ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ଯୁବ ସମାଜକୁ ଆହ୍ବାନ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ଯୁବ ସମାଜକୁ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତାରେ କହିଛନ୍ତି, ଦେଶର ସାଧାରଣ ଲୋକଙ୍କ ଜନଜୀବନର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ। ଏଥିପାଇଁ ଜାତୀୟତାର ମନୋଭାବ ରଖି ବେସାମରିକ ସୁରକ୍ଷା ବା Civil Defence ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାପାଇଁ ମୁଁ ଜନସାଧାରଣଙ୍କୁ, ବିଶେଷକରି ଯୁବ ସମାଜକୁ ଆହ୍ବାନ କରୁଛି। ଯୁବ ସମାଜ ହିଁ ଆମ ଆଶା, ଭରଷା ଓ ଶକ୍ତିର ପ୍ରତୀକ। ଇଚ୍ଛୁକ ସ୍ବେଚ୍ଛାସେବୀମାନେ ଜିଲା ସ୍ତରରେ ଜିଲାପାଳଙ୍କୁ ଆବେଦନ କରିପାରିବେ। ଜିଲାପାଳ ହେଉଛନ୍ତି ଜିଲା ବେସାମରିକ ସୁରକ୍ଷାର ନିୟନ୍ତ୍ରକ। ଏହି ସ୍ବେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆବଶ୍ୟକ ହେଲେ ସେବା ଓ ଜାତୀୟତାର ମନୋଭାବ ରଖି ସେମାନେ ଜନସାଧାରଣଙ୍କୁ ସେବା ଯୋଗାଇଦେବେ। ଆମ ରାଜ୍ୟର ୧୨ଟି ସ୍ଥାନରେ Civil Defence ସଙ୍ଗଠନ କାର୍ଯ୍ୟ କରୁଛି। ଆବଶ୍ୟକତା ଅନୁଯାୟୀ ଅନ୍ୟ ସ୍ଥାନଗୁଡ଼ିକରେ ନୂଆ ସଙ୍ଗଠନ ଗଢ଼ିବାକୁ ମୁଁ ନିର୍ଦ୍ଦେଶ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୋର ଆଶା ଓ ବିଶ୍ବାସ, ସେବା ଓ ଜାତୀୟତାର ମନୋଭାବ ରଖି ଅନେକ ବ୍ୟକ୍ତି ବିଶେଷ, ବିଶେଷକରି ଯୁବ ବର୍ଗ, ଏଥିପାଇଁ ଆଗେଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି।