ସମ୍ବଲପୁର ଆଇଆଇଏମର ସମାବର୍ତ୍ତନ ଉତ୍ସବ
ଭୁବନେଶ୍ୱର : ଆଇଆଇଏମ୍ ସମ୍ବଲପୁରର ନବମ ସମାବର୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଡି ସୀମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଆଇଆଇଏମ୍ ସମ୍ବଲପୁରର ବୋର୍ଡ ଅଫ୍ ଗଭର୍ଣ୍ଣର୍ସ ଅଧ୍ୟକ୍ଷ ତଥା ସେଲ୍ସ ଫୋର୍ସ ଇଣ୍ଡିଆ ଓ ଦକ୍ଷିଣ ଏସିଆର ଅଧ୍ୟକ୍ଷ ତଥା ସିଇଓ ପଦ୍ମଶ୍ରୀ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଏହି ଅବସରରେ ସମ୍ମାନିତ ହୋଇଥିଲେ । ବୋଷ୍ଟନ କନସଲଟିଂ ଗ୍ରୁପର ପରିଚାଳନା ନିଦେ୍ର୍ଦଶକ ଆଶିଷ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲଙ୍କ ସମେତ ଡିନ୍, ଅଧ୍ୟାପକ, ସ୍ନାତକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପ୍ରମୋଦ କୁମାର ମିଶ୍ର ଯୋଗଦେଇ ଆଇଆଇଏମ୍ ସମ୍ବଲପୁରର ଭିତିଭୂମିକୁ ପ୍ରଶଂସା କରିବା ସହ ଆଇଆଇଏମ୍ ସମ୍ବଲପୁର ଏହାର ଏକ ଦଶନ୍ଧିରେ ବିଭିନ୍ନ କାର୍ଯ୍ୟକଳାପକୁ ସମନ୍ୱିତ କରି ଖ୍ୟାତି ଅର୍ଜନ କରିଛି । ଏହି ଅନୁଷ୍ଠାନ ନବସୃଜନ, ସଚ୍ଚୋଟତା ଏବଂ ସାମଗ୍ରିକତାର ମୂଳମୂଲ୍ୟ ବୋଧକୁ ବଜାୟ ରଖିଥାଏ । ଏହାବ୍ୟତୀତ ଏହା ନିଜର ଶିକ୍ଷା ଢାଂଚାରେ ଆର୍ଟିଫିସିଆଲ ଇଂଟେଲିଜେନ୍ସକୁ ଅନ୍ତର୍ଭୁକ୍ତ କରିଛି ଯାହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏତଦବ୍ୟତୀତ ପଶ୍ଚିମ ଓଡ଼ିଶାର ବୁଣାକାର ମାନଙ୍କ ପାଇଁ ମାଷ୍ଟର ବୁଣାକାର କାର୍ଯ୍ୟକ୍ରମ ଆରମ୍ଭ କରିଥିବାରୁ ଆଇଆଇଏମ୍ ସମ୍ବଲପୁରକୁ ପ୍ରଶଂସା କରିଥିଲେ । ଯାହାଫଳରେ ସ୍ଥାନୀୟ ଅଞ୍ଚଳର ବିକାଶ ହୋଇପାରିବ ବୋଲି ନିଜ ମତରେ କହିଛନ୍ତି ।
ଆଇଆଇଏମ୍ ସମ୍ବଲପୁରର ବିଓଜିର ଅଧ୍ୟକ୍ଷା ତଥା ସେଲ୍ସ ଫୋର୍ସଇଣ୍ଡିଆ ଓ ଦକ୍ଷିଣ ଏସିଆର ଅଧ୍ୟକ୍ଷ ତଥା ସିଇଓ ପଦ୍ମଶ୍ରୀ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ସ୍ନାତକୋତର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି କହିଛନ୍ତି, “ଶିକ୍ଷା ଏକ ଜୀବନବ୍ୟାପୀ ଯାତ୍ରା । ଦୁନିଆ ଦ୍ରୁତଗତିରେ ବିକଶିତ ହେଉଛି ଏବଂ ଆପଣ ଉଭୟ ସୁଯୋଗ ଏବଂ ଆହ୍ୱାନର ସମ୍ମୁଖୀନ ହେବେ । ତଥାପି, ଆପଣ ଯେଉଁଜ୍ଞାନ ଏବଂ ଦକ୍ଷତା ହାସଲ କରିଛନ୍ତି, ସେଥିରେ ଆପଣ ଯେକୌଣସି ପ୍ରତିବନ୍ଧକକୁ ମୁକାବିଲା କରିବାକୁ ସକ୍ଷମ ଅଟନ୍ତି ବୋଲି କହିଥିଲେ ।
