ସୁଶିଳା ନାଏକ, ଜେମାମଣୀ ନାଏକ ଏବଂ ଓଆର କେସ ନଂ ୨୬ ରେ କେନେ୍ଦଇପଶି ବନ ସୁରକ୍ଷା ସମିତିର ସଦସ୍ୟ ଲିଙ୍ଗରାଜ ନାଏକ, ତ୍ରିଲୋଚନ ବେହେରା, ସିପୁନ ନାଏକ ଏବଂ କେଦାରନାଥ ବାରିକଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଏଥିସହ କେନେ୍ଦଇପଶି ବନ ସୁରକ୍ଷା ସମିତିର ପଞ୍ଜିକରଣକୁ ବାତିଲ କରାଯାଇଛି ବୋଲି କହିଛନ୍ତି ପାଟଣା ବନପାଳ ପିଅନ ନାଏକ ।
ନିୟମ ଅନୁଯାୟୀ ଗଛ କାଟିବା ପୂର୍ବରୁ ବନ ସୁରକ୍ଷା ସମିତି ବ୍ୟାଙ୍କ ଆକାଉଣ୍ଟରେ ଗଛ କଟା ବାବଦ ଅର୍ଥ ସମ୍ପୁର୍ଣ୍ଣ ଭାବେ ଜମା କରାଯିବ । ମାତ୍ର ନ କରାଯାଇ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଯାଇଥିଲା । ମାମଲା ରୁଜୁ କରାଯିବା ପରେ ବନ ସୁରକ୍ଷା ସମିତିର ବ୍ୟାଙ୍କ ଆକାଉଣ୍ଟରେ ୬ ଲକ୍ଷ ୨୮ ହଜାର ଟଙ୍କା ଜମା କରାଯାଇଛି । ତେବେ ସମ୍ପୂର୍ଣ୍ଣ ଅର୍ଥ ଆଗୁଆ ଜମା ନ ହୋଇ ଗଛ କାଟିବାକୁ କିପରି ଅନୁମତି ଦିଆଗଲା ତାହା ତଦନ୍ତ ସାପେକ୍ଷ । ଦାୟିତ୍ୱରେ ଅବହେଳା କରିଥିବା  କେନେ୍ଦଇପଶି ବିଟ୍ ଫରେଷ୍ଟ ଗାର୍ଡ ତପସ୍ୱିନୀ ନାଏକଙ୍କ ବିରୁଦ୍ଧରେ ଅଦ୍ୟାବଧି କୌଣସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । କେନେ୍ଦଇପଶି ଗ୍ରାମ୍ୟ ଜଙ୍ଗଲରେ ୟୁକାଲିପଟାସ ଗଛ ଗୁଡିକ ସୁରକ୍ଷିତ ଥିବାବେଳେ, ବନ ବିଭାଗ କିପରି ଏତେ ସଂଖ୍ୟାରେ ଗଛ କାଟିବାକୁ ଅନୁମତି ଦେଲେ ତାହା ବିଭାଗର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଜଙ୍ଗଲରେ ଗଛ କଟାଗଲେ ଏଥିରୁ ମିଳୁଥିବା ଅର୍ଥର ୪୦ପ୍ରତିଶତ ଗାଁର ଉନ୍ନତିକରଣ, ୪୦ ପ୍ରତିଶତ ଭିଏସ୍ଏସ୍ ସଦସ୍ୟ ଥିବା ଗ୍ରାମବାସୀମାନଙ୍କ ମଧ୍ୟରେ ବଣ୍ଟାଯିବ ଏବଂ ଅବଶିଷ୍ଟ ୨୦ ପ୍ରତିଶତ ଅର୍ଥ କଟାଯାଇଥିବା ଜଙ୍ଗଲରେ ପୁନର୍ବାର ବୃକ୍ଷରୋପଣ ପାଇଁ ଜମା ରଖିବାର ବ୍ୟବସ୍ଥା ରହିଥିଲେ ମଧ୍ୟ ଏହି ନିୟମ ପାଳନ ହେଉନାହିଁ । ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକ ପିସିସିଏଫ୍ ସୁରେଶ ପନ୍ତ ଙ୍କ ନିକଟରେ ଦାବି କରିଛନ୍ତି । ବନବିଭାଗ ସଂରକ୍ଷିତ ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲରେ ୟୁକାଲିପଟାସ ଓ ଆକାଶିଆ ଗଛ କାଟିବାକୁ ନିୟମିତ ବ୍ୟବଧାନରେ ଅନୁମତି ପ୍ରଦାନ କରୁଥିବାରୁ ବନ ବିଭାଗ, ସଂଖ୍ୟାଲଘୁ କାଠ ମାଫିଆ, ବନ ସୁରକ୍ଷା ସମିତି ସଦସ୍ୟଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବା ସନେ୍ଦହ କରାଯାଉଛି । ବିଭିନ୍ନ ଜଙ୍ଗଲରେ ୟୁକାଲିପଟାସ ଗଛ କାଟିବାକୁ ଅନୁମତି ଦିଆଯାଉଥିବାରୁ ଜଙ୍ଗଲର ଘନତ୍ୱ କମୁଛି ଏବଂ ବନ୍ୟପ୍ରାଣୀ ଗାଁ ମୁହାଁ ହୋଇ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । ଏହାଫଳରେ ପରିବେଶ ଏବଂ ଜଳବାୟୁ ଉପରେ ଏହାର କୁପ୍ରଭାବ ପଡୁଛି ।