ରେଳ ଷ୍ଟେସନ୍ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାୟୀ ହୋଲ୍ଡିଂ ଜୋନ୍ ନିର୍ମାଣ ସହ ଏଆଇ
ନୂଆଦିଲ୍ଲୀ: ଦିଲ୍ଲୀ ରେଳ ଷ୍ଟେସନରେ ଶନିବାର ରାତିରେ ଘଟିଥିବା ଭୟଙ୍କର ଦଳାଚକଟା ପରେ ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ତତ୍ପର ହୋଇଛି ପ୍ରଶାସନ। ଇଣ୍ଡିଆ ଟୁଡେ ଟିଭିକୁ ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ୬୦ଟି ଅଧିକ ଟ୍ରାଫିକ୍ ଥିବା ରେଳ ଷ୍ଟେସନରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ସ୍ଥାୟୀ ହୋଲ୍ଡିଂ ଜୋନ୍ ନିର୍ମାଣ କରିବେ ଏବଂ ଭିଡ଼ ଏବଂ ସଙ୍କଟ ପରିଚାଳନା ପାଇଁ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରିବେ।
ନୂଆଦିଲ୍ଲୀ ରେଳ ଷ୍ଟେସନରେ ମହାକୁମ୍ଭ ଭକ୍ତଙ୍କ ପ୍ରୟାଗରାଜ ଅଭିମୁଖେ ଟ୍ରେନ୍ ଧରିବା ସମୟରେ ହଠାତ୍ ଭିଡ଼ ଯୋଗୁଁ ଦଳାଚକଟା ଘଟି ୧୮ ଜଣଙ୍କ ମୃତ୍ୟୁ ଘଟିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୂତ୍ର ଅନୁଯାୟୀ, ସ୍ଥାନୀୟ ଅଧିକାରୀମାନେ ପରିସ୍ଥିତିଗତ ସଚେତନତା ଏବଂ ସଙ୍କଟ ପରିଚାଳନା ଉପରେ ତାଲିମ ପାଇବେ। ଦିଗଦର୍ଶନ ସହାୟତା ପାଇଁ ଯାତ୍ରୀମାନଙ୍କୁ ନିର୍ଦ୍ଦିଷ୍ଟ ହୋଲ୍ଡିଂ ଅଞ୍ଚଳଆଡ଼କୁ ମାର୍ଗଦର୍ଶନ କରିବା ପାଇଁ ତୀର ଏବଂ ବିଭାଜକ ସୃଷ୍ଟି କରାଯିବ। ଉଲ୍ଲେଖଯୋଗ୍ୟ, ମହାକୁମ୍ଭ ପାଇଁ ପ୍ରୟାଗରାଜ ଅଭିମୁଖେ ଯାଉଥିବା ଦୁଇଟି ଟ୍ରେନ୍ରେ ଏକ ସମୟରେ ହଜାର ହଜାର ଯାତ୍ରୀ ଚଢ଼ିବାକୁ ଯାଉଥିବା ବେଳେ ଶନିବାର ରାତି ପ୍ରାୟ ୧୦ଟା ବେଳେ ଏହି ଦଳାଚକଟା ହୋଇଥିଲା। ଟ୍ରେନ୍ ବିଳମ୍ବ ଏବଂ ସୂଚନାକୁ ନେଇ ଦ୍ବନ୍ଦ୍ବ ଭିତରେ ସ୍ଥିତି ନିୟନ୍ତ୍ରଣ ପାଇଁ ଆବ୍ୟକ ସୁରକ୍ଷା କର୍ମଚାରୀ ମଧ୍ୟ ନଥିଲେ। ରେଳ ମନ୍ତ୍ରଣାଳୟ ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଦୁର୍ଘଟଣାର କାରଣ ଅନୁସନ୍ଧାନ କରିବା ଏବଂ ଏଭଳି ସ୍ଥିତିର ପ୍ରତିକାର ବ୍ୟବସ୍ଥା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛି।
 
 Rasmita Behera
                                    Rasmita Behera                                 
    
             
    
             
    
 
    
 
 
 