ଏହିକାର୍ଯ୍ୟକ୍ରମରେ ୩୭୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷାଗତ ଯାତ୍ରା ଶେଷ କରିଥିଲେ । ଆଇଆଇଏମ୍ ସମ୍ବଲପୁରରେ ପ୍ରଥମ ଥର ପାଇଁ ୫ଟି ଭିନ୍ନଭିନ୍ନ ପାଠ୍ୟକ୍ରମରେ ସ୍ନାତକ ହାସଲ କରିଥିବାବେଳେ ଏଥିରେ ୩୧୬ ଜଣ ଛାତ୍ରଛାତ୍ରୀଙ୍କ ନବମ ଏମ୍ବିଏ ବ୍ୟାଚ୍ (୨୦୨୩-୨୫), ଏକ୍ଜିକୁ୍ୟଟିଭ୍ ଏମ୍ବିଏ (୨୦୨୨-୨୪)ରେ ୩୮ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ବ୍ୟାଚ୍୍, ଏମବିଏ ଫର୍ୱାର୍କିଂ ପ୍ରଫେସନାଲ୍ (୨୦୨୩-୨୫), ୬ ପିଏଚଡି ସ୍କଲାର ଓ କର୍ମଜୀବୀ ପ୍ରଫେସନାଲ୍ ପାଇଁ ପିଏଚ୍ଡି ରହିଛି । ସ୍ନାତକ ସମାରୋହରେ ଛାତ୍ରଛାତ୍ରୀ ମାନେ ଯଥାକ୍ରମେ ଏମବିଏ, ଏକଜିକ୍ୟୁଟିଭ୍ ଏମବିଏ ପ୍ରୋଗ୍ରାମ ଏବଂ ଏମବିଏ ଫର ୱାର୍କିଂ ପ୍ରଫେସନାଲ ପ୍ରୋଗ୍ରାମରେ ଶିକ୍ଷାଗତ ଏବଂ ଅତିରିକ୍ତ ପ୍ରଦର୍ଶନ ପାଇଁ ଅଧ୍ୟକ୍ଷଙ୍କ ସ୍ୱର୍ଣ୍ଣ ପଦକ ପାଇଥିଲେ । ସୂଚନାଯୋଗ୍ୟ, ୮୦ ବର୍ଷୀୟ ଉଦ୍ୟୋଗୀ ଜିଏମ୍ଗୁପ୍ତା ମଧ୍ୟ ଏମ୍ବିଏ ଫର୍ୱାର୍କିଂ ପ୍ରଫେସନାଲ୍ ପ୍ରୋଗ୍ରାମ୍ରେ ଡିଗ୍ରୀ ହାସଲ କରିଥିଲେ ।
ଚଳିତବର୍ଷ ସମାବର୍ତ୍ତନ ଉତ୍ସବରେ ଆଇଆଇଏମ୍ ସମ୍ବଲପୁର ପ୍ରତିଷ୍ଠାର ୧୦ ବର୍ଷପୂର୍ତିି ପାଳନ କରାଯାଉଛି । ପ୍ରଥମ ଥର ପାଇଁ ଆମ ପାଖରେ ୫ଟି ଭିନ୍ନଭିନ ପ୍ରୋଗ୍ରାମ ଏମ୍ବିଏ, ଏକଜିକ୍ୟୁଟିଭ୍ ଏମ୍ବିଏ, ଏମ୍ବିଏ ଫର୍ୱାର୍କିଂ ପ୍ରଫେସନାଲ୍ସ, ପିଏଚଡି ଏବଂ ପିଏଚଡି ଫର୍ୱାର୍କିଂ ପ୍ରଫେସନାଲ୍ସର ଛାତ୍ରଛାତ୍ରୀ ମାନେ ନିଜ ନିଜ ଡିଗ୍ରି ହାସଲ କରିଛନ୍ତି । ଏହାବ୍ୟତୀତ ଭାରତର କୌଣସି ଆଇଆଇଏମ୍ କିମ୍ବା ଅଗ୍ରଣୀ ବି-ସ୍କୁଲ ଇତିହାସରେ ଏହା ପ୍ରଥମ ଘଟଣା ଯେଉଁଠାରେ ସ୍ନାତକ ହାସଲ କରିଥିବା ମହିଳାଙ୍କ ସଂଖ୍ୟା ପୁରୁଷ ଛାତ୍ରଛାତ୍ରୀଙ୍କ ତୁଳନାରେ ଅଧିକ, ଯେଉଁଥିରେ ୬୦% ମହିଳା ଏବଂ ୪୦% ପୁରୁଷ ଅଛନ୍ତି ।